ଜଗନ୍ନାଥଙ୍କ ପାଇଁ ବିରୋଧୀ ନିଷ୍କ୍ରିୟ

ଭୁବନେଶ୍ବର, 04/06 (ନିପ୍ର): ପୁରୀ ଶ୍ରୀମନ୍ଦିର ଭଣ୍ଡାରଘର ଚାବି ନିଖୋଜ ଘଟଣାକୁ ନେଇ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଥିବାବେଳେ ବିରୋଧିଦଳ ଗୁଡିକ ଏହି ପ୍ରସଙ୍ଗରେ ସେଭଳି ତତ୍ପରତା ଦେଖାଉନଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ମାମଲାରେ ବିବୃତ୍ତିଟିଏ ଦେଇ ଉଭୟ ବିଜେପି ଓ କଂଗ୍ରେସ ନିଜର ଦାୟିତ୍ବ ସାରି ଦେଇଥିବାବେଳେ ରାଜରାସ୍ତାକୁ ଓହ୍ଲାଇବାପାଇଁ କେହି ବି ଉଚିତ୍‍ ମଣୁନାହାନ୍ତି ।

ଭଣ୍ଡାରଘର ଚାବି ନିଖୋଜ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଓ ବିବୃତ୍ତିରେ ସୀମିତ ଅଛନ୍ତି । ଶାସକ ବିଜେଡି ଏହି ବିପଦରୁ ମୁକୁଳିବାପାଇଁ ବାଟ ଖୋଜି ଶେଷରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଛି । ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ମୁହଁ ଖୋଲିନଥିବାବେଳେ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ଓ ପୁରୀ ଗଜପତି ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ଠାରୁ ଆରମ୍ଭକରି ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଛି । ପୁରୀ ସିଂହଦ୍ବାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାପରେ ଏହାର କର୍ମକର୍ତ୍ତାମାନେ ମାମଲାର ସିବିଆଇ ତଦନ୍ତ ଦାବିକରି ଭୁବନେଶ୍ବର ସିବିଆଇ ଦପ୍ତର ସମ୍ମୁଖେରେ ଧାରଣା ଦେଇଛନ୍ତି । ମାତ୍ର କେତେଜଣ ହାତଗଣତି ଲୋକ ପୁରୀ ଠାରୁ ରାଜଧାନୀ ପର୍ଯ୍ୟନ୍ତ କମ୍ପାଉ ଥିବାବେଳେ ଦିନରାତି କ୍ଷମତା ପାଇବାର ଅଙ୍କ କଷୁଥିବା ବିରୋଧିଦଳ ଗୁଡିକର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେହେତୁ ବିରୋଧିଦଳ ଗୁଡିକ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉ ନାହାନ୍ତି ତେଣୁ ସାଧାରଣ ଲୋକେ ବି ଏ କ୍ଷେତ୍ରରେ ଏକ ପ୍ରକାର ପଛଘୁଞ୍ଚା ଦେଉଛନ୍ତି । ଇଚ୍ଛା ଥିଲେ ବି ଜଗନ୍ନାଥଙ୍କ ପ୍ରସଙ୍ଗରେ କେହି ପାଟି ଫିଟାଉ ନାହାନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ହିନ୍ଦୁ ଓ ହିନ୍ଦୁଧର୍ମର ରକ୍ଷାକର୍ତ୍ତା ଭାବେ ନିଜକୁ ପ୍ରତିପାଦନ କରୁଥିବା ଜାତୀୟ ସ୍ତରର ସଂଗଠନ ଗୁଡିକ ଏ କ୍ଷେତ୍ରରେ ଅତି ମାତ୍ରାରେ ନିରବ । କଥା କଥାକେ ଅନ୍ୟ ଧର୍ମକୁ ନିନ୍ଦା କରିବା, ଆକ୍ରମଣ କରିବା ସହିତ ନିଜକୁ ହିନ୍ଦୁବାଦୀ ଓ ଭାରତ ଏକ ହିନ୍ଦୁରାଷ୍ଟ୍ର ବୋଲି କହୁଥିବା ଏହି ସଂଗଠନ ମାନେ କାହିଁକି ଜଗନ୍ନାଥଙ୍କ ପ୍ରସଙ୍ଗରେ ବିବୃତ୍ତିଟିଏ ଦେଉନାହାନ୍ତି ତାହା ଏବେ ଓଡିଶାବାସୀଙ୍କ ମନରେ ହଜାରେ ପ୍ରଶ୍ନ ଛିଡା କରିଛି । ଜଗନ୍ନାଥଙ୍କ ନାଁରେ ଭୋଟ ମାଗୁଥିବା ଓ ରାଜନୀତି କରୁଥିବା ଏହି ରାଜନୈତିକ ଦଳ ଓ ସଂଗଠନ ଗୁଡିକକୁ ଆଗାମୀ ଦିନରେ ରାଜ୍ୟବାସୀ କେବେ ବି କ୍ଷମା କରିବେନାହିଁ ବୋଲି ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

thirteen + 9 =