ଠିକଣା ପଦକ୍ଷେପ ଯୋଗୁଁ ବଞ୍ଚିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଭୁବନେଶ୍ବର () ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଠିକଣା ପଦକ୍ଷେପ ଯୋଗୁଁ ୫୦ଟି ମାଛଧରା ଟ୍ରଲର ଓ ଏଥିରେ ଥିବା ମିତ୍ସ୍ୟଜୀବୀମାନଙ୍କ ଜୀବନ ରକ୍ଷା ପାଇଯାଇଛି । ପ୍ରବଳ ପବନ ଓ ବର୍ଷା ମଧ୍ୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଜିଲ୍ଲାପ୍ରଶାସନ, ଓଡ୍ରାଫ ଓ ତଟରକ୍ଷୀବାହିନୀ ସହାୟତାରେ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ ଉଦ୍ଧାରକରି ସୁରକ୍ଷିତ ସ୍ଥାନକୁ ଆଣିବାରେ ସକ୍ଷମ ହୋଇଥିଲେ ।

ଘଟଣାରୁ ପ୍ରକାଶ ଯେ ବାତ୍ୟା ତିତ୍‍ଲି ଉପୂକଳ ମୁହାଁ ହେବା ସମୟରେ ଆନ୍ଧ୍ରପ୍ରଦେଶର ୫୦ରୁ ଅଧିକ ଟ୍ରଲର ଗୋପାଳପୁର ବନ୍ଦର ଆଖପାଖରେ ମାଛ ମାରୁଥିଲେ । ବାତ୍ୟା ସ୍ଥିତିକୁ ଦେଖି ଭାରତୀୟ ପାଣିପାଗ ବିଭାଗ, ତଟରକ୍ଷୀ ବାହିନୀ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବାରମ୍ବାର ସତର୍କ ସୂଚନା ସତ୍ୱେ ମତ୍ସ୍ୟଜୀବୀମାନେ ସୁରକ୍ଷିତ ସ୍ଥାନକୁ ଫେରିବା ବଦଳରେ ମାଛଧରା ଜାରି ରଖିଥିଲେ ।

୧୦ ତାରିଖ ରାତିରେ ବାତ୍ୟାର ବେଗ ବଢିବା ଯୋଗୁଁ ଏହି ଟ୍ରଲର ଓ ସେଥିରେ ଥିବା ମତ୍ସ୍ୟଜୀବୀମାନେ ବନ୍ଦର ନିକଟରେ ଏକ ପ୍ରକାର ବୁଡିବା ଅବସ୍ଥାକୁ ଆସି ଯାଇଥିଲେ । ଆସନ୍ନ ବିପଦକୁ ଦେଖି ଉଦ୍ଧାର ପାଇଁ ସେମାନେ ବନ୍ଦର କର୍ତ୍ତୃପକ୍ଷ ଓ ସରକାରୀ ସଂସ୍ଥା ଗୁଡିକୁ ଅନୁରୋଧ କରିଥିଲେ ।

ବାତ୍ୟାର ବେଗ ବଢୁଥିବାବେଳେ ମାନବିକତା ଦୃଷ୍ଟିକୋଣରୁ ବନ୍ଦର କର୍ତ୍ତୃପକ୍ଷ ତଟରକ୍ଷୀ ବାହିନୀ, ଓଡ୍ରାଫ ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ୧୦ତାରିଖ ରାତିରୁ ୧୧ତାରିଖ ସକାଳ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଟ୍ରଲର ଓ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

ମାଛଧରା ଟ୍ରଲର ଯୋଗୁଁ ବନ୍ଦର ମଧ୍ୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ ନକରି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଟ୍ରଲର ଗୁଡିକ ବନ୍ଦର ଇଲାକା ମଧ୍ୟକୁ ଆଣିବା ସହିତ ମତ୍ସ୍ୟଜୀବୀମାନଙ୍କୁ ବନ୍ଦର ପରିସରରେ ଆଶ୍ରୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ, ଓଡ୍ରାଫ ଓ ତଟରକ୍ଷୀ ବାହିନୀର ତତ୍ବାବଧାନରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଠିକଣା ସମୟରେ ଏହି ଉଦ୍ଧାର କାର୍ଯ୍ୟ ଚଳାଇବା ଫଳରେ ଏକ ବଡ ଧରଣର ବିପଦକୁ ଟାଳି ଦିଆଯାଇ ପାରିଲା ।

Share

Leave a Reply

Your email address will not be published. Required fields are marked *

12 − nine =