ବିଜେପୁର ବିକାଶ କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଦୁଇ ମାସ ପରେ ଆଉ ଥରେ ସମୀକ୍ଷା

ଭୁବନେଶ୍ବର, 04/06 () ବିଜେପୁରର ସର୍ବାଙ୍ଗୀନ ଉନ୍ନତି କରି ଏହାକୁ ଏକ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି  । ଆଜି ସଚିବାଳୟରେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଚଳରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି  ।

ବିଜେପୁର ନିର୍ବାଚନମଣ୍ଡଳୀର 3ଟି ବ୍ଲକ ଗାଇସିଲଟ, ବିଜେପୁର ଓ ବରପାଲିରେ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପ ଦ୍ରୁତ ଗତିରେ ଚାଲିଛି  । ପୂର୍ତ୍ତ ବିଭାଗ ପକ୍ଷରୁ 9.38 କୋଟି ଟଙ୍କା ବିନଯୋଗରେ ଗୋଟିଏ ବରପାଲିରେ ଗୋଟିଏ ରେଲୱେ ଓଭରବ୍ରିଜ, ଗୋଟିଏ କେନାଲ ସର୍ଭିସ ରୋଡ ଓ ବରପାଲି-ବିଜେପୁରରେ ଗୋଟିଏ ସଡକ ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି  । ସେହିପରି 3.52 କୋଟି ଟଙ୍କା ବିନିମୟରେ 7ଟି ଅଣଯୋଜନା ସଡକ ପକଳ୍ପ ସଂପୂର୍ଣ୍ଣ ହୋଇଥିବା ବେଳେ 5.66 କୋଟି ଟଙ୍କା ବିନିଯୋଗରେ 4ଟ ସଡକ ପ୍ରକଳ୍ପର ସଂପୁର୍ଣ୍ଣ ହୋଇଛି  । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା 34ଟି ସଡକ ପ୍ରକଳ୍ପର ଉନ୍ନତିକରଣ ଓ ମରାମତି କାର୍ଯ୍ୟ ମଧ୍ୟରୁ 29ଟି କାମ ସରିଛି  । ବାକି ଥିବା 5ଟି ପ୍ରକଳ୍ପ କାମ ଶୀଘ୍ର ଶେଷ ହେବ ବୋଲି ସମୀକ୍ଷାରୁ ଜଣାପଡିଛି  । 36ଟି ଅଣଯୋଜନା ବଲଡିଂ ସଂପୁର୍ଣ୍ଣ ହୋଇଥିବା େବଳେ ବିଜେପୁରରେ 2 କୋଟି ଟଙ୍କା ବିନିଯୋଗରେ ଏକ ମଡେଲ ସ୍କୁଲ ନିର୍ମାଣ ପାିଁ ପଦକ୍ଷେପ ନିଆଯାଇଛି  । ସେହିପରି ଅଙ୍ଗ ନଦୀ ଉପରେ 12 କୋଟି 86 ଲକ୍ଷ ଟଙ୍କା ବିନିମୟରେ ଏକ ବୃହତ ସେତୁ ନିର୍ମାଣ କାମ ଆରମ୍ଭ ହୋଇଛି  ।

ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ 264ଟି ଗାଁରୁ 182ଟି ଗାଁର ବିଦ୍ୟୁତିକରଣ କାମ ସରିଛି  । ୱେସକୋ ଜରିଆରେ 61ଟି ଟ୍ରାନସଫରମର ଉନ୍ନତିକରଣ ହୋଇଛି  । ସବୁ ବ୍ଲକରେ ଲୋ ଭୋଲଟେଜ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ତିନୋଟି ଯାକ ବ୍ଲକରେ 6ଟି ପାଇପ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି  । 274ଟି ଟ୍ୟୁବୱେଲ ମରମତି କାମ ଏଭିତରେ ଶେଷ ହୋଇଛି  । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପରେ ବିଶେଷ ଅଗ୍ରଗତି ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି  ।

ଚିହ୍ନଟ ହୋଇଥିବା ସବୁ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶଥିବା ବେଳେ ଦୁଇ ମାସ ପରେ ପୁଣି ଥରେ ବିଜେପୁରର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନମଣ୍ଡଳୀରେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଏହାର ସବୁ ବିକାଶ ଦାୟିତ୍ବ ନିଜେ ମୁଖ୍ୟମନ୍ତ୍ରୀ ବହନ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

nineteen − 11 =