ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି, 3 ଦିନରେ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ବର () ତିତଲି ଓ ପରବର୍ତ୍ତି ବନ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ 26ଜଣଙ୍କ ମୃତ୍ୟୁ ହୋଇଛି । ମୃତାହତଙ୍କ ସଂଖ୍ୟାକୁ ନେଇ ଗତ ଦୁଇ ଦିନ ହେଲା ଚାଲିଥିବା ବିବାଦ ଭିତରେ ରାଜ୍ୟ ସରକାର ଶେଷରେ 26ଜଣଙ୍କ ମୃତ୍ୟୁକୁ ସ୍ବୀକାର କରିଛନ୍ତି ।

1999 ମହାବାତ୍ୟା ଏବଂ 2013 ଫାଇଲିନ ପରେ ଏହା ଆଉ ଏକ ବଡ ଧରଣର ପ୍ରକୃତିକ ବିପର୍ଯ୍ୟୟ । ଏଥିରେ 16ଟି ଜିଲ୍ଲାର 57 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ 48ହଜାର ହେକ୍ଟରରେ ଧାନ ଫସଲ ଏବଂ 65ହଜାର ହେକ୍ଟରରେ ଅଣଧାନ ଫସଲ ନଷ୍ଟ ହୋଇଛି । 16ଟି ଜିଲ୍ଲାର 144ଟି ବ୍ଲକ, 30ଟି ପୌରାଞ୍ଚଳ, 7402ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । କେବଳ ଗଂଜାମ, ଗଜପତି, ରାୟଗଡା ଓ କନ୍ଧମାଳର 950 କିଲୋ ମିଟର ରାସ୍ତା ବନ୍ୟାରେ ଧୋଇ ହୋଇଯାଇଛି ।

ଗଜପତି ଜିଲ୍ଲାରେ ଭୁସ୍ଖଳନରେ 15ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ କାନ୍ଥ ପଡି ମୃତ୍ୟୁବରଣ କରିଛନ୍ତି । ସେହିପରି ଗଂଜାମ ଜିଲ୍ଲାରେ ଗଛ ପଡି ଜଣଙ୍କର ଏବଂ ବନ୍ୟାରେ ଭାଷିଯାଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ, କେନ୍ଦୁଝର ଓ ନୟାଗଡରେ ମଧ୍ୟ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ ଓ କଟକରେ ଜଣେ ଲେଖାଏଁ ବ୍ୟକ୍ତି ବଢିପାଣିରେ ଭାଷିଯାଇ ମୃତ୍ୟୁବରଣ କରିଥିବା ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

ତିତଲି ଓ ବନ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକରେ କ୍ଷୟକ୍ଷତିର ଆକଳନ ଚାଲିଛି । ଆସନ୍ତାକାଲି ସୁଦ୍ଧା ଚୁଡାନ୍ତ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି । ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ 4ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ବିଭିନ୍ନ ବେସରକାରୀ ସୂତ୍ରରୁ ମଧ୍ୟ ନିଖୋଜ କିମ୍ବା ମୃତାହତ ସଂପର୍କିତ ଖବରକୁ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ପରିବାରକୁ ତିନି ଦିନ ମଧ୍ୟରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜସ୍ବ ନିରୀକ୍ଷକ ଏବଂ ତହସିଲଦାରମାନଙ୍କୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଗଜପତି ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ନଗଦ 1ହଜାର ଟଙ୍କା, 50କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ଯୋଗାଇ ଦେବାକୁ ଗତକାଲି ମୁଖ୍ୟଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + 12 =