ବଢ଼ିବ ମଦ କାରବାର, ସତର୍କ କଲେ ସଚିବ

ଭୁବନେଶ୍ବର (): ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ମଦର ଆବଶ୍ୟକତା ନେଇ ଚାହିଦା ବଢିଛି । ଆଗକୁ ମଧ୍ୟ ଏହି ଚାହିଦା ଆହୁରି ବଢିବ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଖୋଦ୍ ଅବକାରୀ ସଚିବ ନିକୁଞ୍ଜ ବିହାରୀ ଧଳ ।

ଗତ ୨୬ ତାରିଖରେ ସବୁ ଜିଲ୍ଲାପାଳଙ୍କୁ ଅବକାରୀ ସଚିବ ଲେଖିଥିବା ଚିଠିରେ କହିଛନ୍ତି ଯେ, ରାଜ୍ୟର ସ୍ବୀକୃତିପ୍ରାପ୍ତ ଚ୍ୟାନେଲ୍ରେ ବଢୁଥିବା ଚାହିଦା ଅନୁଯାୟୀ ମଦର ଆବଶ୍ୟକତା ପୂରଣ କରିବା ସମ୍ଭବ ନୁହେଁ । ଏହି ଦୃଷ୍ଟିରୁ କିଛି ଅସାଧୁ ବ୍ୟବସାୟୀ ଓ ମଦ ମାଫିଆ ବେଆଇନ ଓ ବିଷାକ୍ତ ଏବଂ ଔଷଧ ମିଶା ମଦ ପ୍ରସ୍ତୁତ କରି ଲୋକଙ୍କ ଆବଶ୍ୟକତାକୁ ପୂରଣକରିବାକୁ ଚେଷ୍ଟା କରିବେ । ଏହି ଦୃଷ୍ଟିରୁ ଯେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା କିମ୍ବା ବିଷାକ୍ତ ମଦମୃତ୍ୟୁକୁ ରୋକିବା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅବକାରୀ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଛନ୍ତି ।

ନିକଟରେ ନିର୍ବାଚନ କମିଶନ ଆସନ୍ତା ନିର୍ବାଚନ ସମୟରେ  ଅବକାରୀ ଏନଫୋର୍ସମେଣ୍ଟର ସମୀକ୍ଷା କରିବେବେଳେ ଉଦ୍ବେଗପ୍ରକାଶ କରିଛନ୍ତି । ବେଆଇନ ମଦ ଭାଟି ଓ ବିକ୍ରିକୁ ରୋକିବା ପାଇଁ ରହିଥିବା ଏନଫୋର୍ସମେଣ୍ଟ ଯଥେଷ୍ଟ ନୁହେଁ ବୋଲି ସେ କହିଥିଲେ । ଏ ମଧ୍ୟରେ ଗତ ୨୫ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ୨୦୦୮ ଅବକାରୀ ଆଇନ ଅନୁଯାୟୀ ପୋଲିସ ଅଧିକାରୀଙ୍କୁ ମଧ୍ୟ ମଦ କାରବାର ଉପରେ ନିୟନ୍ତ୍ରଣ ଆଣିବାକୁ କ୍ଷମତା ଦିଆଯାଇଛି । ଏହି ଦୃଷ୍ଟିରୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବହୁମୁଖୀ ସ୍କ୍ୱାଡ୍ ଗଠନ କରି ବେଆଇନ ମଦ ପ୍ରସ୍ତୁତ ଓ ବିକ୍ରିକୁ ନିୟନ୍ତ୍ରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + eleven =