ଜିଲ୍ଲାପାଳ ବଦଳିରେ ନୀତି ଆୟୋଗଙ୍କ ପ୍ରସ୍ତାବରେ ଆପତ୍ତି ଉଠାଇଲା ବିଜେଡି

ଭୁବନେଶ୍ବର (ନିପ୍ର) ରାଜ୍ୟ ଅଧିକାର ଉପରେ କେନ୍ଦ୍ରର ହସ୍ତକ୍ଷେପର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ବଦଳି ସଂପର୍କରେ ନିକଟରେ ନୀତି ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଆକାଂକ୍ଷୀ ଜିଲ୍ଲା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କ ବାରମ୍ବାର ବଦଳାଯିବା ନେଇ ସେ ଆପତ୍ତି ଉଠାଇଛନ୍ତି । ବାରମ୍ବାର ଜିଲ୍ଲାପାଳଙ୍କ ବଦଳି ପରିବର୍ତ୍ତେ ଆକାଂକ୍ଷୀ ଜିଲ୍ଲାରେ ଦକ୍ଷ ଅଫିସରଙ୍କୁ ନିଯୁକ୍ତି କରିବାକୁ ନୀତି ଆୟୋଗ ପ୍ରସ୍ତାବ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ସହ ବିଭିନ୍ନ ବିଭାଗରେ ସଚିବଙ୍କ ନିଯୁକ୍ତି ସଂପୁର୍ଣ୍ଣ ଭାବେ ରାଜ୍ୟ ଅଧିକାରଭୁକ୍ତ । ରାଜ୍ୟ ପ୍ରଶାସନିକ ଦକ୍ଷତା ବୃଦ୍ଧି ସାଙ୍ଗକୁ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ସରକାର ଅଫିସରଙ୍କ ବଦଳି କରିଥାନ୍ତି । ଏଥିରେ ଅନ୍ୟ କାହାର ବା କେନ୍ଦ୍ରର ହସ୍ତକ୍ଷେପକୁ ରାଜ୍ୟ ଅଧିକାର ଉପରେ କେନ୍ଦ୍ରର ଅନଧିକାର ହସ୍ତକ୍ଷେପ ବୋଲି ଅଭିଯୋଗ କରିଛି ବିଜେଡି । ଖାସ ଏଇଥି ପାଇଁ ଓଡିଶା ଆରମ୍ଭରୁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ହେଉନଥିଲା । କିନ୍ତୁ ତାକୁ ନେଇ ବିଜେପି ଭିନ୍ନ ରାଜନୈତିକ ଚିତ୍ର ଦେଲା ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ ।

କେବଳ ବିଜେଡି ନୁହେଁ, କଂଗ୍ରେସ ମଧ୍ୟ ନୀତି ଆୟୋଗର ଏଭଳି ପ୍ରସ୍ତାବକୁ ନେଇ ଆପତ୍ତି ଉଠାଇଛି । ଅଫିସର ନିଯୁକ୍ତି ବା ବଦଳି ସଂପୂର୍ଣ୍ଣ ଭାବେ ରାଜ୍ୟ ଅଧିକାରଭୁକ୍ତ । ଏଥିରେ କେନ୍ଦ୍ରର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ସେପଟେ ବିଜେପି କିନ୍ତୁ କହିଛି, ନୀତି ଆୟୋଗ ହସ୍ତକ୍ଷେପ କରିନି ବରଂ ଆକାଂକ୍ଷୀ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନୀତି ଆୟୋଗ ଏଭଳି ପରାମର୍ଶ ଦେଇଛନ୍ତି । ଏହାକୁ ଶାସକ ଦଳ ଭିନ୍ନ ଢଙ୍ଗରେ ଚିତ୍ରଣ କରୁଛି ।

ରାଜ୍ୟରେ ଅଫିସରଙ୍କ ବଦଳି ସମୟ ସୀମା ସଂପର୍କରେ ଯଦିଓ ସେଭଳି କିଛି ନୀତି ନିର୍ଦ୍ଧାରିତ ହୋଇନି ତଥାପି ସାଧାରଣତଃ ଗୋଟିଏ ଗୋଟିଏ ବିଭାଗ ଦାୟିତ୍ବରେ ଜଣେ ଲେଖାଏଁ ଅଫିସରଙ୍କୁ ଅନ୍ୟୁନ ତିନି ବର୍ଷ ପାଇଁ ଅବସ୍ଥାପିତ କରାଯାଇଥାଏ । ଏପରିକି ଜିଲ୍ଲାପାଳଙ୍କ ବଦଳି ମଧ୍ୟ ୩ ବର୍ଷ ପୂର୍ବରୁ ହୋଇନଥାଏ । ତେବେ ଜରୁରୀ କାଳିନ ପରିସ୍ଥିତିରେ ସରକାର ଆବଶ୍ୟକ ମନେକଲେ ଜିଲ୍ଲାପାଳ ଏବଂ ଅନ୍ୟ ଅଫିସରଙ୍କ ବଦଳି କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

17 − two =