ମହାନଦୀ-ତେଲକୁ ନେଇ ଅଡୁଆରେ ବିଜେପି

ଭୁବନେଶ୍ବର, 04/06 (ନିପ୍ର): ବିଭିନ୍ନ ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଉପନିର୍ବାଚନ ଫଳାଫଳକୁ ନେଇ ବିଜେପି ଶୀର୍ଷ ନେତୃତ୍ବ ଚିନ୍ତାରେ ଥିବାବେଳେ ମହାନଦୀ ଓ ତେଲ ଦରକୁ ନେଇ ଓଡିଶା ନେତାମାନେ ଅଡୁଆରେ ପଡିଛନ୍ତି । ଆଗାମୀ ନିର୍ବାଚନରେ ଅଧିକ ଆସନରେ ବିଜୟୀ ହେବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଓଡିଶା ଉପରେ ଭରସା କରିଥିଲେ ହେଁ ସେ ଦିଗରେ କାମ କରୁନଥିବା ପରିଲକ୍ଷିତ ହେଉଛି ।

ଆଗାମୀ ନିର୍ବାଚନରେ ଉତ୍ତର ଭାରତରେ ବିଜେପି ପୂର୍ବ ଭଳି ସଫଳତା ପାଇବ ନାହିଁ ବୋଲି କେନ୍ଦ୍ରୀୟ ନେତା ହୃଦୟଙ୍ଗମ କରିସାରିଲେଣି । ଏଡି କ୍ଷତି ଭରଣା ଉତ୍ତର-ପୂର୍ବାଞ୍ଚଳ, ପଶ୍ଚିମବଙ୍ଗ ଏବଂ ଓଡିଶାରୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ବିଜେପିର ଏହି ଯୋଜନାରେ ମହାନଦୀ ଓ ତୈଳ ଦର ସମସ୍ୟା ଏବେ ବାଧକ ସାଜିବାରେ ଳାଗିଛି । ଯାହାଫଳରେ ରାଜ୍ୟ କ୍ଷମତା ହାସଲ ପାଇଁ ସ୍ବପ୍ନ ଦେଖୁଥିବା ବିଜେପି ୧୮ବର୍ଷର ସରକାର ବିରୋଧରେ ଆକ୍ରାମକ ହେବା ପରିବର୍ତେ ଏବେ ନିଜକୁ କିପରି ମହାନଦୀ ଓ ତୈଳ ଦର ସମସ୍ୟାରୁ ବଞ୍ଚାଇ ହେବ ସେହି ଚିନ୍ତାରେ ରହୁଥିବା ପରିଲକ୍ଷିତ ହେଉଛି ।

ବିଭିନ୍ନ ପ୍ରସଙ୍ଗରେ ଆଉ କେନ୍ଦ୍ର ଅବହେଳା କଥା ଆଉ କାମ କରିବ ନାହିଁ ବୋଲି ରାଜ୍ୟ ସରକାର ଭଲ ଭାବରେ ବୁଝିସାରିଲେଣି । ତେଣୁ ରାଜ୍ୟ ସରକାର ଏବେ ମହାନଦୀରେ ଛତିଶଗଡର ବିଜେପି ସରକାର ଦ୍ବାରା ପାଣି ଅଟକାଇବା ପାଇଁ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ଲୋକମତ ସୃଷ୍ଟି କରିବାରେ ଲାଗିଛନ୍ତି । ଏହା ମଧ୍ୟ କିଛି ପରିମାଣରେ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହେବାରେ ଲାଗିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତୈଳ ଦର ପ୍ରସଙ୍ଗ । ଏବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଅଛନ୍ତି ଓଡିଆ ନେତା ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଅଡୁଆରେ ପକାଇବାକୁ ଚେଷ୍ଠା କରୁଛନ୍ତି । ତେଣୁ ବିଜେଡି ମହାନଦୀ ଓ ତୈଳ ଦର ସମସ୍ୟାକୁ ନେଇ ଲୋକମାନଙ୍କ ନିକଟତର ହେବାରେ ଲାଗିଛି ।

ମହାନଦୀ ଓ ତୈଳ ଦର ସମସ୍ୟାକୁ କେନ୍ଦ୍ରର ବିଜେପି ସରକାର ଶୀଘ୍ର ସମାଧାନ କରିବା ସ୍ଥିତିରେ ନାହାନ୍ତି । ଚଳିତ ବର୍ଷ ଛତିଶଗଡରେ ନିର୍ବାଚନ ଥିବାରୁ ମହାନଦୀ ପ୍ରସଙ୍ଗରେ ସେଠାକାର ମତଦାତାମାନଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେପି ଚାହୁଁନାହିଁ । କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ କରିଛି । କିନ୍ତି ଟ୍ରିବ୍ୟୁନାଲରୁ ଏତେ ଶୀଘ୍ର ଓଡିଶା ତାର ନ୍ୟାର୍ଯ୍ୟ ଦାବି ପାଇବ ନାହିଁ ।  ଯାହାକି ବିଜେପିକୁ ଅଡୁଆରେ ପକାଇବା ପାଇଁ ଶାସକ ବିଜେଡିକୁ ଅପୂର୍ବ ସୁଯୋଗ ଆଣି ଦେଇଛି । ସେହିପରି ତୈଳ ଦର ପ୍ରସଙ୍ଗରେ ମଧ୍ୟ ବିଜେପି ରକ୍ଷଣାତ୍ମକ ମୁଦ୍ରାରେ ରହିଛି । ତୈଳ ଦର ଉପରେ କାବୁ ପାଇବାକୁ ହେଲେ ଏହାକୁ ଜିଏସଟି ଅଧିନକୁ ଆଣିବାକୁ ପଡିବ । ଏଦିଗରେ କେନ୍ଦ୍ର ପେଟ୍ରୋଲିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ଦେଇ ସାରିଥିଲେ ହେଁ ପେଟ୍ରୋଲକୁ ଜିଏସଟି ଅଧିନକୁ ଆଣିବା ପାଇଁ ରାଜ୍ୟ ସରକାରମାନେ ଇଛା ପ୍ରକାଶ କରୁନାହାନ୍ତିି । ଯାହାକି ବିଜେପି ପାଇଁ ଓଡିଶା ସମେତ ସାରା ଦେଶରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

7 − one =