ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ଓଡ଼ିଶା ଗସ୍ତକୁ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି । ସେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବାଲାଙ୍ଗିର ଗସ୍ତରେ ଆସୁଥିବାରୁ ତାଙ୍କୁ  ୫ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଆଶା ରଖିଛନ୍ତି ଯେ, ମୋଦି ତାଙ୍କ ପ୍ରଶ୍ନର ଉତ୍ତର ଦେବେ ।

(୧) ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ବାମୀନାଥନ କମିଟି ସୁପାରିଶକୁ କାହିଁକି ଲାଗୁ କଲେ ନାହିଁ?

(୨) ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶୃତି ଗଲା କୁଆଡ଼େ? ଗୋଟିଏ ବି ପ୍ରକଳ୍ପ ପଶ୍ଚିମ ଓଡ଼ିଶାରେ କରିଛ କି? ନିଯୁକ୍ତି ସୃଷ୍ଟି କରିବାରେ କେତେ ଅର୍ଥ ବିନିଯୋଗ କରିଛ, ଉଲ୍ଲେଖ କରିବେକି? କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ନାଲକୋ, ହାଲ, ସଇଁତଳାରେ ଗୋଳାବାରୁଦ କାରଖାନା କରିଥିଲା ବେଳେ ଆପଣ ଗୋଟିଏ ବି କଳକାରଖାନା କାହିଁକି କରିପାରିଲେ ନାହିଁ – ଜବାବ ଦିଅନ୍ତୁ ।

(୩) ହାଲକୁ ରାଫେଲ ପ୍ରକଳ୍ପ ନ ଦେଇ ଅନିଲ ଅମ୍ବାନିଙ୍କୁ ଦେବା ଦ୍ବାରା ଓଡ଼ିଶାର ହଜାର ହଜାର ଯୁବକମାନଙ୍କୁ ଆପଣ କାହିଁକି କର୍ମ ନିଯୁକ୍ତିରୁ ବଂଚିତ କଲେ -ଜବାବ ଦିଅନ୍ତୁ ।

(୪) ଭାରତ ରତ୍ନ ସ୍ବର୍ଗତ ରାଜୀବ  ଗାନ୍ଧୀ କେବିକେ ପ୍ରକଳ୍ପ ଆରମ୍ଭ କରିଥିଲେ । ପରେ ପରେ ପଛୁଆ ଅଂଚଳ ଉନ୍ନୟନ ପ୍ରକଳ୍ପ କଂଗ୍ରେସ ଦଳ ତରଫରୁ ଆରମ୍ଭ କରାଯାଇଥିଲା । ଆପଣ ୪ବର୍ଷ ୯ ମାସ ମଧ୍ୟରେ ପ୍ରକଳ୍ପ ଗୁଡ଼ିକୁ କାହିଁକି ବନ୍ଦ କରିଦେଲେ ? କ୍ଷମତାକୁ ଆସିବାପରେ ପଶ୍ଚିମ ଓଡ଼ିଶା ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା କ’ଣ ଦେଇଛନ୍ତି? କାହିଁକି ସ୍ବତନ୍ତ୍ର ଆର୍ଥିକ ସହାୟତ ଓଡ଼ିଶାକୁ ଦିଆଗଲା ନାହିଁ – ଜବାବ ଦିଅନ୍ତୁ ।

(୫) ଚିଟଫଣ୍ଡରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ କାହିଁକି ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ?

ସେ କହିଛନ୍ତି ଯେ, ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତର ସ୍ବପ୍ନ କଦାପି ପୂରଣ ହେବ ନାହିଁ, ପରନ୍ତୁ ଆପଣଙ୍କ ଅହଂକାର ସ୍ବରୂପ ନିକଟ ଅତିତରେ ତିନୋଟି ପ୍ରଦେଶରେ କଂଗ୍ରେସକୁ ଲୋକେ ବିପୁଳ ସମର୍ଥନ ଦେଲେ ଓ ଆପଣଙ୍କ ଦଳର ସ୍ଥିତି କ’ଣ ଆପଣ ସହଜରେ ଅନୁମାନ କରିପାରିଥିବେ । ଓଡ଼ିଶାର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରି ଆପଣ ଯେତେ ସଂପର୍କ ଯୋଡ଼ିଲେବି ଆପଣଙ୍କ ଓଡ଼ିଶା ଆଗମନ ହୁଏତ ଆପଣଙ୍କ ଦଳୀୟ କର୍ମୀଙ୍କୁ ଆନନ୍ଦ ଦେଇପାରେ କିନ୍ତୁ କୋଟି କୋଟି ଓଡ଼ିଆଙ୍କ ସ୍ବାଭିମାନକୁ କୁଠାରାଘାତ ପାଇଁ ଆପଣ ସଂପୂର୍ଣ୍ଣ ଦାୟୀ । ଉଭୟ ଗାଲୁଆ ଓ ମିଛୁଆ ସରକାରଙ୍କ ଜୁମଲାବାଜିକୁ ଲୋକେ ଠିକ୍ ବୁଝିସାରିଲେଣି । କୋଟି କୋଟି ଟଙ୍କାରେ ନିର୍ବାଚନୀ ସଭା କରାଯାଇପାରେ ମାତ୍ର ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ମତ ବିଜେପି ସପକ୍ଷରେ ଅସମ୍ଭବ, କଂଗ୍ରେସ ହିଁ ଏକମାତ୍ର ସଂକଳ୍ପ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − eleven =