ଶ୍ରୀକାନ୍ତଙ୍କ ଉପରେ ନିରଞ୍ଜନଙ୍କ ମଧୁର ପ୍ରତିଶୋଧ!

ଭୁବନେଶ୍ବର, (ନି.ପ୍ର.): ବିଗତ କିଛି ବର୍ଷ ଧରି ପଟ୍ଟନାୟକ ପରିବାର ବିରୁଦ୍ଧରେ ବିଷ ଉଦଗୀରଣ କରୁଥିବା ଶ୍ରୀକାନ୍ତ ଜେନା ଏବେ ଅଡୁଆରେ । ନିରଞ୍ଜନ ପଟ୍ଟନାୟକ ଗତ ମାସରେ ପିସିସି ସଭାପତି ହେବା ପରେ ତାଙ୍କୁ ମୂଳରୁ ବଦନାମ କରିବା ପାଇଁ ଶ୍ରୀକାନ୍ତ ଜେନା ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ଏବେ କଂଗ୍ରେସ ରାଜନୀତିର ପଶା ଓଲଟିବାରେ ଲାଗିଛି । ଯେଉଁ ଶ୍ରୀକାନ୍ତଙ୍କ ଯୋଗୁଁ ନିରଞ୍ଜନ ହଟହଟା ହେଉଥିଲେ ତାଙ୍କୁ ଆଗାମୀ ନିର୍ବାଚନରେ କିପରି ଅପଦସ୍ତ କରାଯିବ ସେ ବ୍ୟବସ୍ଥା ଏବେଠାରୁ କରିସାରିଲେଣି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।

ରାଜନୈତିକ ସ୍ତରରେ ଶ୍ରୀକାନ୍ତଙ୍କୁ ଅପଦସ୍ତ ଆଉ ସବୁବେଳେ ଚିନ୍ତାରେ ରଖିବା ପାଇଁ ଗତ ଦୁଇ ଦିନ ତଳେ ଯୋଜନା ଆରମ୍ଭ ହୋଇଛି । କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ପୁରୁଣା ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ଯୋଜନାରେ ବାଲେଶ୍ବରର ପୂର୍ବତନ କଂଗ୍ରେସ ସାଂସଦ ଡ.କାର୍ତ୍ତିକେଶ୍ବର ପାତ୍ର ପୁଣି ଦଳକୁ ଫେରିଆସିଛନ୍ତି । ୨୦୦୯ନିର୍ବାଚନରେ ବାଲେଶ୍ବର ଲୋକସଭା ଆସନରୁ ଶ୍ରୀକାନ୍ତ ଜେନା କଂଗ୍ରେସ ପ୍ରାର୍ଥୀ ହେବା ପରେ କାର୍ତ୍ତିକେଶ୍ବର ପାତ୍ର ଦଳ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ । ୨୦୦୯ରେ ଶ୍ରୀକାନ୍ତ ଜେନା ବିଜୟଲାଭ କରି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । କିନ୍ତୁ ୨୦୧୪ ନିର୍ବାଚନରେ ଶ୍ରୀକାନ୍ତ ଜେନା ବାଲେଶ୍ବରରୁ ପ୍ରାର୍ଥୀ ହୋଇ ୩ୟ ସ୍ଥାନରେ ରହିଥିଲେ ।

ପ୍ରାୟ ୧୦ବର୍ଷ ପରେ କଂଗ୍ରେସକୁ ଫେରିଥିବା ପୂର୍ବତନ ସାଂସଦ ଡ. ପାତ୍ର ଆଗାମୀ ନିର୍ବାଚନରେ ବାଲେଶ୍ବରରୁ ଦଳୀୟ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି । କାରଣ ଏହି ଆସନରୁ ଡ. ପାତ୍ର ୧୯୯୦ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଯଦି ଡ. ପାତ୍ର ବାଲେଶ୍ବରରୁ ଆଗାମୀ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହୁଅନ୍ତି ତେବେ ଶ୍ରୀକାନ୍ତଙ୍କୁ ଅନ୍ୟ ଏକ ଆସନ କିମ୍ବା ତାଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡା ଆସନରୁ ଲଢିପାରନ୍ତି । କିନ୍ତୁ କେନ୍ଦ୍ରପଡାରେ ପୁଣି ୩ୟ ସ୍ଥାନରେ ରହିବା ଆଶଙ୍କା ରହିଛି । ତେଣୁ ଶ୍ରୀକାନ୍ତ ଆଗାମୀ ନିର୍ବାଚନରେ ନଲଢିବାର ନିଷ୍ପତ୍ତି ନେଇ ମାର୍ଗଦର୍ଶକ ହେବା ପାଇଁ ଇଛା କରିପାରନ୍ତି ।

ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ମାଧ୍ୟମରେ ପଟ୍ଟନାୟକ ପରିବାରକୁ ସବୁବେଳେ ଅଡୁଆରେ ପକାଇ ସର୍ବନାଶ କରିବାର ପ୍ରୟାସ କରୁଥିବା ଶ୍ରୀକାନ୍ତଙ୍କ ଉପରେ ମଧୁର ପ୍ରତିଶୋଧର ନେବାର ଯୋଜନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି । ଏହି ଯୋଜନାରେ ଶ୍ରୀକାନ୍ତ କ୍ଷତିଗ୍ରସ୍ତ ହେଉଛନ୍ତି କି ପୁଣି କିଛି ନୂଆ ଫନ୍ଧି କରି ରାଜନୀତିରେ ନିଜ ବୁଦ୍ଧିମତାର ପରିଚୟ ଦେବେ ତାହା ଆଗାମୀ ଦିନରେ ଜଣାପଡିବ ।

Share

Leave a Reply

Your email address will not be published. Required fields are marked *

three × 3 =