ନିଜ ଗ୍ରୁପ୍ ମହିଳାଙ୍କ ସହ ଫ୍ଲାଇଟରେ ବୁଲିବାକୁ ଲକ୍ଷ୍ୟ

ଭୁବନେଶ୍ବର: ବିରୋଧୀଙ୍କ ଅଭିଯୋଗରେ ପୂର୍ଣ୍ଣଛେଦ ନାହିଁ, ନବୀନଙ୍କ ନାରୀ ସଶକ୍ତିକରଣରେ ବି ପୂର୍ଣ୍ଣଛେଦ ନାହିଁ । ଗତ 18 ବର୍ଷ ହେଲା ରାଜ୍ୟରେ ନାରୀ ସଶକ୍ତିକରଣ କେବଳ ଧୂଆଁବାଣ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । କିନ୍ତୁ ଆଜି ମେକ ଇନ ଓଡିଶାର ମହିଳା ଉଦ୍ୟୋଗୀ ସମ୍ମିଳନୀରେ ସୁନ୍ଦରଗଡ ଜିଲ୍ଲାର ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଗାଁର ଜୟନ୍ତୀ ଏକ୍କାଙ୍କ ଅନୁଭୁତି ଶୁଣିଥିବା ବୁଦ୍ଧିଜୀବୀ ଓ ଶିଳ୍ପଦ୍ୟୋଗୀ ନିଶ୍ଚିତ ହୃଦୟଙ୍ଗମ କରିଥିବେ ପ୍ରକୃତ ମହିଳା ସଶକ୍ତିକରଣ କଣ ।

17 ବର୍ଷ ତଳେ 10 ଜଣ ମହିଳାଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ ଜୟନ୍ତୀ। ସାମ୍ନାରେ ଥିଲା ଜଟିଳ ଓ ସମସ୍ୟା ବହୁଳ ରାସ୍ତା । ସେ କିନ୍ତୁ ହାର ମାନନଥିଲେ । ସଙ୍ଘର୍ଷ କରି ଆଗେଇ ଚାଲିଥିଲେ । ଆଉ ଆଜି ସେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭରପୁର ମହିଳା ଶିଳ୍ପଦ୍ୟୋଗୀଙ୍କୁ ନିଜ ଅନୁଭୂତି ବଖାଣିଥିଲେ ଜୟନ୍ତୀ । ଗରିବ ପରିବାରର ଜନ୍ମ ହୋଇ ଅନେକ ସଂଘର୍ଷ ପରେ ସେ ଏବେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗୀ ପାଲଟିଛନ୍ତି । ମଞ୍ଚ ଉପରେ ନିଜର ସଂଘର୍ଷ ଓ ସଫଳତାର କାହାଣୀ ବଖାଣିଲେ ବେଳେ ସମସ୍ତଙ୍କୁ ଚକିତ କରିଦେଇଥିଲେ ଜୟନ୍ତୀ । ତାଙ୍କ ବକ୍ତବ୍ୟ ଏପରି ପ୍ରଭାବଶାଳୀ ଥିଲା ଯେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବ ଧ୍ୟାନର ସହ ଜୟନ୍ତୀଙ୍କୁ ଶୁଣୁଥିଲେ । ଶୀଘ୍ର ସାରିବାକୁ ଆୟୋଜକ ଅନୁରୋଧ କରୁଥିଲେ ବି କହିଚାଲିଥିଲେ ଜୟନ୍ତୀ ।

୨୦୦୧ ମସିହା ଯେବେଠାରୁ ରାଜ୍ୟରେ ମିଶନ ଶକ୍ତି ଆରମ୍ଭ ହୋଇଛି ସେବେଠାରୁ ଜୟନ୍ତୀ ନିଜକୁ ଏଥିରେ ସାମିଲ କରିଛନ୍ତି । ଗାଁର ୧୦ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା କଲ୍ୟାଣୀ ଏସଏଚଜି ଆଜି ମାସକୁ ୧୭ ଲକ୍ଷରୁ ଅଧିକ ଆୟ କରୁଛି । ଆଗକୁ ନିଜର ଲକ୍ଷ୍ୟ ସମ୍ପର୍କରେ ଜୟନ୍ତୀ କୁହନ୍ତି ଯେ ନିଜ ଗାଁ ଅମ୍ଭିକାପୁରରୁ ପୁରୀକୁ ଏକ ଏସି ବସ ଚଳାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହାସହ ନିଜ ଗ୍ରୁପର ୧୦ ଜଣ ମହିଳା ସଦସ୍ୟଙ୍କ ସହ ସେ ଫ୍ଲାଇଟରେ ବୁଲିବାକୁ ଇଛା ରଖିଛନ୍ତି ।

ଜନ୍ମରୁ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଜୟନ୍ତୀ ନିଜର ନିଷ୍ଠା, ସାଧନା ଓ ପରିଶ୍ରମ ଯୋଗୁଁ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ମିଶନ ଶକ୍ତି ତାଙ୍କୁ ଦେଇଛି ଅସଲ ଶକ୍ତି । ତାଙ୍କ ପ୍ରସଂସାରେ ଶତମୁଖ ହୋଇଥିଲେ ମଞ୍ଚାସୀନ ଅତିଥି ଏବଂ ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

3 + nine =