ନବୀନଙ୍କ ଅଦରକାରୀଙ୍କୁ କୋଳାଉଛି ବିଜେପି, କଂଗ୍ରେସ

ଭୁବନେଶ୍ବର (): ରାଜ୍ୟରେ ବିଭିନ୍ନ ରାଜନୈତିକ ଘଟଣାକ୍ରମ ଓ ଉତ୍ଥାନ ପତନ ମଧ୍ୟରେ ନବୀନ ପଟ୍ଟନାୟକ ବହୁ ନେତାଙ୍କୁ ଦଳବିରୋଧୀ ଓ ବିଶ୍ବାସଘାତକତା ପାଇଁ ନିଜଠୁ ଦୂରେଇ ଦେଇଛନ୍ତି । ନବୀନ ଛି କରିଥିବା ନେତାମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ଛାଡିଦେଲେ ଆଉକେହି ବିଜେଡ଼ିକୁ ଫେରିପାରି ନାହାଁନ୍ତି । ଏହିଭଳି କିଛି ଅଦରକାରୀ ନେତା ଏବେ ବିଜେପି ଓ କଂଗ୍ରେସର ଗେହ୍ଲାପୁଅ ହୋଇଛନ୍ତି । ସେମାନଙ୍କୁ ଏହି ଦୁଇ ଜାତୀୟ ଦଳ ସାଦରେ ଗ୍ରହଣ କରିବାକୁ ଚେଷ୍ଟା ଚଳାଇଛି ।

ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ବାସଘାତକତା କରିଥିବା ନେତାଙ୍କ ମଧ୍ୟରୁ ବିଜୟ ମହାପାତ୍ର ପ୍ରଥମେ ଦଳରୁ ବାହାରିଥିଲେ । ଆଉ ସଂଯୋଗବଶତଃ ବୈଜୟନ୍ତ ପଣ୍ଡା ଏପର୍ଯ୍ୟନ୍ତ ତଡା ଖାଇଥିବା ନେତାଙ୍କ ତାଲିକାରେ ସବା ଶେଷରେ ଅଛନ୍ତି । ନବୀନଙ୍କ ପାଇଁ ଏହି ଦୁଇ ଅଦରକାରୀ ନେତାଙ୍କ ମଧ୍ୟରୁ ଜଣଙ୍କୁ ବିଜେପି ନିଜ କ୍ୟାମ୍ପରେ ସାମିଲ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉଜଣଙ୍କ ପଛରେ ଜୋକ ଭଳି ଲାଗିଛି କଂଗ୍ରେସ ।

ଚର୍ଚ୍ଚା ହେଉଛି ଆସନ୍ତାକାଲି ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ବିଜେପିରେ ମିଶିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧଭାବେ ପଦ୍ମଫୁଲିଆ ନେତା ହେବେ । ଯଦିଓ ଦଳ ତରଫରୁ କିମ୍ବା ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ରାଜନୈତିକ ମହଲରେ କିନ୍ତୁ ତାଙ୍କୁ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ବିଜେଡ଼ିରେ ଥିବା ସମୟରେ ବିଜେପି କ୍ୟାମ୍ପ ସହ ବେଶ ଭଲ ସମ୍ପର୍କରେ ଥିଲେ । ସଂସଦର ଅର୍ଥନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ପାଇଁ ଲୋଭେଇଥିବା ବୈଜୟନ୍ତଙ୍କ ଆଶା ପୂରଣ ନହେବାରୁ ସେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ବିରୋଧରେ ବିଷୋଦଗାର କରିଥିଲେ । ଏପରିକି ନବୀନଙ୍କ ନେତୃତ୍ବ ପ୍ରତି ପ୍ରଶ୍ନ ଉଠାଇଥିଲେ । ଏଥିସହ ସେ ବିଜେଡ଼ିରେ ରହି ଦଳର ବିଭାଜନ କରିବା ପାଇଁ ଚକ୍ରାନ୍ତ କରୁଥିବାରୁ ତାଙ୍କୁ ଦଳର ସବୁ ପଦପଦବୀରୁ କାଢ଼ି ଦିଆଗଲା । ଗତ ପ୍ରାୟ ଦେଢ଼ବର୍ଷ ଧରି ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲେ ବି ବାଟ ଫିଟିପାରୁନଥିଲା । ହେଉଥିବା ଚର୍ଚ୍ଚା ଅନୁଯାୟୀ ସେ ବିଜେପି ରାଜ୍ୟ ଓ କେନ୍ଦ୍ର ନେତୃତ୍ବର ସବୁ ସର୍ତ୍ତ ମାନିବା ପରେ ବିଜେପିରେ ଯୋଗଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିଭଳି ଆଉଜଣେ ଅଲୋଡା ନେତା ବିଜୟ ମହାପାତ୍ରଙ୍କୁ କଂଗ୍ରେସ କୋଳେଇ ନେବାକୁ ଗତପ୍ରାୟ ମାସେ ହେଲା ଚେଷ୍ଟା କରୁଛି । ବିଜେପିରେ ରହି ଦଳର ରାଜ୍ୟ ଓ କେନ୍ଦ୍ର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇ ବିଜୟ ବିବାଦୀୟ ହୋଇଥିଲେ । ବିଜେପିରୁ ଇସ୍ତଫା ଦେବାପରେ ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲେ ବି ଦଳର ମୁଖିଆ ଆଉ ତାଙ୍କୁ ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି । ଯେଉଁଥିପାଇଁ ବନ୍ଧୁ ଦିଲ୍ଲୀପ ରାୟଙ୍କ ବିଜେଡ଼ିରେ ଯୋଗଦାନ ବାଟ ଯଦିଓ ଖୋଲାଅଛି, ବିଜୟଙ୍କ ପାଇଁ କିନ୍ତୁ ବିଜେଡ଼ି ଦୁଆର ଖୋଲୁନି । ଗତ ମାସେ ହେଲା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜୟଙ୍କ ସହ ନିୟମିତ ବୈଠକ କରୁଛନ୍ତି । ବୈଠକରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍କର୍ସ ବାହାରିନଥିଲେ ବି ଚର୍ଚ୍ଚା ହେଉଛି ସେ ଆସନ୍ତା ୮ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ବେଳେ କଂଗ୍ରେସରେ ଯୋଗଦେବେ ।

Share

Leave a Reply

Your email address will not be published. Required fields are marked *

20 − ten =