ଦୁର୍ନୀତି ବିକାଶ ଧାରାକୁ ଭୁଲୁଣ୍ଠିତ କରେ

ଭୁବନେଶ୍ବର () ପ୍ରଶାସନରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ଅଭିମୁଖ୍ୟକୁ ସଶକ୍ତ କରିବାକୁ ସାଧାରଣ ଲୋକେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ନେଇଥିବା ସଙ୍କଳ୍ପକୁ ପୁର୍ନଜୀବିତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହି ଆହ୍ବାନ ଦେବା ସହ ଦୁର୍ନୀତି ନିବାରଣ ବିଭାଗର କିଛି ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଦୁର୍ନୀତି ସଚେତନତା ସପ୍ତାହରେ ବିଭିନ୍ନ ସ୍କୁଲ ଓ କଲେଜରେ ସାଧୁତା କ୍ଲବ ଏବଂ ସ୍ବୟଂ ସହାୟକ ଗୋଷ୍ଠିର ସହଯୋଗରେ ପଂଚାୟତ ସ୍ତରରେ ଗ୍ରାମସଭା ସଚେତନତା କାର୍ଯ୍ୟକ୍ରମର ଆୟୋଜନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହି ଅବସରରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ 5-ଟି କାର୍ଯ୍ୟକ୍ରମରେ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଏହାଦ୍ବାରା ରୂପାନ୍ତରଣର ଲକ୍ଷ୍ୟ ହାସଲ ହେବା ସହଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇଦିଆଯାଇପାରିବ । ଦୁର୍ନୀତି ବିକାଶ ଧାରାରେ ମୁଖ୍ୟ ପ୍ରତିବନ୍ଧକ ହୋଇଥାଏ । ଏହା ଗଣତନ୍ତ୍ରର ମୂଳଦୁଆକୁ କ୍ଷୟ କରିବା ସହ ଲୋକ ମର୍ଯ୍ୟାଦାର ସହ ବଂଚିବାର ଅଧିକାର ହରାନ୍ତି ଏବଂ ଲୋକଙ୍କ ଆଶା ଆକାଂକ୍ଷା ମଧ୍ୟ ଧୁଳିସାତ ହୋଇଥାଏ ।

ସେଥିପାଇଁ ସରକାର ପ୍ରଶାସନରେ ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ଲୋକଙ୍କୁ ସ୍ବଚ୍ଛତାର ସହ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସୁଫଳ ମିଳିବ । ଏଥିପାଇଁ ମୋ ସରକାର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଲୋକେ ଯେଉଁମାନେ ପ୍ରଶାସନରେ ପ୍ରକୃତ ମାଲିକ ସେମାନଙ୍କୁ ସଶକ୍ତ କରାଯାଉଛି ବୋଲି ସେ କହିଥିଲେ ।

ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗକୁ ଅଧିକ ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ଦୁର୍ନୀତି ନିବାରଣ ଅଧିକାରୀମାନେ ଅଧିକ ବୃତିଗତ ଭାବେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବା ସହ ଲୋକଙ୍କ ସେବା ମଧ୍ୟ କରିପାରିବେ । ରାଉଲକେଲାରେ ଆଉ ଏକ ଭିଜିଲାନ୍ସ ଡିଭିଜନ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିସାରିଛି । ଏଥିସହିତ ଭୁବନେଶ୍ବର ଠାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦୁର୍ନୀତି ନିବାରଣ ଅଫିସରଙ୍କ ଦକ୍ଷତା ଓ ଜ୍ଞାନ ବୃଦ୍ଧି କରାଯିବ । ଦୁର୍ନୀତି ନିର୍ବାରଣ ବିଭାଗର ଅଧିକାରୀମାନେ ଆଗାମୀ ଦିନରେ ମଧ୍ୟ ଉତ୍ତମ ପେଶାଗତ କାର୍ଯ୍ୟ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ରାଜ୍ୟ ସ୍ତରୀୟ ଦୁର୍ନୀତି ସଚେତନତା ସପ୍ତାହ ପାଳନ ଅବସରରେ ସମସ୍ତେ ସାଧୁତାର ଶପଥ ନେଇଥିଲେ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭିଜିଲାନ୍ନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଏହି ଅବସରରେ ଭିଜିଲାନ୍ସ ଏସପି ସାର୍ଥକ ଷଢଙ୍ଗୀଙ୍କୁ ରାଜ୍ୟର ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ ପୁରସ୍କୃତ କରାଯାଇଥିଲା ବେଳେ ବଲାଙ୍ଗିର ୟୁନିଟ ଭିଜିଲାନ୍ସ ଇନ୍ସପେକ୍ଟର ସଦାନନ୍ଦ ପାଣୀଙ୍କୁ ଶ୍ରେଷ୍ଠ ତଦନ୍ତକାରୀ ଅଫିସର, ଯାଜପୁର ୟୁନିଟ ଭିଜିଲାନ୍ସ ଇନ୍ସପେକ୍ଟର ଅନସୂୟା ସେନାପତିଙ୍କୁ ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର, ଝାରୁସୁଗୁଡା ଭିଜିଲାନ୍ସ ୟୁନିଟକୁ ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟ ଭାବେ, ହେମନ୍ତ କୁମାର ସ୍ବାଇଁଙ୍କୁ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ପୁରସ୍କୃତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

20 − eighteen =