ଗରିବଙ୍କ ତଣ୍ଟି ଚିପି ଥାନା ଅଧିକାରୀ ଲକ୍ଷପତି, ଜମି ଦଲାଲିରେ ଆଇଆଇସି

ଭୁବନେଶ୍ବର (): କମିଶନରେଟ୍ ପୁଲିସକୁ ଲୋକାଭିମୁଖୀ କରାଯିବ । ପୋଲିସ ଲୋକଙ୍କ ଆସ୍ଥାଭାଜନ ହେବ । ଲୋକଙ୍କ ସହ ପୋଲିସ ବନ୍ଧୁତ୍ବପୂର୍ଣ ବ୍ୟବହାର କରିବ । ଏମିତି ସବୁ ଭାଷଣବାଜି କରିବାରେ ଆମର ବରିଷ୍ଠ ପୋଲିସ ଅଧିକାରୀମାନେ ଧୁରନ୍ଧର । କିନ୍ତୁ ତାଙ୍କ ଭାଷଣ ଓ ଥାନା ସ୍ତରରେ ପୋଲିସର କାର୍ଯ୍ୟରେ ଆକାଶ ପାତାଳ ଫରକ । ହୁଏତ ଡିଜି ସ୍ତରର ଅଧିକାରୀମାନେ ଲୋକ ଦେଖାଣିଆ ଭାଷଣ ଦେଉଛନ୍ତି ବା ଥାନାବାବୁ ମାନେ ସାହେବଙ୍କ ପରାମର୍ଶ ଗ୍ରହଣ କରିବା ମୁଡରେ ନାହାଁନ୍ତି । ସାଧାରଣରେ ଏଭଳି ଏକ ଧାରଣା ସୃଷ୍ଟି ହୋଇଛି ।

କାରଣ ରାଜ୍ୟର ଶ୍ରେଷ୍ଠ ଓ ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ୨୦୦୮ ମସିହାରେ ଗଠିତ ହୋଇଥିଲା କମିଶନରେଟ ପୋଲିସ । ଲୋକଙ୍କ ଦୁଃଖ ଯେପରି ତୁରନ୍ତ ସମାଧାନ ହୋଇପାରିବ ସେ ଦିଗରେ ଥାନାସ୍ତରର ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ ଥାନାରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କୁ ଅତ୍ୟାଧୁନିକ ଗାଡ଼ି, ସହ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ମଧ୍ୟ ଦିଆଯାଉଛି । କିନ୍ତୁ ଲୋକଙ୍କ ଦୁଃଖ ପୁଲିସ ଅଧିକାରୀମାନେ ଦୂର କରିବେ କ’ଣ ଓଲଟା ସେମାନଙ୍କ ତଣ୍ଟି ଚିପିବାରେ ଲାଗିଛନ୍ତି । ଯେନତେନ ପ୍ରକାରରେ ମାସକୁ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବା ଥାନାଧିକାରୀଙ୍କ ଲକ୍ଷ୍ୟ ରହୁଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଖଣ୍ଡଗିରିି ଥାନାରେ ଦେଖିବାକୁ ମିଳିଛି ।

ସମୟ ଅପରାହ୍ନ ପ୍ରାୟ ୨ଟା । ଖଣ୍ଡଗିରି ଥାନା ସାମ୍ନାରେ ଛିଡ଼ା ହୋଇ ବଡ଼ ପାଟିରେ ଚିତ୍କାର କରୁଛନ୍ତି ଜଣେ ମହିଳା । ରାସ୍ତାରେ ଯିଏ ବି ଯାଉଛି ମହିଳାଙ୍କ ଆଡ଼କୁ ତାଙ୍କ ଦୃଷ୍ଟି ପଡ଼ୁଛି । ମହିଳାଙ୍କ ବେକ ଓ ହାତରେ ଆଘତ ଲାଗିଛି । ସେଥିରୁ ରକ୍ତ ମଧ୍ୟ ବାହାରୁଛି । କିନ୍ତୁ ସେଥିପ୍ରତି ଥାନାର କୌଣସି ଅଧିକାରୀଙ୍କର ସତେ ଯେପରି ନିଘା ନାହିଁ । ମହିଳାଙ୍କ ପାଖକୁ ଯିବାରୁ ତାଙ୍କ ପାଟିରୁ ଗୋଟାଏ କଥା ବାରମ୍ବାର ବାହାରୁଥିବା ଶୁଣିବାକୁ ମିଳିଥିଲା । ‘ରେ ହିମାଂଶୁ ତତେ ଧର୍ମ ବୁଝୁ’, ଦୁନିଆରେ ଯଦି ଧର୍ମ ବୋଲି କିଛି ଥିବ ତାହାହେଲେ ତୁ ନର୍କରେ ପଡ଼ିବୁ’ । ମହିଳାଙ୍କ ପାଟିରୁ ଥାନାଧିକାରୀ ହିମାଂଶୁଙ୍କ ନା’ଶୁଣିବା ଏବଂ ଥାନାଧିକାରୀଙ୍କୁ ସେ ଏପରି କହୁଥିବା ଦେଖି ଆମେ ମହିଳାଙ୍କ କ୍ଷେତ୍ରରେ କ’ଣ ସମସ୍ୟା ରହିଛି ତାହାକୁ ବୁଝିବାକୁ ଆରମ୍ଭ କରିଥିଲୁ ।

