ସବୁ ଡାକ୍ତରଖାନାରେ ଡାକ୍ତର -୧୫୬୦ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ବର () ରାଜ୍ୟ ସରକାର ୧୫୬୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସହିତ ମାଗଣା ଚିକିତ୍ସା ସୁବିଧା ରହୁଥିବା ନିଦାନ , ସହାୟ , ସୁନେତ୍ର , ନିରାମୟ ଭଳି ଯୋଜନା ପରେ ସରକାର ସବୁ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବାକୁ ମିଶନ ମୋଡରେ ନିଷ୍ପତି କରିଛନ୍ତି । ସବୁ ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ରହିବ । ଆଜି ୧୫୬୦ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ମୋଟ ୧୯୫୦ ଡାକ୍ତର ନିଯୁକ୍ତି ପାଇଁ ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ବିଜ୍ଞାପନ ଦିଆଯାଇଥିଲା । ସେଥିରୁ ଆୟୋଗଙ୍କ ଦ୍ବାରା ଚୟନ କରାଯାଇ ୯୩୮ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚୁକ୍ତି ଭିତିରେ ଆଉ ୬୨୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ନିଷ୍ପତି ନିଆଯାଇ ବିଭିନ୍ନ ହସପିଟାଲରେ ଅବସ୍ଥାପିତ କରାଯାଇଛି । ଆୟୋଗଙ୍କ ଦ୍ବାରା ଚୟନ ହୋଇଥିବା ୯୩୮ ଡାକ୍ତରଙ୍କ ମଧ୍ୟରୁ ପୂର୍ବରୁ ୩୩୮ ଜଣ ସରକାରଙ୍କ ପାଖରେ ଆଡହକ୍ ଏବଂ ଚୁକ୍ତି ଭିତିକ କାମ କରୁଛନ୍ତି । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାଙ୍କ ବାଦ୍ ୬୦୦ ନୂଆ ଡାକ୍ତର ମଧ୍ୟ ନିଯୁକ୍ତି ପାଇଛନ୍ତି । ଯେଉଁମାନେ ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନାହାଁନ୍ତି , ସେମାନଙ୍କ ମଧ୍ୟରୁ ୬୨୨ ଜଣଙ୍କୁ ସରକାର ଚୁକ୍ତି ଭିତିରେ ନିଯୁକ୍ତି ଦେଇଛନ୍ତି । ଫଳରେ ନୂଆକରି ୧୨୨୨ ଜଣ ଡାକ୍ତର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ପାଇଛନ୍ତି । ଏହା ଦ୍ବାରା ଡାକ୍ତର ଅଭାବ ଜନିତ ସମସ୍ୟା ଦୂର ହୋଇପାରିବ । ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୬୬୧୯ ଡାକ୍ତର ପଦବି ରହିଛି । ଗତକାଲି ୯୩୮ ଜଣଙ୍କ ନିଯୁକ୍ତି ପରେ ଡାକ୍ତରଙ୍କ ସଂଖ୍ୟା ୫୭୦୭ରେ ପହଂଚିଛି । ଆଜି ଆଉ ୬୨୨ ଡାକ୍ତରଙ୍କୁ ନିଯୁକ୍ତି ପରେ ଏହା ୬୩୨୯ ହୋଇଛି ।

ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ ସ୍ବରୂପ ଗତ ୫୪ ବର୍ଷ ଧରି ରାଜ୍ୟରେ ୩ ଟି ସରକାରୀ ମେଡିକାଲ କଲେଜ ରହିଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ବାରିପଦା , ବାଲେଶ୍ବର, ବଲାଙ୍ଗିର ଓ କୋରାପୁଟଠାରେ ୪ ଟି ନୂଆ ସରକାରୀ ମେଡିକାଲ କଲେଜ ଖୋଲାଯାଇଛି । କେନ୍ଦୁଝର ଓ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଛି । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ , ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ବୁର୍ଲ୍ଲା ଭିମ୍ସାରରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି ।ସେହିପରି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର,ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଏରିଆ ହସପିଟାଲ ଖୋଲାଯାଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ ଓ ସହଜ କରିବା ଲାଗି ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ଷ ବର୍ଷ ଧରି ଡାକ୍ତର ଅଭାବ ଜନିତ ଯେଉଁ ସମସ୍ୟା ରହିଥିଲା ତାର ସମାଧାନ ହୋଇପାରିଛି । ସରକାର ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ଦେଉଥିବା ବେଳେ ଭିତିଭୂମି ସୁଦୃଢ ହୋଇଥିବାରୁ ନୂଆ ଡାକ୍ତରମାନେ ଓଡିଶାରେ କାମ କରିବାକୁ ଆଗଭର ହେଉଛନ୍ତି । ଦୁର୍ଗମ ଅଂଚଳ ତଥା କେବିକେ ଓ କେବିକେ ପ୍ଲସ୍ ଅଂଚଳରେ କାମ କରୁଥିବା ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଭତା ଦିଆଯାଉଛି । ଓଡିଶା ମେଡିକାଲ ସର୍ଭିସର ସବୁ ଡାକ୍ତରଙ୍କୁ ଚାକିରିକାଳରେ ୩ ଟି ନିଶ୍ଚିତ ପଦୋନ୍ନତିର ବ୍ୟବସ୍ଥା କରାଯାଇଛି । ସେ କହିଛନ୍ତି ଯେ, କେବଳ ଡାକ୍ତର ନୁହଁନ୍ତି ପାରାମେଡିକ୍ କର୍ମଚାରୀ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କ୍ୟାଡର ପନର୍ଗଠନ ଠାରୁ ଆରମ୍ଭ କରି ନିୟମିତ କରାଯିବା ଓ ଦରମା ଏବଂ ଭତା ବୃଦ୍ଧି କରାଯାଇଛି । ସରକାର ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମିଶନ ମୋଡ୍ରେ ପଦକ୍ଷେପ ନେଇଛନ୍ତି ।

ଗତକାଲି ଲୋକସେବା ଆୟୋଗ ଦ୍ବାରା ଚୟନ ହୋଇଥିବା ୯୩୮ ଡାକ୍ତରଙ୍କ ମଧ୍ୟରୁ ୭୮୪ ଜଣଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବା ବେଳେ ୧୩୫ ଜଣଙ୍କୁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ଡାକ୍ତରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସମସ୍ତ ନବନିଯୁକ୍ତ ଡାକ୍ତର ଯେପରି ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବା ସେ ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =