1ଲକ୍ଷ 32ହଜାର କୋଟି ଟଙ୍କାର ବଜେଟ

ଅଭିବୃଦ୍ଧି ହାର 8.5 ପ୍ରତିଶତକୁ ଛୁଇଁବ

ପ୍ରଥମ ଚାରି ମାସ ପାଇଁ 56,921 କୋଟି ଟଙ୍କାର କାମଚଳା ବଜେଟ

ଭୁବନେଶ୍ବର ()  ଆଜି ରାଜ୍ୟ ସରକାର 2019-20 ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ ଆଗତ କରିଛନ୍ତି । ଏଥିସହିତ 2019-20 ବର୍ଷର ମୋଟ ବଜେଟର ମଧ୍ୟ ଆକଳନ କରାଯାଇଛି । 2019-20 ବର୍ଷ ପାଇଁ ମୋଟ 1ଲକ୍ଷ 32 ହଜାର 660 କୋଟି ଟଙ୍କାର ବଜେଟ ଆକଳନ କରାଯାଇଥିବା ବେଳେ ପ୍ରଥମ 4 ମାସ ପାଇଁ 56 ହଜାର 921 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 2018-19 ବର୍ଷ ଠାରୁ 2019-20ରେ ବଜେଟ ଆକାରରେ 10.4 ପ୍ରତିଶତ ବୃଦ୍ଧି ହୋଇଛି ।

ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ 2019-20 ଆର୍ଥିସ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର 8.5 ପ୍ରତିଶତକୁ ବୃଦ୍ଧି ପାଇବ । 2018-19ରେ ରାଜ୍ୟର ଅଭିବୃଦ୍ଧି ହାର 8.3 ପ୍ରତିଶତ ରହିଛି । ଗତ 6 ବର୍ଷ ଧରି ଜାତୀୟ ଅଭିବୃଦ୍ଧି ହାର 7.1 ପ୍ରତିଶତ ରହିଥିବା ବେଳେ ଓଡିଶାର ଅଭିବୃଦ୍ଧି ହାର 8 ପ୍ରତିଶତରୁ ଅଧିକ ରହୁଛି । ବିଶ୍ବ ଓ ରାଷ୍ଟ୍ରୀୟ ଅର୍ଥନୀତି ଅଭିବୃଦ୍ଧିର ଏହି ଧାରା ଅବ୍ୟାହତ ରହିଲେ, ରାଜ୍ୟ ଅର୍ଥନୀତି 2019-20ରେ ଏହା 8.5 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏଥର ବଜେଟରେ କୌଣସି ନୂଆ ଯୋଜନା ଘୋଷଣା କରାଯାଇନଥିଲେ ବି ବିକାଶମୂଳକ ପ୍ରକଳ୍ପକୁ ଗରୁତ୍ବ ଦିଆଯାଇଛି । କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି, ଜଳସେଚନର ସଂପ୍ରସାରଣ, ସ୍ବାସ୍ଥ୍ୟ ସେବାର ଉନ୍ନତିକରଣ, ଜନସାଧାରଣଙ୍କ ଶିକ୍ଷା ଓ ଦକ୍ଷତାର ବିକାଶ, ଯୁବକମାନଙ୍କ ପାଇଁ ଅର୍ଥ ବିନିଯୋଗ, ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ, ପରିମଣ ବ୍ୟବସ୍ଥା, ସାମାଜିକ ନିରାପତ୍ତା, ବିଦ୍ୟୁତ ଓ ଗ୍ରାମ୍ୟ ସଡକର ସଂଯୋଗୀକରଣ ପାଇଁ ସର୍ବାଧିକ ବ୍ୟୟବରାଦ କରାଯାଇଛି ।

ପ୍ରଶାସନିକ ଖର୍ଚ୍ଚ ବାବଦରେ 58,170 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ 66ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ବାବଦରେ 2ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ବାବଦରେ 6,490 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 2019-20 ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ 56ହଜାର 921 କୋଟି ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ବ୍ୟୟ ଅଟକଳର ଶତ ପ୍ରତିଶତ ଏବଂ ଅନ୍ୟାନ ଖର୍ଚ୍ଚ ବାବଦକୁ ବ୍ୟୟ ଅଟକଳର 40 ପ୍ରତିଶତ ଅନ୍ତର୍ଭୁକ୍ତ ।

ବଜେଟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି କରାଯାଇ 19ହଜାର 557 କୋଟି ଆକଳନ କରାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 19ହଜାର 911 କୋଟି ଟଙ୍କା, ସ୍ବାସ୍ଥ୍ୟ କ୍ଷେତ୍ରରେ 6ହଜାର 708 କୋଟି ଟଙ୍କା, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ 2ହଜାର 935 କୋଟି ଟଙ୍କା, ଅନୁସୂଚତ ଜାତି ଜନଜାତି ଯୋଜନା ବ୍ୟୟ ବାବଦରେ 22 ହଜାର 44 କୋଟି ଟଙ୍କାର ଅଟକଳ କରାଯାଇଛି ।

2018-19 ଆର୍ଥକ ବର୍ଷର ସଂଶୋଧିତ ଅଟକଳ ଅନୁଯାୟୀ ସଂଗଠିତ ପାଣ୍ଠିର ବ୍ୟୟ 1ଲକ୍ଷ 20ହଜାର 125 କୋଟି ଟଙ୍କା ରହିଛି । ମୋଟ ରାଜସ୍ବ ଆୟ 1ଲକ୍ଷ 1ହଜାର 883 କୋଟି ଥିବା ବେଳେ ରାଜସ୍ବ ବ୍ୟୟ 91ହଜାର 328 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୁତରାଂ 2018-19 ଆର୍ଥିକ ବର୍ଷର ସଂଶୋଧିତ ଅଟକଳ ଅନୁସାରେ ରାଜସ୍ବ ବଳକା 10ହଜାର 555 କୋଟି ଟଙ୍କା ହେବ । ଏବଂ ବିତ୍ତୀୟ ନିୟଣ୍ଟ 13ହଜାର 935 କୋଟି ଟଙ୍କା ହେବ ।

