ତେଲଦର ବେଲଗାମ୍, ୭ରୁ ବିଜେଡିର ୩ ଦିନିଆ ଆନ୍ଦୋଳନ

ଭୁବନେଶ୍ବର (): କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ’ ହୁ’ ହୋଇ ବଢ଼ିଚାଲିଥିବା ବେଳେ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି । ଦର ଉପରେ ଲଗାମ କଷିବା ପରିବର୍ତ୍ତେ ଖୋଦ୍ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମେରିକାକୁ ଦୋଷ ଦେଇ ଚୁପ୍ ବସି ପଡ଼ିଛନ୍ତି । ଭାରତବର୍ଷରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ସାଢ଼େ ୪ ବର୍ଷରେ ସର୍ବାଧିକ ଓ ଡିଜେଲ ମୂଲ୍ୟ ବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଅପରପକ୍ଷେ ଲଗାତାର ତୈଳଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ଅହେତୁକ ବୃଦ୍ଧି ଘଟୁଛି ।

ସୋମବାର ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ୭୮.୦୨ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୬.୩୪ ଟଙ୍କାରେ ପହଞ୍ଚିଛି । ତେଣୁ ଏହାର ପ୍ରତିବାଦରେ ଚଳିତ ମାସ ୭, ୮ ଓ ୯ ତାରିଖ ୩ ଦିନ ଧରି ପର୍ଯ୍ୟାୟକ୍ରମେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ଼ଧରଣର ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ । ପୂର୍ବାହ୍ନ ୧୦ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ  ସ୍ଥାନରେ ଅନୁଷ୍ଠିତ ହେବ । ପ୍ରମୁଖ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ବିଜେଡିର ଆହ୍ବାନକ୍ରମେ ଅନୁଷ୍ଠିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ଏହାକୁ ସଫଳ କରାଇବେ ବୋଲି ବିଧାୟକ ସଂଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲର ଲଗାତାର ଦରବୃଦ୍ଧି ପ୍ରଭାବରେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଗୃହିଣୀଠାରୁ ଆରମ୍ଭ କରି ଖଟିଖିଆ ଗରିବ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅତିଷ୍ଠ ହୋଇପଡ଼ିଲେଣି । ସାଧାରଣ ଓ ଗରିବ ଲୋକଙ୍କ ସରକାର କହି ୨୦୧୪ରେ କ୍ଷମତାକୁ ଆସିଥିବା ବିଜେପି ଏବେ କେବଳ କର୍ପୋରେଟ୍ ଓ ପୁଞ୍ଜିବାଦୀଙ୍କ ହାତବାରିସି ସାଜିଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି କରି ସେମାନଙ୍କୁ ଫାଇଦା ଦେଉଛି । ୨୦୧୪ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୫ ଡଲାର ଥିବା ବେଳେ ଆଜିକା ଦିନରେ ଏହା ୭୦ ଡଲାରକୁ ଖସି ଆସିଛି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ଗତ ୫୫ ମାସରେ ଲଗାତାର ବୃଦ୍ଧି ପାଇଚାଲିଛି । ଏହି ଦରବୃଦ୍ଧି ପଛରେ ଏକମାତ୍ର କାରଣ ହେଉଛି କେନ୍ଦ୍ର ସରକାରଙ୍କ ଲାଭଖୋର୍ ମନୋବୃତ୍ତି ।

ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି ଯେ, ଜନସାଧାରଣଙ୍କ ଉପରେ “ପିଟୁଣି ଟିକସ’ ବସାଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ଅପରପକ୍ଷେ ରାଜ୍ୟ ସରକାରଙ୍କୁ ଭ୍ୟାଟ୍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି । ଓଡ଼ିଶାରେ ତେଳ ଉପରେ ଭ୍ୟାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚରୁ ମହାରାଷ୍ଟ୍ରରେ ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମରେ ସରକାର ପେଟ୍ରୋଲ ଉପରେ ଭାଟ୍ ୩୨.୬୬ ପ୍ରତିଶତ ଥିବା ବେଳେ ରାଜସ୍ଥାନରେ ୩୦ ପ୍ରତିଶତ ଭାଟ୍ ସହ ପ୍ରତି ହଜାର ଲିଟର ପିଛା ୧୫ଶହ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତୁଳନାରେ ଓଡ଼ିଶାରେ କମ୍ ଭାଟ୍‍ ରହିଛି ।

