ଧର୍ମେନ୍ଦ୍ରଙ୍କ ପାଇଁ ମୋଦି ହରାଇବେ ଆସ୍ଥା!

ଭୁବନେଶ୍ବର () ବିଭିନ୍ନ ଜାତୀୟ ସ୍ତରରେ ସର୍ଭେ ରିପୋର୍ଟ କହୁଛି କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ନିଜର ଆସ୍ଥା ହରାଉଛି । 2019ରେ ସଂସଦରେ ବିଜେପିର ଆସନ ସଂଖ୍ୟା କମିବ । କିନ୍ତୁ ସଂପ୍ରତି ତେଲ ଦର ଯେଉଁ ଭାବେ କନ୍ଦାଉଛି, ସାଧାରଣ ଭୋଟର ଯଦି ଆସନ୍ତା ନିର୍ବାଚନରେ ତାର ପ୍ରତିଶୋଧ ନେବେ ତେବେ ପୁଣି ଥରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ହେବାର ମୋଦିଙ୍କ ସ୍ବପ୍ନ ସ୍ବପ୍ନରେ ରହିଯିବ । ଆଉ ଜାତୀୟ ବିଜେପି ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଯଦି ଏମିତି କିଛି ପରିସ୍ଥିତି ସୃଷ୍ଟି ହୁଏ, ତେବେ ସେଥିପାଇଁ କେବଳ ପେଟ୍ରୋଲିୟମ ମନ୍ତ୍ରଣାଳୟ ଓ ଏହାର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଦାୟୀ ରହିବେ ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରିତ ନହେବା ଯୋଗୁଁ କେନ୍ଦ୍ର ସରକାରଙ୍କ ଉପରେ ଭୋଟର ଆସ୍ଥା ହରାଉଛନ୍ତି । କାରଣ 2014ରେ ୟୁପିଏ ସରକାର ବିରୋଧରେ ବିଜେପିର ସବୁଠାରୁ ବଡ ରାଜନୈତିକ ଅସ୍ତ୍ର ଥିଲା ଦରଦାମ ବୃଦ୍ଧି । ସେ ସମୟରେ ହୋଇଥିବା ଦରଦାମ ବୃଦ୍ଧିରେ ଅତିଷ୍ଟ ହୋଇଥିବା ସାଧାରଣ ଭୋଟର ମୋଦିଙ୍କ ସୁନେଲୀ ସ୍ବପ୍ନରେ ଭାସିଯାଇଥିଲେ ।

ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବିଭିନ୍ନ ସମୟରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିବା ସାଙ୍ଗକୁ ସରକାର ବଦଳାଇ ଦେଇଛି । ଏହାର ଅନେକ ନଜିର ରହିଛି । ଯେଉଁ ଦରଦାମ ବୃଦ୍ଧି ବିରୋଧରେ ନାରା ଦେଇ ବିଜେପି କ୍ଷମତାକୁ ଆସିଛି, ସେହି ପ୍ରସଙ୍ଗକୁ ହିଁ ସବୁଠୁ ଅଧିକ ଅଣଦେଖା କରୁଛି । ଏଇ ଚାରି ବର୍ଷ ମଧ୍ୟରେ ଆଳୁ ଓ ପିଆଜ ଦର ଦେଢ ଗୁଣା ବଢିଛି । 2014ରେ ଆଳୁ କିଲୋ ପିଛା 8 ଟଙ୍କା ଥିବା ବେଳେ ଏବେ 14 ଟଙ୍କାରେ ବିକ୍ରି ହେଉଛି । ପିଆଜ ସେହିଭଳି 15 ଟଙ୍କାରୁ 25ଟଙ୍କାରେ ସ୍ଥିର ହୋଇଯାଇଛି । ପେଟ୍ରୋଲ ଓ ଡିଜେଲ ପରି ଇନ୍ଧନ ଗ୍ୟାସ ଦର ବି ବଢିଛି । ସାଧାରଣ ଖାଉଟିଙ୍କୁ ଦରଦାମ ହ୍ରାସର ସ୍ବପ୍ନ ଦେଖାଇଥିବା ସରକାର ଏବେ ଦରଦାମ ସାଙ୍ଗକୁ ବିମୁଦ୍ରୀକରଣର ବୋଝ ଲଦିଦେଇଛି ।

ଅର୍ଥନୈତିକ ସମୀକ୍ଷକଙ୍କ ମତରେ ଦରଦାମ ବୃଦ୍ଧିର ମୂଳ କାରଣ ହେଲା ପେଟ୍ରୋଲ ଓ ଡିଜେଲ ଦରରେ ନିୟମିତ ବୃଦ୍ଧି । ତୈଳ କମ୍ପାନୀଗୁଡିର ଲାଭ ପାଇଁ କେନ୍ଦ୍ର ସରକାର ସେମାନଙ୍କୁ ଖୋଲା ହାତ ଛାଡିଦେଇଛନ୍ତି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢୁ କି କମୁ, ଭାରତରେ କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ବର୍ଷକ ମଧ୍ୟରେ ପେଟ୍ରୋଲ ଦର 58 ଟଙ୍କାରୁ ଆସି 81 ଟଙ୍କାରେ ପହଁଚିଲାଣି  । ପେଟ୍ରୋଲ ଓ ଡିଜେଲ ଦର ଯେଉଁ ହାରରେ ବଢୁଛି ସେହି ହାରରେ ବସ ଓ ଟ୍ରକ ଭଡା ବଢୁଛି । ଫଳରେ ଗମନାଗମନ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢୁଛି । ଫଳରେ ସାଧାରଣ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାରିବାରିକ ବଜେଟ ଗୋଲେଇ ହେଇଯାଉଛି । ଏସବୁ ସହ ତାଳ ଦେଇ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ବି ମହଙ୍ଗା ହେଉଛି ।

ତେଣୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାମଗ୍ରୀକ ଭାବେ ଦେଶର ଅର୍ଥନୀତି ଏବଂ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ଫଳରେ ଧିରେ ଧିରେ ସାଧାରଣ ଜନତା କେନ୍ଦ୍ର ସରକାରଙ୍କ ଦରଦାମ ହ୍ରାସର ସୁନେଲୀ ସ୍ବପ୍ନରୁ ମୁହଁ ଫେରାଇଲେଣି । ତେଣୁ ପୁଣି ଥରେ ଯଦି ବିଜେପି ଉପରୁ ଭୋଟରଙ୍କ ଆସ୍ଥା ତୁଟେ ତେବେ ଏଥିପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଂପୂର୍ଣ୍ଣ ଭାବେ ଦାୟୀ ରହିବ । ଏବଂ ବିଭାଗୀୟ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ବି ନୈତିକ ଦାୟୀ ରହିବେ । କାରଣ ସେ ମଧ୍ୟ ଏଭଳି ଏକ ଘଡିସନ୍ଧି ସମୟରେ ନିଜର ଓ ନିଜ ଦଳର ରାଜନୈତିକ ଭବିଷ୍ୟତ ସଜାଡିବାକୁ ଓଡିଶାରେ ଦିନ ଦିନ ଧରି ଡେରା ପକାଉଛନ୍ତି  । ହେଲେ ଦର ନିୟନ୍ତ୍ରଣ ନେଇ କୌଣସି ଆନ୍ତରିକତା ଦେଖାଉନାହାଁନ୍ତି । କେବଳ ପର ଉପରେ ଦୋଷ ଲଦି ଦେଇ ନିଜକୁ ଝାଡି ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =