ମହାନଦୀ ପାଇଁ ଷ୍ଟିଅରିଂ କମିଟି

ଭୁବନେଶ୍ବର, 04/06 (ନିପ୍ର): ମହାନଦୀ ସୁରକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ସକାଶେ ବିଜୁ ଜନତା ଦଳ ପ୍ରସ୍ତୁତ ହେଉଥିବା ବେଳେ ଆଜି ମହାନଦୀ ଓ ପୋଲାଭରମ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟିୟରିଂ କମିଟି ଗଠନ କରିଛନ୍ତି । ଏହି କମିଟିରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଥିବାବେଳେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ନିକଟରେ ବିଜେଡିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଅଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡର ବେଆଇନ୍‍ ବନ୍ଧ ନିର୍ମାଣକୁ ବିରୋଧକରି ବିଜେଡି ମହାନଦୀ ସୁରକ୍ଷା ଆନ୍ଦୋଳନ ଜାରି ରଖିଛି । ଦୁଇଟି ପର୍ଯ୍ୟାୟର ଆନ୍ଦୋଳନ ସରିବାପରେ ଏବେ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ଖୁବ୍‍ଶୀଘ୍ର ହେବବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ପୋଲାଭରମ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିବାବେଳେ ଓଡିଶା ସମେତ ୫ଟି ରାଜ୍ୟକୁ ସେମାନଙ୍କ ପକ୍ଷ ରଖିବାଲାଗି ଇତି ମଧ୍ୟରେ ଅଦାଲତ ପକ୍ଷରୁ ନୋଟିସ୍‍ ଜାରି ହୋଇଛି ।

ରାଜ୍ୟର ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ମଧ୍ୟ ମହାନଦୀ ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ବିଜେପି ପକ୍ଷରୁ ମହାନଦୀ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବା ଅପେକ୍ଷା ଅଦାଲତରେ ନିଜ ଦୃଢ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିବାବେଳେ କଂଗ୍ରେସ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଓଡିଶା ବନ୍ଦ କରିବାନେଇ ସୂଚନା ଦେଇଛି । ଏଭଳି ସମୟରେ ବିଜେଡି ଉଭୟ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଷ୍ଟିୟରିଂ କମିଟି ଗଠନ କରିଥିବାରୁ ଏହା ଉପରେ ଏବେ ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

3 × two =