ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତା ପ୍ୟାକେଜ

18 ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ, 24 ସୁଦ୍ଧା ସହୟତା ବଣ୍ଟନ ନିର୍ଦ୍ଦେଶ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର 18 ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନଭେମ୍ବର 24 ତାରିଖ ସୁଦ୍ଧା ସହାୟତା ବଣ୍ଟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ କନଫରେନସିଂ ଜରିଆରେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ସମୟରେ କ୍ଷୟକ୍ଷତିର ଆକଳନ ଓ ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ ବିବରଣୀ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରିବା ଏବଂ ସହାୟତା ରାଶି କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ୱେବସାଇଟରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୁଲବୁଲ ବାତ୍ୟାରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ମୟୁରଭଂଜ ସମେତ 6ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷତି ଘଟିଛି । ଘର, ଫସଲର କ୍ଷତି ହେବା ସହିତ ଲୋକଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।

ଆଗାମୀ ଦୁଇ ଦିନ ମଧ୍ୟରେ ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ ସଂଯୋଗ ନ ଆସିବା ପର୍ଯ୍ୟନ୍ତ ଜେନେରେଟର ବ୍ୟବହାର କରି ଜଳଯୋଗାଣ ଚାଲୁ ରଖିବା ଏବଂ ଆବଶ୍ୟକ ସ୍ଥଳେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ଅଗ୍ନିଶମ ଓ ଓଡ୍ରାଫ ଟିମର ଉଦ୍ଧାର ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲ ।

ବୈଠକରେ ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଏକ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଏହି ପ୍ୟାକେଜ ଅନୁଯାୟୀ ଅଣ-ଜଳସେଚିତ ଜମି ପାଇଁ 33 ପ୍ରତିଶତ ବା ତଦୁର୍ଦ୍ଧ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା 6800 ଟଙ୍କା ଇନପୁଟ ସବସିଡି, ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା 13, 500 ଟଙ୍କା ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା 18 ହଜାର ଟଙ୍କା ପ୍ରଦାନ କରାଯିବ ।

କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ ସବସିଡି ପରିମାଣ 200 ଟଙ୍କାରୁ କମ ଏବଂ ଅନ୍ୟାନ ଫସଲ କ୍ଷେତ୍ରରେ 1000 ଟଙ୍କାରୁ କମ ହେବ ନାହିଁ । ରବି ଫସଳ 2019-20 ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ 50 ହଜାର ଟଙ୍କାର ବିହନ ମିନି କିଟ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଜିଲ୍ଲାରେ 45 ହଜାର ହେକ୍ଟର ଜମରେ ଡେମୋନଷ୍ଟ୍ରେସନ କାର୍ଯ୍ୟକ୍ରମ କରାଯିବ ।

ସେହିଭଳି କ୍ଷତିଗ୍ରସ୍ତ ଚାଷୀଙ୍କୁ 50 ପ୍ରତିଶତ ରିହାତିରେ 3000 ସ୍ପ୍ରେୟର ପ୍ରଦାନ କରାଯିବ । ବ୍ୟାଟେରୀ ଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ରିହାତି 3800 ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ରିହାତି 750 ଟଙ୍କା । ରବି 2019-20 ପାଇଁ 10 ହଜାର ପରିବା ମିନି କିଟ ପ୍ରଦାନ କରାଯିବ । ପ୍ରତ୍ୟେକ ଚାଷୀଙ୍କୁ 30 ୟୁନିଟ ପର୍ଯ୍ୟନ୍ତ ପାନବରଜର ପୁନରୁଦ୍ଧାର ପାଇଁ 15 ହଜାର ଟଙ୍କା ଦିଆଯିବ ।

50 ୟୁନିଟ ପର୍ଯ୍ୟ କ୍ଷତି ପାଇଁ ଛତୁ ଚାଷୀଙ୍କୁ 40 ହଜାର ଟଙ୍କା ମିଳିବ । ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟାନ କୃଷିସାମଗ୍ରୀ ଦେବା ପାଇଁ ପଦକ୍ଷେପ ନିଆଯିବ । ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବା ପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ତୁରନ୍ତ ଚୁଡାନ୍ତ କରାଯିବ । 33 ପ୍ରତିଶତ ବା ତଦୁର୍ଦ୍ଧ କ୍ଷତି ହୋଇଥିବା ଚୀଷୀଙ୍କୁ ରବି 2019 ପାଇଁ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ ।

କ୍ଷୀର ଦେଉନଥିବା ଗାଈ, ମଇଁଷି ପାଇଁ ସହାୟତା ପ୍ରତି ପ୍ରାଣୀ ପାଇଁ 30 ହଜାର ଟଙ୍କା ଏବଂ କ୍ଷୀର ଦେଉନଥିବା ପ୍ରାଣୀ ପାଇଁ 25 ହଜାର ଟଙ୍କା ଲେଖାଏଁ (3ଟି ପ୍ରାଣୀ), ବାଛୁରୀ ପାଇଁ 16 ହଜାର (6ଟି ପ୍ରାଣୀ ପର୍ଯ୍ୟନ୍ତ), ଛେଳି-ମେଣ୍ଢା ପାଇଁ 3000 ଟଙ୍କା (30ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡା ପାଇଁ ମୁଣ୍ଡପିଛା 50 ଟଙ୍କା (ସର୍ବୋଚ୍ଚ 5ହଜାର ଟଙ୍କା) ଦିଆଯିବ । ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ 4100 ଟଙ୍କା, ଆଂଶିକ କ୍ଷତି ହୋଇଥିବା ଜାଲ ପାଇଁ 2100 ଟଙ୍କା, ସଂମୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍କା ପାଇଁ 9600 ଟଙ୍କା ଏବଂ ସଂମୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ 2600 ଟଙ୍କା ସହାୟତା ଦିଆଯିବ ।

ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା 12,200 ଟଙ୍କା ଏବଂ ଇନପୁଟ ସବସିଡି ଭାବରେ ହେକ୍ଟର ପିଛା 8200 ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହି ପ୍ୟାକେଜ ଘୋଷଣା କରିଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + eighteen =