ମୂଳ ଏଜେଣ୍ଡାକୁ ଏଡାଇ ଗଲେ ଦୁଇ ରାଜ୍ୟର ଅଧିକାରୀ

ଭୁବନେଶ୍ବର () ଦୁଇ ଦୁଇ ଥର ତାରିଖ ଘୁଞ୍ଚିବା ପରେ ଆଜି ଓଡିଶା ଓ ଛତିଶଗଡ ମଧ୍ୟରେ ଆନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ବୈଠକ ବୁର୍ଲାରେ ଅନୁଷ୍ଠିତ ହୋଇଥିଲା । ବୈଠକର ଏଜେଣ୍ଡାରେ ସ୍ଥାନ ପାଇଥିବା ମୂଳ ପ୍ରସଙ୍ଗକୁ ଦୁଇ ରାଜ୍ୟ ଅତି ଆଶ୍ଚର୍ଯ୍ୟଜନକ ଭାବେ ଏଡାଇ ଯାଇଛନ୍ତି । ବୈଠକରେ ଉପରମୁଣ୍ଡରେ ଛତିଶଗଡ ମହାନଦୀ ବେସିନରେ ନିର୍ମାଣ କରିଥିବା ଏବଂ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡିକ ସଂପର୍କରେ ତଥ୍ୟର ଆଦାନ ପ୍ରଦାନ ହୋଇପାରିଲାନାହିଁ । କେବଳ ବନ୍ୟା ପାଣିର ଆକଳନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ଅଧିକ ଗଜ୍ ସେଣ୍ଟର ନିର୍ମାଣ ଉପରେ ଦୁଇ ରାଜ୍ୟର ଅଧିକାରୀମାନେ ସହମତି ପ୍ରକାଶ କରିଛନ୍ତି ।

ପ୍ରଥମେ ଜୁଲାଇ 31 ପରେ ଚଳିତ ମାସ 17 ତାରିଖରେ ଜାତୀୟ ବନ୍ଧ ସୁରକ୍ଷା ସମିତିର ସବ କମିଟି ବୈଠକ ଦୁଇ ଦୁଇ ଡକାଯାଇ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା । ଓଡିଶା ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଗୁଣଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତିଶଗଡର 6ଜଣିଆ ପ୍ରତିନିଧି ଦଳ ଯୋଗ ଦେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ରାୟପୁରରେ ଅନୁଷ୍ଠିତ ଜାତୀୟ ବନ୍ଧ ସୁରକ୍ଷା ସମିତିର ନବମ ବୈଠକର ନିଷ୍କର୍ଷ କେତେଦୂର କାର୍ଯ୍ୟକାରୀ ହୋଇଛି ସେନେଇ ଆଲୋଚନା ହୋଇଛି ।

