ଓଡ଼ିଶାର ବାତ୍ୟା ମୁକାବିଲାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

17ହଜାର କୋଟିର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

କ୍ରମାଗତ ବିପର୍ଯ୍ୟୟ ଦୃଷ୍ଟିରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଦୋହରାଇଲେ ନବୀନ

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବାକୁ ଭୁବନେଶ୍ୱର ଆସିଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା ଅଂଚଳ ପରିଦର୍ଶନରେ ଯାଇଥିଲେ । ପରେ ଭୁବନେଶ୍ୱରରେ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ ।

ଫନି ଭଳି ଏକ ଭୟଙ୍କର ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ସାରା ବିଶ୍ୱ ପାଇଁ ଏକ ଉଦାହାରଣ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିବା ସହ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଏକାଠି ମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚଳିତ ବାତ୍ୟାର କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି 1000 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଓ ଏହି ଦାବିକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ 1000 କୋଟି ଟଙ୍କାର ମଧ୍ୟବର୍ତ୍ତୀ ସହାୟତା ଘୋଷଣା କରିଥିଲେ ।

ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଏକ ଉପସ୍ଥାପନା ଦିଆଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ 17 ହଜାର କୋଟି ଟଙ୍କାର ଦୀର୍ଘମିଆଦି ସହାୟତା ଦାବି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ବିପନ୍ନଙ୍କ ଜୀବନ ରକ୍ଷା କରି ଆମେ ଏକ ବିଶ୍ୱସ୍ତରୀୟ ମାନକ ସୃଷ୍ଟି କରିଛୁ । ବର୍ତ୍ତମାନ ଆମେ ଏକ ବିପର୍ଯ୍ୟୟ ପ୍ରତିରୋଧକ ଓଡିଶା ଗଠନ କରିବା ଦିଗରେ ମଧ୍ୟ ବିଶ୍ୱସ୍ତରୀୟ ମାନକ ସୃଷ୍ଟି କରିବା ଆବଶ୍ୟକ ।

ଓଡିଶା ଉପକୂଳ ବାତ୍ୟା ପ୍ରବଣ ହୋଇଥିବାରୁ ଏହି ଅଂଚଳରେ ବିଦ୍ୟୁତ ଭିତ୍ତିଭୂମି ଯେପରି ବାରମ୍ବାର କ୍ଷତିଗ୍ରସ୍ତ ନହେବ ସେଥିପାଇଁ ସେଗୁଡିକୁ ବିପର୍ଯ୍ୟୟ ପ୍ରତିରୋଧକ କରିବା ଆବଶ୍ୟକ । ଏଥିପାଇଁ 10 ହଜାର କୋଟି ଟଙ୍କାର ସହାୟତା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।

ବାତ୍ୟା ପ୍ରବଣ ଉପକୂଳ ଓଡିଶାରେ 5 ଲକ୍ଷ କଚ୍ଚା ଘରକୁ ବିପର୍ଯ୍ୟୟ ପ୍ରତିରୋଧକ ପକ୍କା ଘରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ 7 ହଜାର କୋଟି ଟଙ୍କା ଦାବି କରିଥିଲେ । ଏଥିରେ କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ 90 ଓ 10 ପ୍ରତିଶତ ରଖିବାକୁ ପ୍ରସ୍ତାବ ଦେଇଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍ ଯୋଗାଯୋଗର ଗୁରୁତ୍ବକୁ ଉପଲବ୍ଧି କରି ସମଗ୍ର ଉପକୂଳରେ ବିପର୍ଯ୍ୟୟ ପ୍ରତିରୋଧକ  ଟେଲି ଯୋଗାଯୋଗ ଭିତ୍ତିଭୂମି ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 2013ରେ ଓଡିଶାରେ ଫାଇଲିନ, 2014ରେ ହୁଡହୁଡ, 2015ରେ ମରୁଡି, 2018ର୍ବ ତିତିଲି ଓ 2019ରେ ଫନି ଓଡିଶାର ଅର୍ଥନୀତିକୁ ପ୍ରଭାବିତ କରୁଛି । ଏସବୁର ମୁକାବିଲା ଓ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଦାବିକୁ କେନ୍ଦ୍ର ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 − fifteen =