ଜଗନ୍ନାଥଙ୍କ ପାଇଁ ୫ କମିଶନ, ଫଳ ଶୂନ

ଭୁବନେଶ୍ବର, 04/06 (ନିପ୍ର): ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତଦନ୍ତ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ବୋଧହୁଏ ସରକାର ଭୁଲିଯାଇଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଘଟିଥିବା ବିଭିନ୍ନ ବିଭ୍ରାଟ ସଂକ୍ରାନ୍ତରେ ଗତ କିଛି ବର୍ଷ ମଧ୍ୟରେ ଅନ୍ୟୁନ ୫ଟି ତଦନ୍ତ କମିଶନ ବସିଲାଣି । କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କମିଶନଙ୍କ ରିପୋର୍ଟ ହଜିଯାଉଥିବା ଘଟଣାର ତଦନ୍ତ ଦାୟିତ୍ବ ଅନ୍ୟ ଏକ କମିଶନକୁ ଦିଆଗଲେ ବି ହଜିଲା ରିପୋର୍ଟ ନ ମିଳିବା ଘଟଣା ରହସ୍ୟମୟ ହୋଇ ରହିଯାଉଛି ।

ପୁରୀ ଶ୍ରୀମନ୍ଦିର ପରିସରରେ ନାଗାର୍ଜୁନ ବେଶ ଅବସରରେ ଘଟିଥିବା ଅଘଟଣ ସଂକ୍ରାନ୍ତରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜୀବନ ମୋହନ ମହାପାତ୍ରଙ୍କୁ ରାଜ୍ୟ ସରକାର ତଦନ୍ତ ଦାୟିତ୍ବ ଦେଇଥିଲେ । ପ୍ରାୟ ୨ ବର୍ଷ ଧରି ତଦନ୍ତ କରିବା ପରେ ଜଷ୍ଟିସ୍‍ ମହାପାତ୍ର ତାଙ୍କ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସମୟରେ ଫଟୋଚିତ୍ର ସମ୍ବାଦ ସହିତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କମିଶନ୍‍ଙ୍କ ରିପୋର୍ଟ ବି ଅମଲାତନ୍ତ୍ରର ନଥିତଳେ ଚାପି ହୋଇ କୁଆଡ଼େ ହଜିଗଲା । ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହୋଇଥିବା ଦଳାଚକଟା ସଂକ୍ରାନ୍ତରେ ତଦନ୍ତ ଲାଗି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ପି.କେ ମହାନ୍ତିଙ୍କୁ କମିଶନ ଭାବେ ନିଯୁକ୍ତି ଦେଇଥିଲେ । ଜଷ୍ଟିସ୍‍ ମହାପାତ୍ର କମିଶନ ରିପୋର୍ଟ ହଜିବା ସଂକ୍ରାନ୍ତରେ ବି ତଦନ୍ତ ଲାଗି ଜଷ୍ଟିସ୍‍ ମହାନ୍ତି କମିଶନଙ୍କୁ କୁହାଯାଇଥିଲା । ଜଷ୍ଟିସ୍‍ ମହାନ୍ତି କମିଶନ ବାବଦରେ ପ୍ରାୟ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଓ ରିପୋର୍ଟ ବି ୨୦୦୯ରେ ସରକାରଙ୍କ ହସ୍ତଗତ ହେଲା । କିନ୍ତୁ ଜଷ୍ଟିସ୍‍ ମହାପାତ୍ର ତଦନ୍ତ କମିଶନ ରିପୋର୍ଟ ଅନ୍ଧାରରେ ରହିଗଲା ।

ଗତ ନବକଳେବର ସମୟରେ ଘଟ ପରିବର୍ତ୍ତନ ବିଭ୍ରାଟ ଅଭିଯୋଗର ତଦନ୍ତ ୨୦୧୫ ମସିହାରେ ଶ୍ରୀମନ୍ଦିରର ତକ୍ରାଳୀନ ମୁଖ୍ୟ ପ୍ରଶାସକ ଆରମ୍ଭ କରିଥିଲେ । ତିନିବର୍ଷ ପରେ ୨୦୧୮ରେ ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମିଳିଛି । ଏହି ରିପୋର୍ଟ ଉପରେ ତର୍ଜମା ପାଇଁ ଏକ ତିନିଜଣିଆ କମିଟି ବି ଗଢ଼ାଯାଇଛି । କିନ୍ତୁ ଏଯାବତ୍‍ ଏହି ରିପୋର୍ଟ ସାର୍ବଜନୀନ ହୋଇନାହିଁ ।

ପୁରୀ ଶ୍ରୀମନ୍ଦିରରେ ଲାଗି ରହିଥିବା ଅବ୍ୟବସ୍ଥା ପ୍ରସଙ୍ଗରେ ସଂସ୍କାର ନିମନ୍ତେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ୨୦୧୬ ମସିହାରେ ଅନ୍ୟ ଏକ କମିଶନ ଗଠନ କରାଯାଇଥିଲା । ଏହି କମିଶନ ଇତିମଧ୍ୟରେ ୨ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ତେବେ ଜଷ୍ଟିସ୍‍ ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧିନ ଥିବାରୁ ବସ୍ତୁତଃ ଏହି କମିଶନ ଅଚଳ ହୋଇପଡ଼ିଛି । ଏହି କମିଶନ ବାବଦରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ସରିଥିବା ସରକାର ସ୍ବୀକାର କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା ଘେନି ଗତ ଏପ୍ରିଲ୍‍ ମାସରୁ ଜଣାପଡ଼ିବା ପରେ ଏ ସଂକ୍ରାନ୍ତରେ ବିଚାର ବିଭାଗୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଦନ୍ତ କମିଶନଙ୍କ ‘ଟର୍ମସ୍‍ ଅଫ୍‍ ରେଫରେନ୍ସ’ ପ୍ରସ୍ତୁତ ପରେ କମିଶନ୍‍ ଅଫ୍‍ ଇନକ୍ବାରୀ ଆକ୍ଟ ଅନୁଯାୟୀ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ କମିଶନ ଭାବେ ନିଯୁକ୍ତି ଦିଆଯାଇ ତାଙ୍କୁ ତିନିମାସ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି ବିଜ୍ଞପ୍ତି ମାଧ୍ୟମରେ କୁହାଯିବ । ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ରତ୍ନଭଣ୍ଡାରର ଭିତର ଓ ବାହାର ପାଖରେ ରଖାଯାଇଥିବା ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଥିଲା । ନିୟମିତ ବ୍ୟବଧାନରେ ରତ୍ନଭଣ୍ଡାରର ସମ୍ପତ୍ତି ୪୦ ବର୍ଷ ଧରି ଯାଞ୍ଚ ହୋଇନଥିବା ପରିପ୍ରେକ୍ଷୀରେ ଭଣ୍ଡାରର ଚାବି ହଜିବା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

one × three =