ବିନା ଗୋଲରେ ଡ୍ର ହେଲା ବେଙ୍ଗାଲୁରୁ-ଜାମସେଦପୁର ମ୍ୟାଚ

ଭୁଵନେଶ୍ବର : ସ୍ଥାନୀୟ ଜେଆରଡି ଟାଟା ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଆଜି ଅନୁଷ୍ଠିତ ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ପଞ୍ଚଦଶ ମ୍ୟାଚ ଗତ ବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସି ଏବଂ ଘରୋଇ ଜାମସେଦପୁର ଏଫସି ମଧ୍ୟରେ ଗୋଲ ଶୁନ୍ୟ ଡ୍ର’ରେ ଶେଷ ହୋଇଛି ।

ଘର ପଡିଆରେ ଲଗାତାର ତୃତୀୟ ବିଜୟ ସହିତ ହାଟ୍ରିକ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଥିବା ଜାମସେଦପୁର ଦଳ ଆଜିର ଡ୍ର ମ୍ୟାଚ ଯୋଗୁ ଗୋଟିଏ ପଏଣ୍ଟ ହରାଇବା ସତ୍ତ୍ୱେ ତିନିଟି ମ୍ୟାଚରୁ ସାତ ପଏଣ୍ଟ ସହ ଲିଗ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି । ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଏଫସି କ୍ରମାଗତ ତିନିଟି ମ୍ୟାଚ ଡ୍ର ରଖି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନକୁ ଖସିଆସିଛି ।

ପ୍ରଥମାର୍ଦ୍ଧ ଖେଳରେ ବେଙ୍ଗାଲୁରୁ ଏଫସି ସମ୍ପୁର୍ଣ୍ଣ ପ୍ରାଧାନ୍ୟ ଜାହିର କରିଥିଲା । ଗୋଲ ଦେବାପାଇଁ ସେମାନେ ପ୍ରାୟ ଅଧା ଡଜନ ସୁଯୋଗ ପାଇଥିଲେ ହେଁ ଉପଯୁକ୍ତ ଫିନିସିଙ୍ଗର ଅଭାବ ଯୋଗୁ କୌଣସି ଗୋଟିଏ କାର୍ଯ୍ୟକାରୀ କରିପାରି ନଥିଲେ । ଅନ୍ୟପକ୍ଷରେ ଜାମସେଦପୁର ଗୋଲରକ୍ଷକ ସୁବ୍ରତ ପଲ ଅଭେଦ୍ୟ ପ୍ରାଚୀର ସଦୃଶ ଠିଆ ହୋଇ ପ୍ରତିପକ୍ଷର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲେ ।

ମ୍ୟାଚର ପ୍ରଥମ ସୁଯୋଗ ସପ୍ତମ ମିନିଟରେ ବେଙ୍ଗାଲୁରୁ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମିଳିଥିଲା । କିନ୍ତୁ ସେ ମାରିଥିବା ଶକ୍ତିଶାଳୀ ସଟକୁ ସୁବ୍ରତ ପଲ ଦକ୍ଷତାର ସହ ଅଟକାଇ ଦେଇଥିଲେ । ଏହା ପରେ ପରେ ଜାମସେଦପୁର ପ୍ରତ୍ୟାକ୍ରମଣ ରଚନା କରି ସର୍ଜିଓ କାଷ୍ଟେଲଙ୍କ ଜରିଆରେ ଅଗ୍ରଣୀ ହେବାର ସୁବର୍ଣ୍ଣ ସୁଯୋଗ ପାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଯେ କାଷ୍ଟେଲ ମାରିଥିବା ସଟ ବାମ ପୋଷ୍ଟରେ ବାଜି ଫେରିଆସିଥିଲା ।

ଦ୍ୱାଦଶ ମିନିଟରେ ବେଙ୍ଗାଲୁରୁ ଏଫସିର ଦ୍ଵିତୀୟ ସୁଯୋଗ ଜୂଆନାନ ନଷ୍ଟ କରିଥିଲେ । ଗୋଲପୋଷ୍ଟ ସମ୍ମୁଖରେ ଫାଙ୍କା ସ୍ଥାନରେ ଥାଇ ସେ ଉଦାନ୍ତ ସିଂଙ୍କ କ୍ରସ ଉପରେ ହେଡ଼ କରି ବଲ ସିଧା ସୁବ୍ରତ ପଲଙ୍କ ହାତକୁ ଦେଇ ଦେଇଥିଲେ । ଏହାର ଦୁଇ ମିନିଟ ପରେ ରାଫେଲ ଆଗୁସ୍ତୋଙ୍କ ଲକ୍ଷ୍ୟହୀନ ହେଡର ଯୋଗୁ ବେଙ୍ଗାଲୁରୁ ଆଉ ଗୋଟିଏ ସୁଯୋଗ ହାତଛଡା କରିଥିଲା । ସେହିପରି ୨୦ତମ ମିନିଟରେ ସୁବ୍ରତ ପଲ ଜାମସେଦପୁରକୁ ଆଉ ଏକ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ । ହର୍ମାନଜୋତ ଖାବ୍ରା ମାରିଥିବା ସଟକୁ ସେ ଲମ୍ଫମାରି ବାହାର କରିଦେଇଥିଲେ । ମଧ୍ୟାନ୍ତର ହୁଇସିଲର ଅବ୍ୟବହିତ ପୂର୍ବରୁ ସୁବ୍ରତ ପଲଙ୍କ ଦକ୍ଷ ଗୋଲରକ୍ଷଣ ଯୋଗୁ ଜାମସେଦପୁର ଆଉଏକ ବିପଦରୁ ରକ୍ଷା ପାଇଥିଲା ।

ମ୍ୟାଚର ୫୭ତମ ମିନିଟରେ ଘରୋଇ ଜାମସେଦପୁର ଦଳ ଅଗ୍ରଣୀ ହେବାର ସୁଯୋଗ ପାଇଥିଲା  କିନ୍ତୁ ପିଟିଙ୍କ କର୍ଣ୍ଣର ଉପରେ ଫାରୁକ ଚୌଧୁରୀ ମାରିଥିବା ବାଇସାଇକଲ କିକକୁ ବେଙ୍ଗାଲୁରୁ ଗୋଲରକ୍ଷକ ଗୁରପ୍ରୀତ ସିଂ ସାନ୍ଧୁ ପଞ୍ଚ ମାରି ବାହାର କରିଦେଇଥିଲେ l ୭୬ତମ ମିନିଟରେ ମ୍ୟାଚର ଶେଷ ସୁଯୋଗ ବେଙ୍ଗାଲୁରୁର ଆଶିକ କୁରୁନିୟାନଙ୍କୁ ମିଳିଥିଲା l କିନ୍ତୁ ତାଙ୍କ ସଟକୁ ବ୍ୟର୍ଥ କରିଥିଲେ ସୁବ୍ରତ ପଲ l

ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଗୁରପ୍ରୀତ ସିଂ ସାନ୍ଧୁଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ସୁବ୍ରତ ପଲଙ୍କୁ ପ୍ରଦାନ କରାଯାଇଥିଲା l ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ ଜାମସେଦପୁରର ମୋବାଶିର ରହମାନ ।

Share

Leave a Reply

Your email address will not be published. Required fields are marked *

five × 5 =