ମହାନଦୀ ଅପର ବେସିନର ଲ୍ୟାଣ ୟୁଜ ଲ୍ୟାଣ୍ଡ କଭର ମ୍ୟାପ ନିର୍ମାଣର ଅଗ୍ରଗତି, ରୁଲ କର୍ଭ ଏବଂ ଉପରମୁଣ୍ଡରେ ସବୁ ବୃହତ ଓ ମଧ୍ୟମ ବନ୍ଧର ଏସଓପି ଆଦାନ ପ୍ରଦାନ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ତେବେ ବନ୍ୟା ନିୟନ୍ତ୍ରଣ ପାଇଁ ସବୁଠାରୁ ଅଧିକ ଫୋକସରେ ଥିବା ଛତିଶଗଡର ରବିଶଙ୍କର ଓ ବଙ୍ଗୋ ବନ୍ଧର ବନ୍ୟା ପରିଚାଳନା ସଂପର୍କିତ ତଥ୍ୟ ନେଇ ସବିଶେଷ ଆଲୋଚନା ହୋଇଥିଲା । ଏହାଛଡା ଛତିଶଗର ସବୁ ବୃହତ ଓ ମଧ୍ୟମ ଜଳଭଣ୍ଡାରର ଗଜ ଷ୍ଟେସନର ବର୍ଷାହାର, ଜଳସ୍ତର ଓ ଜଳପ୍ରବାହ ନେଇ ତଥ୍ୟ ଆଦାନ ପ୍ରଦାନ ପ୍ରକ୍ରିୟାକୁ ଅଧିକ ଅଧିକ ବୈଷୟିକ ଢଙ୍ଗରେ କରିବାକୁ ନିଷ୍ପତ୍ତି ହୋଇଛି ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଉପର ମୁଣ୍ଡରେ ବର୍ଷା ହାର ଓ ଜଳପ୍ରବାହ ମାପିବା ପାଇଁ ଟେଲିମେଟ୍ରି ବ୍ୟବସ୍ଥାର ପ୍ରଚଳନ ସହ ଅଧିକ ଗଜ ଷ୍ଟେସନ ସ୍ଥାପନ ଓ ଓଡିଶାକୁ ଛତିଶଗଡରୁ ବନ୍ୟା ପାଣି ଛାଡିବା ସଂପର୍କିତ ସୂଚନା ପ୍ରଦାନ ପାଇଁ ସାଟେଲାଇଟ ଫୋନର ବ୍ୟବହାର କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ମହାନଦୀ ବେସିନର ସବୁ ବନ୍ଧର ସୁରକ୍ଷା ଓ ଜଳଭଣ୍ଡାର ପଟୁ ସମସ୍ୟା ନେଇ ବି ଆଲୋଚନା ହୋଇଛି । ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସମସ୍ତେ ଏଡାଇ ଯାଇଛନ୍ତି । ଛତିଶଗଡରେ ନିର୍ମାଣ ସରିଥିବା ଏବଂ ଆଗକୁ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ସଂପର୍କରେ ସୂଚନା ଆଦାନ ପ୍ରଦାନ ପ୍ରସଙ୍ଗକୁ ଓଡିଶା ପକ୍ଷରୁ କେହି ଉଠାଇଲେ ନାହିଁ । ଛତିଶଗଡ ଟିମ ମଧ୍ୟ ଏହାକୁ ଏଡାଇ ଯାଇଛି ।

ଛତିଶଗଡ ଟିମର ମୁଖ୍ୟ ତଥା ରାୟପୁରସ୍ଥିତ ମହାନଦୀ ପରିଯୋଜନାର ମୁଖ୍ୟଯନ୍ତ୍ରୀ ସଂଜୟ ଭାଗବତ କହିଥିଲେ ଯେ, ବୈଠକରେ କେବଳ ବନ୍ୟା ନିୟନ୍ତ୍ରଣ ଓ ସବୁ ବନ୍ଧର ସୁରକ୍ଷା ସଂପର୍କରେ ତଥ୍ୟ ଆଦାନ ପ୍ରଦାନ ନେଇ ଆଲୋଚନା ହୋଇଛି । ଅଣମୌସୁମୀରେ ଓଡିଶାକୁ ପାଣି ଛଡାଯିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ । ଓଡିଶା ଯନ୍ତ୍ରୀ ଗୁଣଧର ମିଶ୍ର ମଧ୍ୟ ଅନୁରୂପ ଢଙ୍ଗରେ ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ବୈଠକରେ କେବଳ ବନ୍ୟା ନିୟନ୍ତ୍ରଣ ସଂପର୍କରେ ଆଲୋଚନାରେ ସୀମିତ ଥିଲା ।

ମହାନଦୀ ବିବାଦରେ ରାଜ୍ୟ ସରକାରଙ୍କ ଦାବିରେ ଟ୍ରିବୁନାଲ ଗଠନ ହୋଇଛି । ତେଣୁ ଛତିଶଗଡର ବିଭିନ୍ନ ପ୍ରକଳ୍ପ ସଂପର୍କରେ ବିସ୍ତ୍ରୁତ ତଥ୍ୟ ଆଦାୟ ପାଇଁ ବୈଠକରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲା । ତଥାପି ଓଡିଶାର ଅଧିକାରୀମାନେ ଏହି ପ୍ରସଙ୍ଗକୁ ଏଡାଇଯିବା ସମସ୍ତଙ୍କୁ ଚକିତ କରିଛି ।

Share

Leave a Reply

Your email address will not be published. Required fields are marked *

12 + thirteen =