କାଳିଆ ଦ୍ବାରା ଉପକୃତ ହେବେ 75 ଲକ୍ଷ ଚାଷୀ, ଅତିରିକ୍ତ 3234 କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ବର () ରାଜ୍ୟର ଜଣେ ହେଲେ ଚାଷୀ କାଳିଆ ଯୋଜନାରୁ ବାଦ ପଡିବେ ନାହିଁ । ଏନେଇ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ପଂଚମ ପାଳିର ସରକାର ଗଠନର ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅତିରିକ୍ତ ଆଉ 32 ଲକ୍ଷ 34 ହଜାର କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ବା ଭାଗ ଚାଷୀ, ଭୂମିହୀନ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଅତିରିକ୍ତ 3ହଜାର 234 କୋଟି ଟଙ୍କାର ଆବଶ୍ୟକତା ରହିଛି । ମୂଳ ଯୋଜନାରେ 3 ବର୍ଷ ପାଇଁ 10ହଜାର 180 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା ।

ଚାଷୀ ଓ ଚାଷକୁ ସର୍ବାଧିକ ଗୁରୁତ୍ବ ଦେବାକୁ ରାଜ୍ୟ ସରକାର ଯେଉଁ ସଙ୍କଳ୍ପ ନେଇଥିଲେ ସେହି ପରିପ୍ରେକ୍ଷୀରେ ରାଜ୍ୟର ସବୁ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନାରେ ମୋଟ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ବା ଭାଗ ଚାଷୀ ଏବଂ 25 ଲକ୍ଷ ଭୂମିହୀନ କୃଷି ପରିବାର ଏହିପରି ମୋଟ ୭୫ ଲକ୍ଷ ଚାଷୀ ହେବ ଉପକୃତ ବୋଲି ଜୁନ 1 ତାରିଖରେ କୃଷି ଓ କୃଷିକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଇଯାଇଛି ।

କାଳିଆ ଯୋଜନାରେ ଆରମ୍ଭରୁ 42 ଲକ୍ଷ 66 ହଜାର କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ ବା ଭାଗଚାଷୀ ଏବଂ ଭୁମିହୀନ କୃଷି ପରିବାରକୁ ୨୦୧୮-୧୯ରେ ସାମିଲ କରି ଆର୍ଥିକ ସହୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ୨୦୧୯-୨୦ରେ ଏହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ ବା ଭାଗଚାଷୀଙ୍କ ସହ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡିବାକୁ ନିଷ୍ପତ୍ତି ହୋଇଥିଲା।

ନବୀନ ସରକାର ପଞ୍ଚମ ଥର ପାଇଁ କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଅତିରିକ୍ତ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ସୁବିଧା ଦେବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ଏହି ତାଲିକାରେ ଅଛନ୍ତି ୭.୫ ଲକ୍ଷ ଓ ୨୪.୮୪ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାର । ଏହା ଫଳରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଛି । ଏହି ୭୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ) ଥିବା ବେଳେ ଅବଶିଷ୍ଟ ୨୫ ଲକ୍ଷ ହେଉଛନ୍ତି ଭୂମିହୀନ ଚାଷୀ ପରିବାର ।

2018-19 ଆର୍ଥିକ ବର୍ଷରେ ଚାଷୀଙ୍କୁ ଗୋଟିଏ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ପରବର୍ତ୍ତି ପର୍ଯ୍ୟାୟ ସହାୟତା ପ୍ରଦାନ ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ତେଣୁ ସରକାରକୁ ଫେରିବା ପରେ ପ୍ରତିଶ୍ରୁତି ଅନୁଯାୟୀ ଆଉ 32 ଲକ୍ଷ 34 ହଜାର ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏଥିପାଇଁ ଅତିରିକ୍ତ 3ହଜାର 234 କୋଟି ଟଙ୍କାର ଆବଶ୍ୟତା ରହିଛି ।

Share

Leave a Reply

Your email address will not be published. Required fields are marked *

one × three =