କ୍ୟାବିନେଟର ଶଙ୍କଳ୍ପ : ଦେଢଗୁଣା ହେଉ ଏମଏସପି

ଭୁବନେଶ୍ବର () ଚାଷୀଙ୍କ ପାଇଁ ଏମଏମପି ବା ସର୍ବନିମ୍ନ ସହାୟକମୂଲ୍ୟ ଦେଢଗୁଣା ହେଉ । ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ଏମଏସପି କରିବାକୁ ରାଜ୍ୟ କ୍ୟାବିନେଟ ଦାବି କରି ଆଜି ପୁଣି ଥର ଶଙ୍କଳ୍ପ ପାରିତ କରିଛି ।  ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ଚାଷୀ ହେଉଛି ଆମ ଅର୍ଥନୀତିର ଆତ୍ମା ଓ ମୌଳିକ ଶକ୍ତି । ଚାଷୀର ଉନ୍ନତିରେ ହିଁ ଆମ ଦେଶ ଓ ସମାଜ ସମୃଦ୍ଧ ହୋଇଥାଏ । ତେଣୁ ଚାଷୀ ଓ ଚାଷ ପ୍ରତି ଅବହେଳା ଆତ୍ମଘାତି ସଦୃଶ ହୋଇଥାଏ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ସରକାର ପ୍ରଥମରୁ ହିଁ କୃଷିକୁ ପ୍ରାଥମିକତା ଦେଇଆସିଛି ଓ ଚାଷୀ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଆସିଛି । ତା ସହିତ ଚାଷୀର ରୋଜଗାରକୁ ଦୁଇଗୁଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛି । ଆମର ନୂଆ କୃଷି ନୀତି-୨୦୨୦ ସମୃଦ୍ଧି ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଦ୍ରୁତ କୃଷି ଅଭିବୃଦ୍ଧି ଉପରେ ହିଁ କେନ୍ଦ୍ରୀତ ହୋଇଆସିଅଛି। ଚାଷକୁ ଲୋଭଜନକ କରିବା ଏବଂ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ ।

ଗତ ୧୬ ବର୍ଷ ମଧ୍ୟରେ ଆମ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଅଛି । କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ବତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରୁଥିବା ବେଳେ କାଳିଆ ଯୋଜନା ପରି ଐତିହାସକ ପଦକ୍ଷେପ ଗ୍ରହଣ କରି ସାରା ଭାରତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଚାଷୀର ରୋଜଗାର ବୃଦ୍ଧିରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ସେହିପରି ଆମର ଆଦିବାସୀ ଅଞ୍ଚଳ ମାନଙ୍କର ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆମେ ଆରମ୍ଭ କରିଥିବା ମାଣ୍ଡିଆ ମିଶନ ରୋଜଗାର ବୃଦ୍ଧିରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଅଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ନିକଟ ଅତୀତରେ ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୪୦ଟି ପଛୁଆ ବ୍ଲକ୍‌ରେ Agriculture Production Cluster Programme ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରନ୍ତି । ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଡକ୍ଟର ଏମ.ଏସ. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିସନ ସର୍ବନିମ୍ନ ସହାୟକ ମୂଲ୍ୟକୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ । ସ୍ବାମୀନାଥନ କମିଟିର ସୁପାରିଶ କୁ କାର୍ଯ୍ୟ କାରୀ କରିବା ପାଇଁ ରାଜ୍ୟ କାବିନେଟ ତାର ଦାବି କୁ ପୁଣିଥରେ ଦୋହରା ଉଛି

୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇ ଥର ଓଡିଶା ବିଧାନ ସଭା ସ୍ବାମୀନାଥନ କମିଶନଙ୍କ ସୁପାରିଶ ଭିତିରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମଧ୍ୟ ସର୍ବସମ୍ମତ ପ୍ରସ୍ତାବ ପାରିତ କରିଛି । କୌଣସ ଚାଷୀ ଯେପରି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ନ ହେବ, ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହା ତାର ହକ୍‌ । ଭାରତ ପରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଅଧିକାର । ଚାଷୀ ଖରା ବର୍ଷା ସହି କ୍ଷେତରେ ଖଟିଲେ ସବୁ ପରିବାରର ରୋଷେଇ ଘରେ ଚୁଲି ଜଳେ। ତେଣୁ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରେ ସନ୍ଦେହରେ ରୁହେ, ତେବେ ଚାଷୀ ଓ ଚାଷ ସହିତ ଆମ ଅର୍ଥନୀତି ସଂକଟକୁ ଆସିଯିବ। ଚାଷୀର ସ୍ବାର୍ଥକୁ ଅଣଦେଖା କରି ବିକାଶର ସ୍ବପ୍ନ ଅବାସ୍ତବ। କରୋନା ସମୟରେ ଅର୍ଥନୀତିର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, ଚାଷୀର ପରିଶ୍ରମ ହିଁ ସଂଜୀବନୀ ସଦୃଶ ଅର୍ଥନୀତିକୁ ବଞ୍ଚାଇ ରଖିଛି । ତେଣୁ ଅନ୍ୟ ସବୁ କ୍ଷେତ୍ରରେ ରୋଜଗାରରେ ଯେପରି ବୃଦ୍ଧି ଘଟୁଛି, ତା ସହିତ ତାଳ ଦେଇ ଚାଷୀର ରୋଜଗାର ମଧ୍ୟ ବଢିବା ଉଚିତ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରୋଜଗାର ବଢିବା ଦରକାର । ଚାଷ କୁ ଲାଭଜନକ କରିବା ଏବଂ ଚାଷୀକୁ ସମସ୍ତ ପ୍ରକାର ଆଶଙ୍କାରୁ ସୁରକ୍ଷା ଦେବା ପାଇଁ କୃଷିଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ନେଇ ସ୍ଥିରୀକୃତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ବାମୀନାଥଙ୍କ କମିସନଙ୍କ ସମସ୍ତ ସୁପାରିଶକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ଓଡିଶା ସରକାର ତାଙ୍କ ସଂକଳ୍ପକୁ ପୁନଃ ଘୋଷଣା କରୁଛନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + sixteen =