ଖାରବେଳ ଭବନ : ପ୍ରଶାସନିକ ପରିବର୍ତ୍ତନ ଓ ଶିଳ୍ପ ବିକାଶର ପ୍ରତୀକ

ଭୁବନେଶ୍ୱର () ପବିତ୍ର ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନୂଆ ଓଡିଶା ସଚିବାଳୟ ଭବନର ଉଦଘାଟନ କରିଛନ୍ତି । ଏହି ଭବନକୁ ଓଡ଼ିଶାର ପ୍ରଖ୍ୟାତ ଶାସକ ଖାରବେଳଙ୍କ ନାମରେ ନାମିତ କରାଯାଇଛି । ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଏହି ଭବନ ଆଗାମୀ ଦିନରେ ରାଜ୍ୟରେ ପରିବର୍ତ୍ତନ ଓ ପ୍ରଶାସନର ନୂଆ ଯୁଗ ସୃଷ୍ଟି କରିବ ।

ପ୍ରଶାସନରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ଏକାଭିମୁଖୀତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଭବନର ପ୍ରତିଷ୍ଠା କରାଯାଇଛି । ଏହି ନୂଆ ସଚିବାଳୟ ଭବନ ଆଗାମୀ ଦିନରେ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ । କାରଣ ଏଠାରେ ଶିଳ୍ପ ଏବଂ ରାଜ୍ୟ ବିକାଶ ସହ ସମ୍ପୃକ୍ତ ସବୁ ବିଭାଗ କାର୍ଯ୍ୟ କରିବେ ।

8.3 ଏକର ପରିମିତ ଅଂଚରେ ନିର୍ମିତ 30 ହଜାର ବର୍ଗ ମିଟରର ଏହି ଭବନରେ 11ଟି ବିଭାଗ କାର୍ଯ୍ୟ କରିବେ । ଏହିସବୁ ବିଭାଗ ଏବେ ଲୋକ ସେବା ଭବନରେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶିଳ୍ପ ଓ ଏମଏସଏମଇ ଭଳି 11ଟି ବିଭାଗ ଏହି ଭବନରେ କାର୍ଯ୍ୟ କରିବେ । ଶିଳ୍ପର ବିକାଶରେ ଉଭୟ ଶିଳ୍ପ ଓ ଏମଏସଏମଇ ବିଭାଗ ମଧ୍ୟରେ ଉତ୍ତମ ତାଳମେଳର ଆବଶ୍ୟକତା ରହିଥିବାରୁ ଏହି ଦୁଇ ବିଭାଗକୁ ସପ୍ତମ ମହଲରେ ସ୍ଥାନ ଦିଆଯାଇଛି । ସେହିଭଳି ଶକ୍ତି, ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ଓ ଇଏସଆଇ ଭଳି ବିଭାଗ ମଧ୍ୟ ଏଠାରେ କାମ କରିବେ । ଶିଳ୍ପର ଅଭିବୃଦ୍ଧି ସହ ବିକାଶ ପାଇଁ ଏହିସବୁ ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ବୁଝାମଣାର ଆବଶ୍ୟକତା ରହିଥିବା ବେଳେ ଉଭୟ ସରକାର ଓ ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ବେଶ ସହାୟକ ହେବ ।

ଗୋଟିଏ ଛାତ ତଳେ ଶିଳ୍ପ ସମ୍ପର୍କିତ ସବୁ ବିଭାଗ କାର୍ଯ୍ୟ କରିବା ଦ୍ୱାରା ଶିଳ୍ପାନୁଷ୍ଠାନଗୁଡିକ ଆବଶ୍ୟକ ମଞ୍ଜୁରୀ ପାଇବା ସହଜ ହେବ । ପୁଞ୍ଜିନିବେଶକାରୀଙ୍କୁ ଏଣିକି ଆଉ ବିଭିନ୍ନ ଅଫିସର ଚକର କାଟିବାକୁ ପଡିବନି । ଏହି ଭବନ ସେମାନଙ୍କ ପାଇଁ ସିଙ୍ଗଲ ୱଣ୍ଡୋ ଭଳି କାର୍ଯ୍ୟ କରିବ ।

ଏହି ଭବନରେ ଏଲେକଟ୍ରୋନିକ୍ସ ଓ ଆଇଟି, ବିଜ୍ଞାନ ଓ କାରିଗରୀ, ବାଣିଜ୍ୟ ଓ ପରିବହନ, ଗୃହ ଓ ନଗର ଉନ୍ନୟନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟ କାର୍ଯ୍ୟ କରିବେ ।

ଖାରବେଳ ଭାବନକୁ ଏହି ବିଭାଗ ଗୁଡିକର ସ୍ଥାନାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ 5-ଟି କାର୍ଯ୍ୟକ୍ରମରେ ପରିବର୍ତ୍ତନର ଏକ ସଂକେତ । ଏହି ଭବନରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଏଠାରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ କନ୍ଫରେନ୍ସ ରୁମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ବିକାଶ ମୂଳକ ଯୋଜନା କାର୍ଯ୍ୟକାରୀତାର ସମୀକ୍ଷା କରିପାରିବେ ।

ଯଥାର୍ଥରେ ଏହି ଭବନକୁ ଖାରବେଳଙ୍କ ନାମରେ ନାମିତ କରାଯାଇଛି । କାରଣ ଖାରବେଳ ଏଭଳି ଜଣେ ଶାସକ ଥିଲେ ଯିଏ ତାଙ୍କ ଭଲ କାମ ପାଇଁ ଜଣାଶୁଣା ଏବଂ ସେ ହିଁ ନିଜ ଶାସନକୁ ଲୋକାଭିମୁଖୀ କରିଥିଲେ । ଆଗାମୀ ଦିନରେ ପ୍ରଶାସନର 11ଟି ବିଭାଗକୁ ଗୋଟିଏ ଛାତ ତଳେ ଅଣାଯିବା ନିଶ୍ଚିତ ଭାବେ ବିକାଶ ଧାରା କ୍ରିୟାଶୀଳ ହେବ ।

Share

Leave a Reply

Your email address will not be published. Required fields are marked *

1 × 2 =