ମହିଳା ଜଣଙ୍କ କାନ୍ଦି କାନ୍ଦି ତାଙ୍କ ଦୁଃଖ ଆମ ନିକଟରେ ବଖାଣିଥିଲେ । ମହିଳାଙ୍କ ଘର ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ । ସେ ଖଣ୍ଡଗିରି ଥାନା ଅଞ୍ଚଳରେ ଗତ ୫ ବର୍ଷ ତଳେ ଏକ ଜାଗାକୁ ଭୁବନେଶ୍ୱର ତହସିଲରୁ କିଣିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଜାଗାଟିକୁ ସ୍ଥାନୀୟ ବରମୁଣ୍ଡା ହାଉସିଂ ବୋର୍ଡ ଅଞ୍ଚଳର ଜଣେ ବାହୁବଳୀ ବାବୁ ମାଡ଼ି ବସିଛନ୍ତି । ମହିଳାଙ୍କ ନିକଟରେ ଜାଗାର ସମସ୍ତ କାଗଜପତ୍ର ଥିଲେ ମଧ୍ୟ ବାବୁ ଜଣଙ୍କ ଜବରଦଖଲ କରିଥିବା ଜାଗାଟିକୁ ଛାଡ଼ିବାକୁ ଅମଙ୍ଗ । ଓଲଟା ମହିଳା କିମ୍ବା ସ୍ୱାମୀ ଉକ୍ତ ଜାଗାପାଖକୁ ଆସିଲେ ବାହୁବଳୀ ବାବୁ ଜଣଙ୍କ ତାଙ୍କୁ ମାଡ଼ ମାରୁଛନ୍ତି ।

ଏନେଇ ମହିଳା ଜଣଙ୍କ ଇତିମଧ୍ୟରେ ୩ଥର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ସୁଫଳ ମିଳୁନାହିଁ । ଏପରିକି ବାରମ୍ବାର ଜାଗାର ମାଲିକାଣୀ ହୋଇଥିଲେ ମଧ୍ୟ ଅସଦାଚରଣର ଶିକାର ହେଉଥିବା ମହିଳାଙ୍କ କ୍ଷେତ୍ରରେ ଥାନାଧିକାରୀ ହିମାଂଶୁ ଅଶଭ୍ୟ ଭାଷାର ପ୍ରୟୋଗ କରି ତାଙ୍କୁ ଥାନାରୁ ଘଉଡ଼ାଇ ଦେଉଛନ୍ତି । ଏପରିକି ହିମାଂଶୁ ଥାନା କଡ଼ରେ ଥିବା ନିଜ ବିଶ୍ରାମ ଘର ଭିତରକୁ ହାଉସିଂବୋର୍ଡର ସମ୍ପୃକ୍ତ ବାବୁଙ୍କୁ ଡାକି ମୋଟା ଅଙ୍କର ଟଙ୍କା ନେଇଥିବା ମଧ୍ୟ ମହିଳା ଜଣଙ୍କ ଦେଖିଥିବା ସ୍ପଷ୍ଟ କରିଛନ୍ତି । ଥାନା ସାମ୍ନାରେ ଛିଡ଼ା ହୋଇଥିବା ଦିନ ମଧ୍ୟ ମହିଳା ଜଣଙ୍କ ନିଜ ଜାଗା ପାଖକୁ ଯାଇ ସମ୍ପୃକ୍ତ ବାହୁବଳୀ ବାବୁଙ୍କ ଠାରୁ ମାଡ଼ ଖାଇ ଆସିଥିଲେ ମଧ୍ୟ ଥାନାରେ ତାଙ୍କ କଥା କେହି ଶୁଣିବାକୁ ଅପ୍ରସ୍ତୁତ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀର ଛାତି ଉପରେ ଜଣେ ମହିଳାଙ୍କୁ ଦିନ ଦ୍ୱିପହରେ ମାଡ଼ ମରାଯାଉଛି । ଯେଉଁଥିରେ ସେ ଆହତ ମଧ୍ୟ ହେଉଛନ୍ତି । କିନ୍ତୁ ନିଜକୁ ଶ୍ରେଷ୍ଠ ପୋଲିସିଂ ଦ୍ୱାହି ନେଇ କମିଶନରେଟରେ କାର୍ଯ୍ୟ କରୁଥିବା ଖଣ୍ଡଗିରି ଥାନାଧିକାରୀ ହିମାଂଶୁ ସ୍ବାଇଁ କରୁଛନ୍ତି କଣ ।

ପ୍ରକୃତରେ କଣ ହିମାଂଶୁ ମହିଳାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଛନ୍ତି କି ବୋଲି ରାସ୍ତାରେ ଯାଉଥିବା ଲୋକେ ମହିଳାଙ୍କ କଥା ଶୁଣି ପ୍ରଶ୍ନ ଉଠାଇଛନ୍ତି ।  ତେବେ ବୁଝୁବୁଝୁ ଏହା ଜଣାପଡ଼ିଛି କି, ଖଣ୍ଡଗିରି ଥାନାରେ ଯୋଗଦେବା ପରେ ସାଧାରଣରେ ଅତି ନରମ ପୁଲିସ ଅଧିକାରୀ ଭାବେ ଜଣା ହିମାଂଶୁ ଜାଗାବାଡ଼ି ବ୍ୟବସାୟରେ ନିଜକୁ ସମ୍ପୃକ୍ତ ରଖିଛନ୍ତି । ବାହାରୁ ବେଶ୍ ସାଦାସିଧା ଜଣାପଡ଼ୁଥିବା ହିମାଂଶୁ କିନ୍ତୁ ଇତିମଧ୍ୟରେ ବହୁଲକ୍ଷ ଟଙ୍କାର ମାଲିକାନା ହାତେଇ ସାରିଲେଣି

Share

Leave a Reply

Your email address will not be published. Required fields are marked *

three + 2 =