ତେଲ ଦରବୃଦ୍ଧି ପଛରେ କେନ୍ଦ୍ର ସରକାରଙ୍କ “ଜିଜିଆ କର’ ଏକମାତ୍ର କାରଣ । ସରକାର ଗତ ୪ ବର୍ଷ ଭିତରେ ୧୨ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି କରି ପେଟ୍ରୋଲ ଉପରେ ପ୍ରାୟ ୧୦୦ ପ୍ରତିଶତ ଓ ଡିଜେଲ ଉପରେ ପ୍ରାୟ ୫୦୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି । ୨୦୧୪ ପେଟ୍ରୋଲ ଉପରେ ଶୁଳ୍କ ଟ. ୯.୨୦ ପଇସା ଥିବା ବେଳେ ୨୦୧୮ରେ ଏହା ୧୯.୮୪ ପଇସା ହୋଇଛି । ସେହିଭଳି ୨୦୧୪ରେ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୩.୪୬ ପଇସା ଥିବା ବେଳେ ଏବେ ଏହା ୧୫.୩୩ ପଇସାରେ ପହଞ୍ଚିଛି । ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳ ଦର ହ୍ରାସ ପାଇଥିବା ସତ୍ତ୍ବେ ଦେଶରେ ତେଲ ଦର କମିବାର ନାଁ ନେଉନାହିଁ ।

ଉତ୍ପାଦ ଶୁଳ୍କ ବୃଦ୍ଧି କରି କେନ୍ଦ୍ର ସରକାର ଗତ ୪ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ଆଦାୟ କରି ସାରିଲେଣି । ସରକାର ଚାହିଁଥିଲେ ଏହି ଅର୍ଥ ରିହାତି ବାବଦରେ ବ୍ୟବହାର କରି ତେଲ ଦର ହ୍ରାସ କରିପାରିଥାନ୍ତେ । କିନ୍ତୁ ତାହା କଲେ ନାହିଁ  । ନିଜର ପ୍ରଚାର ଓ ପ୍ରସାର ପାଇଁ ସେହି ଅର୍ଥ ଖର୍ଚ କଲେ । କେବଳ ଉତ୍ପାଦ ଶୁଳ୍କ ନୁହେଁ, କେନ୍ଦ୍ର ସରକାର ଆମଦାନୀ ହେଉଥିବା ଅଶୋଧିତ ତେଲ ଉପରେ ୨.୫ ପ୍ରତିଶତ ବହିଃଶୁଳ୍କ ଆଦାୟ କରୁଥିବା ବେଳେ ଟନ୍ ପିଛା ୫୦ ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦକୁ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କେନ୍ଦ୍ର ସରକାରଙ୍କ ତେଳ କମ୍ପାନିମାନେ ପ୍ରତିବର୍ଷ ପାଖାପାଖି ୧୦ ବିଲିୟନ୍ ଡଲାରର ତୈଳ କ୍ରୟ କରନ୍ତି, ଯାହାକି ୭୦ ହଜାର କୋଟି । ତାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏସାର ରୋଜେନପିଟ୍ କମ୍ପାନିଙ୍କଠାରୁ କ୍ରୟ କରାଯାଇଥାଏ । ଏଥିପାଇଁ କେନ୍ଦ୍ରୀୟ ତୈଳ କମ୍ପାନିମାନେ ଜାଣିଶୁଣି ତାଙ୍କର ଉତ୍ପାଦନ କ୍ଷମତାକୁ ହ୍ରାସ କରିଛନ୍ତି । ଏଭଳି ନିଷ୍ପତ୍ତି ଦ୍ବାରା ବେସରକାରୀ କମ୍ପାନିମାନଙ୍କୁ ଅତ୍ୟଧିକ ଲାଭ ମିଳୁଛି । ଯେହେତୁ ଏହି ଦେୟ ଡଲାର ଆକାରରେ ପ୍ରଦାନ କରାଯାଉଛି, ତାହା ବେସରକାରୀ କମ୍ପାନିମାନଙ୍କ ପାଇଁ ଅଧିକ ଲାଭଜନକ ହେଉଛି । ବର୍ତ୍ତମାନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବା ବେଳେ ରିଲାଏନ୍ସ ଓ ଏସାର ଅହେତୁକ ଲାଭ ପାଉଛନ୍ତି ବୋଲି କହିଛନ୍ତି ବିଜେଡି ସଂପାଦକ ବିଜୟ ନାୟକ ।

Share

Leave a Reply

Your email address will not be published. Required fields are marked *

three × two =