ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାରକୁ ପ୍ରତିହତ କର

ଭୁବନେଶ୍ବର (): ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି । ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ  ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ ବାହାରୁଥିବା ବେଳେ ଅନ୍ୟପକ୍ଷରେ ଗାନ୍ଧୀବାଦର ବିଚାରଧାରାକୁ କିଭଳି ବଜାୟ ରଖାଯାଇପାରିବ ସେନେଇ ଗାନ୍ଧୀବାଦୀମାନେ ଉଦବେଗ ପ୍ରକାଶ କରୁଛନ୍ତି । ସେମାନଙ୍କର ଗୋଟିଏ ଅଭିଯୋଗ, ମିଛ କୁହାଯାଇ ଲୋକଙ୍କ ମନରେ ବିଷ ଭର୍ତ୍ତି କରାଯାଉଛି, ଯାହା ଭାରତବର୍ଷର ଅଖଣ୍ଡତା, ସାର୍ବଭୌମତ୍ବ, ଧର୍ମନିରପେକ୍ଷତା ଓ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ବିପଦ ।

ଗାନ୍ଧୀବାଦ ବିରୋଧରେ ଚାଲିଥିବା ମିଛ ପ୍ରଚାରକୁ ସବୁ ସ୍ତରରେ ବିରୋଧ କରିବାକୁ ଗାନ୍ଧୀବାଦୀମାନେ ଆହ୍ବାନ ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ନିଧନ ପରେ ତାଙ୍କ ବିଚାରଧାରାକୁ ଆଗକୁ ନେବା ପାଇଁ ଗଠନ କରାଯାଇଥିବା ସଂଗଠନ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ରବିବାର ଭୁବନେଶ୍ବରସ୍ଥିତି ଭାରତ ସ୍କାଉଟ ଆଣ୍ଡ ଗାଇଡ କାର୍ଯ୍ୟାଳୟରେ ଗାନ୍ଧୀବାଦୀ, ଗାନ୍ଧୀପ୍ରେମୀ, ଗାନ୍ଧୀ ବିଚାରଧାରାରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ଏକ ବୈଠକ କରାଯାଇଥିଲା । ବୈଠକରେ ଓଡ଼ିଶାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏହାର ରାଜ୍ୟ ଶାଖା ପ୍ରତିଷ୍ଠା ସହିତ ବିଭିନ୍ନ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା ।

ବିଶିଷ୍ଟ ଗାନ୍ଧୀବାଦୀ ତଥା ଭୂଦାନ କର୍ମୀ ନିଶାକର ଦାସ (୯୭ ବର୍ଷ ବୟସ), ବିଶିଷ୍ଟ  ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ବିଶିଷ୍ଟ ଗାନ୍ଧୀବାଦୀ ତଥା ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି, ଲେଖକ ତଥା ସ୍ତମ୍ଭକାର ଦାଶ ବେନହୁର ପ୍ରମୁଖ ବର୍ତ୍ତମାନ ପରିସ୍ଥିତିରେ ଦେଶରେ କିଭଳି ଗାନ୍ଧୀବାଦକୁ ନେଇ ଏକ ଷଡଯନ୍ତ୍ର କରାଯାଉଛି ଓ ମିଛ କଥା କୁହାଯାଇ ଲୋକଙ୍କ ମନରେ ବିଷ ଭର୍ତ୍ତି କରାଯାଉଛି ସେ ସଂପର୍କରେ ଉଲ୍ଲେଖ କରିଥିଲେ । ସେମାନେ କହିଥିଲେ ଯେ, ‘ଗାନ୍ଧୀ ଏମିତି କରିଦେଲେ’ ବୋଲି ଏକ ମିଛ ଭର୍ତ୍ତି କରାଯାଉଛି । ତାହା ପୁଣି ଲିଖିତ ଭାବେ ଲୋକଙ୍କ ଭିତରେ ଏମିତି ପ୍ରଚାର ପ୍ରସାର କରାଯାଉଛି ଯେ, ଲୋକେ ବିଭ୍ରାନ୍ତ ହେବାକୁ ବାଧ୍ୟ ହେଉଛନ୍ତି । ଏହା ବିରୋଧରେ  ପ୍ରତିବାଦ ସ୍ବର ଉଠିବା ଦରକାର । ଗାନ୍ଧୀ କ’ଣ ଥିଲେ, ଗାନ୍ଧୀଜୀଙ୍କର ଆଦର୍ଶ କ’ଣ ଥିଲା ଓ ଗାନ୍ଧୀଜୀଙ୍କର ମୂଲ୍ୟବୋଧ କ’ଣ ଥିଲା ତାହା ଲୋକଙ୍କୁ ଜଣାଇବାର ଆବଶ୍ୟକତା ରହିଛି ।

ଓଡ଼ିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମନୋରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାପୁଟ , କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ, ଭଦ୍ରକ, କଟକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ପ୍ରଭୃତି ବିଭିନ୍ନ ଜିଲ୍ଲାରୁ ଗାନ୍ଧୀବାଦୀମାନେ ଯୋଗ ଦେଇଥିଲେ । କିଭଳି ଗାନ୍ଧୀବାଦ ବିରୋଧରେ ଚାଲିଥିବା ଏକ ସୁଚିନ୍ତିତ ଷଡଯନ୍ତ୍ରକୁ ପ୍ରତିହତ କରାଯାଇପାରିବ ଏବଂ କିପରି ସତ୍ୟକୁ ଲୋକଙ୍କ ପାଖରେ ଉଜାଗର କରି ରଖାଯାଇପାରିବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବାହକ ଡକ୍ଟର ବିଶ୍ବଜିତଙ୍କ ସହ  ସୁବାସ ପାଣିଗ୍ରାହୀ, ବିଜୟ କୁମାର ଦାସ,  ଦୀପକ କୁମାର ପଟ୍ଟନାୟକ, ପ୍ରଫେସର ଉପେନ୍ଦ୍ର କୁମାର ପାଢ଼ୀ, ଶ୍ରୀମତୀ ରଶ୍ମୀ ମହାନ୍ତି, ସ୍କାଉଟ ଓ ଗାଇଡ ମୁଖ୍ୟ କମିଶନର ତଥା ଜାତୀୟ ଉପ ସଭାପତି କାଳୀ ପ୍ରସାଦ ମିଶ୍ର, ମିହିର ପ୍ରତାପ ଦାସ, ଶିବ ନାରାୟଣ ମିଶ୍ର, ଆଗା ଅହିର, ଝାନସୀ ସିଂ, ତୁଷାରକାନ୍ତ ମହାନ୍ତି, ହରିହର ସେନ, ମାନସ ମିଶ୍ର, ସୂର‌୍ୟ୍ୟ ପ୍ରକାଶ ନାଥ, ରଣଜିତ ଦେହୁରୀ, ନିରାକାର ବେହୁରା, ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂପାଦକ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଗଷ୍ଟ ମାସରେ ଶାନ୍ତି ପ୍ରତିଷ୍ଠାନର ଜାତୀୟ ଅଧ୍ୟକ୍ଷ  ଗାନ୍ଧୀବାଦୀ କୁମାର ପ୍ରଶାନ୍ତ ଓଡ଼ିଶା ଆସୁଥିବାରୁ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ମଧ୍ୟ  ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

two × 4 =