କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ

ଭୁବନେଶ୍ବର () କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଆଜି କ୍ୟାପିଟାଲରେ ଏହି ନୂତନ ବିଭାଗର ଉଦ୍ଘାଟନ କରିଛନ୍ତି । ପ୍ରକାଶ ଥାଉକି କର୍କଟ ରାଜ୍ୟରେ ୨୦୧୬ ମସିହାରୁ କମ୍ପ୍ରେହେନ୍ସିଭ୍ କ୍ୟାନସର କେୟାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାପିଟାଲ ହସପିଟାଲ , ରାଉରକେଲା ସରକାରୀ ହସପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ମାଗଣାରେ ପରାମର୍ଶ, କେମୋଥେରାପି,ଉପଶମକ ଚିକିତ୍ସା ଏବଂ ଚିକିତ୍ସା ପରବର୍ତି ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ଡାକ୍ତରଖାନାମାନଙ୍କରେ ୬ ଶଯ୍ୟା ବିଶିଷ୍ଟ ଦିନରେ କେମୋଥେରାପି(ଡେକେୟାର) ଦିଆଯିବାର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ୧୧୩୩୦ ଜଣ କର୍କଟ ରୋଗୀ ବର୍ହିବିଭାଗରେ ଚିକିତ୍ସା ନିମନ୍ତେ ଆସିଛନ୍ତି । ମାଗଣାରେ ୧୦୨୮୫ ଥର କେମୋଥେରାପ ଦିଆଯାଇଛିି ।

କ୍ୟାପିଟାଲ ହସପିଲର ବର୍ହି ବିଭାଗକୁ ୨୦୧୬-୧୭ ରେ ୩୩୩୮ ଜଣ , ୨୦୧୭-୧୮ରେ ୬୫୫୪ ଜଣ ଏବଂ ୨୦୧୮-୧୯ ରେ ୯୮୦୦ରୁ ଅଧିକ ରୋଗୀ ଆସିଛନ୍ତି  । ଏହି ୟୁନିଟ୍ରେ ୫୯୨୪ ଥର ବିନାମୂଲ୍ୟରେ କର୍କଟ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯାଇଥିବା ପ୍ରକାଶ । ଏହି ସବୁ ଦୃଷ୍ଟିରୁ ବର୍ତମାନ ଏଠାରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି । ଏଠାରେ କର୍କଟ ରୋଗୀଙ୍କୁ ଆବଶ୍ୟକୀୟ ସମସ୍ତ ପ୍ରକାର ପରୀକ୍ଷା , ଚିକିତ୍ସା , ଉପଶମ ସେବା ଆଦି ମାଗଣାରେ ପ୍ରଦାନ କରାଯିବ ଏବଂ ଆଗାମୀ ଦିନରେ ଏଠାରେ ଅଧିକ ଚିକିତ୍ସା ସୁବିଧା ଉପଲବ୍ଧ କରାଯିବ  ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ସେହିପରି ଚକ୍ଷୁ ବିଭାଗରେ ଏକ ନୂତନ ଓଟି ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଉଦ୍ଘାଟନ କରିଛନ୍ତି । ସୁନେତ୍ର ଯୋଜନାରେ ଚକ୍ଷୁ ବିଭାଗର ଉନ୍ନତି କରଣ ସହିତ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଅତ୍ୟାଧୁନିକ ଯନ୍ତ୍ରପାତିର ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ନୂତନ ଓଟି କାର୍ଯ୍ୟକ୍ଷମ ହେବା ଫଳରେ ଏଠାରେ ରେଟିନା ସର୍ଜରୀ କରାଯାଇପାରିବା ସହିତ ମୋତିବିନ୍ଦୁ ସର୍ଜରୀ ମଧ୍ୟ ଅଧିକ ସଂଖ୍ୟାରେ କରାଯାଇପାରିବ । ବର୍ତମାନ କ୍ୟାପିଟାଲ ହସପିଟାଲରେ ମଧୁମେହ ଆକ୍ରାନ୍ତ ଚକ୍ଷୁ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି । ଏଥି ପାଇଁ ଆବଶ୍ୟକ ପଡୁଥିବା ବ୍ୟୟ ବହୁଳ ଇଞ୍ଜେକସନ ଯାହାର କି ବଜାର ମୂଲ୍ୟ ୨୦ ରୁ ୨୫ ହଜାର ଟଙ୍କା , ତାହା ରାଜ୍ୟ ସରକାରଙ୍କ ତରଫରୁ ନିରାମୟ ଯୋଜନାରେ ମାଗଣାରେ ପ୍ରଦାନ କରାଯାଉଛି । ସେହିପରି ବର୍ତମାନ ଆରମ୍ଭ ହେବାକୁ ଯାଉଥିବା ରେଟିନା ଚିକିତ୍ସା ମଧ୍ୟ ମାଗଣାରେ କରାଯିବ । ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ । ଏହି ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରେ ଘରୋଇ ଡାକ୍ତରଖାନା ମାନଙ୍କରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ଏଠାରେ ସୁନେତ୍ର ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାଃ ଅଶୋକ ପଟ୍ଟନାୟକ , ଅଧୀକ୍ଷକ ଡାଃ ଧନଞ୍ଜୟ ଦାସ , କର୍କଟ ବିଭାଗ ମେଡିକାଲ ଅଫିସର ଡାଃ ନିହାର ରଞ୍ଜନ ସାମଲ , ଚକ୍ଷୁ ବିଭାଗ ବରିଷ୍ଠ ବିଶେଷଜ୍ଞ ଡାଃ ଅଶ୍ବୀନୀ ମେହେର୍ଦ୍ଦା ଏବଂ ବିଭାଗୀୟ ମୁଖ୍ୟ ଡାଃ ମମତା ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

three × three =