ସେହିଭଳି 2019-20 ଆର୍ଥିକ ବର୍ଷରେ ରାଜସ୍ବ ଆୟ 1ଲକ୍ଷ 10ହଜର 710 କୋଟି ଟଙ୍କା ହେବାର ଆକଳନ କରାଯାଉଛି । ରାଜସ୍ବ ବ୍ୟୟ 1ଲକ୍ଷ 2ହଜାର 227 କୋଟି ଟଙ୍କା ହେବ । ଏହି ବର୍ଷ ନିମନ୍ତେ ରାଜସ୍ବ ବଳକା 8ହଜାର 433 କୋଟି ଟଙ୍କା ହେବ, ଯାହାକି ସାମଗ୍ରିକ ଘରୋଇ ଉତ୍ପାଦର 1.6 ପ୍ରତିଶତ । ଏହି ବର୍ଷ ପାଇଁ ବିତ୍ତୀୟ ନିୟଣ୍ଟ 16ହଜାର 193 କୋଟି ହେବ ବୋଲି ଆକଳନ କରାଯାଉଛି, ଯାହାକି ଘରୋଇ ଉତ୍ପାଦର 3 ପ୍ରତିଶତ ଅଟେ ।

ବଜେଟରେ କାଳିଆ ଯୋଜନା ପାଇଁ ସର୍ବାଧିକ 4461 କୋଟି, ଗ୍ରାମୀଣ ଜଳ ଯୋଗାଣ ପାଇଁ 2935 କୋଟି, ମଧୁବାବୁ ପେନସନ ଯୋଜନା ପାଇଁ 2120 କୋଟି, କୃଷି ଋଣରେ ସୁଧ ରିହାତି ବାବଦରେ 800 କୋଟି, ଆମ ଗାଁ ଆମ ବିକାଶ ପାଇଁ 400 କୋଟି, ପାର୍ବତୀଗିରି ବୃହତ ଉଠାଜଳସେଚନ ଯୋଜନା ପାଇଁ 1777 କୋଟି, ବିଜୁ ଯୁବ ବାହିନୀ ପାଇଁ 105 କୋଟି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ 864 କୋଟି ମିଶନ ଶକ୍ତି ପାଇଁ 301 କୋଟି, ମମତା ଯୋଜନା ପାଇଁ 305 କୋଟି, ଏସସି ଏସଟି ଛାତ୍ରଛାତ୍ରୀଙ୍କୁ ପ୍ରାକ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତି ବୃତ୍ତି ପାଇଁ 959 କୋଟି, ରେଳ ପ୍ରକଳ୍ପ ଉନ୍ନତିକରଣ ପାଇଁ 410 କୋଟି ଏହିଭଳି 29ଟି ଯୋଜନା ପାଇଁ 24ହଜାର 94 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

2019-20 ଆର୍ଥିକ ବର୍ଷରେ ରାଜ୍ୟ ସରକାର 21ହଜାର 800 କୋଟି ଟଙ୍କାର ଋଣ କରିବାକୁ ଲକ୍ଷ ରଖିଛନ୍ତି । ସେ ମଧ୍ୟରୁ ଖୋଲା ବଜାରରୁ 14ହଜାର 650 କୋଟି ଟଙ୍କା ଋଣ କରିବେ । 2018-19 ଆର୍ଥକ ବର୍ଷର ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ରାଜ୍ୟ ସରକାର 7437 କୋଟି 19 ଲକ୍ଷ ଟଙ୍କା ଋଣ କରିଛନ୍ତି । ସେ ମଧ୍ୟରୁ ଖୋଲା ବଜାରରୁ 4500 କୋଟି ଟଙ୍କା ଋଣ ହୋଇଛି । ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟର ଋଣ ଭାର 79ହଜାର 789 କୋଟିରେ ପହଁଚିଛି । 2018-19 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ଭାର 87ହଜାର 650 କୋଟି ଟଙ୍କା ଛୁଇଁବ । ସେହିଭଳି 2019-20ରେ ସରକାର କରିବାକୁ ଥିବା ଋଣକୁ ହିସାବକୁ ନେଇ ରାଜ୍ୟର ମୋଟ ଋଣ ଭାର 1ଲକ୍ଷ 3ହଜର 843 କୋଟି ଟଙ୍କାରେ ପହଁଚିବ ବୋଲି ଆକଳନ କରାଯାଉଛି । ତେବେ ରାଜ୍ୟର ଋଣଭାର ଜିଏସଡିପିର 18 ପ୍ରତିଶତ ଥିବା ବେଳେ 2019-20 ଆର୍ଥକ ବର୍ଷ ଶେଷ ସୁଦ୍ଧା ଏହା 19.2 ପ୍ରତିଶତକୁ ପହଁଚିବ । ଯୋଜନା କମିଶନଙ୍କ ମାନଦଣ୍ଡ ଅନୁଯାୟୀ ଋଣ ଭାର ଜିଏସଡିପିର 25 ପ୍ରତିଶତ ପର୍ଯ୍ୟନ୍ତ ରହିପାରିବ ।

Share

Leave a Reply

Your email address will not be published. Required fields are marked *

two × three =