ଏବେ ଚେତା ପଶିଲା, 7 ନୂଆ ଡ୍ରେନର ପରିକଳ୍ପନା

ଭୁବନେଶ୍ବର () ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ବର ଜଳବନ୍ଦୀ ହେବା ପରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମସି ପକ୍ଷରୁ ୯.୪୫ କୋଟି ଟଙ୍କା ବ୍ୟୟରେ ୭ ଟି ନୂଆ ଡ଼୍ରେନ୍ ନିର୍ମାଣର ଯୋଜନା କରାଯାଇଛି । ଏହି ନୂଆ ଡ଼୍ରେନ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ଏନେଇ ଆଜି ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ବିଏମସିର ସବୁ ବରିଷ୍ଠ ଅଧିକାରୀବୃନ୍ଦ, ୱାର୍ଡ଼ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର, ଇଂଜିନିୟର ଏବଂ ବିଶେଷଜ୍ଞମାନେ ଯୋଗଦେଇଥିଲେ । ବୈଠକରେ ସହରର ସମସ୍ତ ତଳିଆ ଅଂଚଳ ଉପରେ ତୀକ୍ଷ୍ନ ନଜର ରଖିବାକୁ ନିଷ୍ପତ୍ତି ହୋଇଛି । ପୂରା ବିଏମସି ଅଂଚଳକୁ ୧୨ ଟି ସବ୍-ଜୋନରେ ବିଭକ୍ତ କରାଯାଇ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନେତୃତ୍ବ ନେଇ ନିଜ ନିଜର ଦଳ ସହିତ ସଂପୃକ୍ତ ଅଂଚଳଗୁଡ଼ିକୁ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ସବ୍ ଜୋନର ନୋଡ଼ାଲ୍ ଅଧିକାରୀଙ୍କୁ ପ୍ରତିଦିନ ପୂର୍ବାହ୍ନରେ ସ୍ଥିତିର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତିଦିନ ସନ୍ଧ୍ୟାରେ ସ୍ଥିତିର ଆକଳନ ଏବଂ ନିଆଯାଇଥିବା ତ୍ବରିତ ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯିବ । ପରିମଳ କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡ଼ିକୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ, ଉପକରଣ ଓ ଗାଡ଼ି ସହିତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସିର ମେକାନିକାଲ୍ ଇଂଜିନିୟରିଙ୍ଗ୍ ବିଭାଗକୁ ସହରର ତଳିଆ ଅଂଚଳରେ ଜଳନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟାରେ ପମ୍ପ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆ କରି ନିର୍ମାଣ ହେବାକୁ ଥିବା ଡ୍ରେନଗୁଡ଼ିକ ମଧ୍ୟରେ ରହିଛି ୱାର୍ଡ଼ ୬୨ ଅନ୍ତର୍ଗତ ଅନନ୍ତ ବିହାର ଫେଜ୍-୨ରେ ସ୍ଲାବ୍ ଆବୃତ ଡ୍ରେନ୍ ବ୍ୟବସ୍ଥା, ୱାର୍ଡ଼ ୬୫ ଅନ୍ତର୍ଗତ ଡୁମୁଡୁମା ହାଉସିଙ୍ଗ୍ ବୋର୍ଡ଼ କଲୋନୀ ଫେଜ୍ -୪ରେ ସ୍ଲାବ୍ ଆବୃତ ଡ୍ରେନ୍ ବ୍ୟବସ୍ଥା, ୱାର୍ଡ଼ ୨୪ ଅନ୍ତର୍ଗତ ଜଗନ୍ନାଥ ବିହାର ଲେନ୍ -୩ରେ ପ୍ଲଟ୍ ନମ୍ବର ୩୮୭ ରୁ ୫୯/୫୫୩ ଯାଏଁ ଡ୍ରେନ୍ ବ୍ୟବସ୍ଥା, ୱାର୍ଡ଼ ୧୯ ଅନ୍ତର୍ଗତ ଭାଗବତ ସନ୍ଧାନ ଅଂଚଳରେ ଡ୍ରେନ୍ ନିର୍ମାଣ, ୱାର୍ଡ଼ ୪୨ ଅନ୍ତର୍ଗତ ଶ୍ରୀୟା ଟକିଜ୍ ପଛ ଡ୍ରେନେଜ୍ ଚାନେଲ୍ ୫ର ନବୀକରଣ ଓ ପୁନରୁଦ୍ଧାର, ଓମ୍ଫେଡ଼ ପଛ ପାଖରୁ ଗୁରୁ କେଳୁଚରଣ ମହାପାତ୍ର ପାର୍କ ରାସ୍ତା ଦେଇ ଡ୍ରେନେଜ୍ ଚାନେଲ୍ ୧ ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ଏବଂ ୱାର୍ଡ଼ ୩ ଅନ୍ତର୍ଗତ ଅହଲ୍ୟା ନଗରର ଡ୍ରେନ୍ ବ୍ୟବସ୍ଥାର ଉନ୍ନତୀକରଣ । ଏହି ନୂଆ ଡ୍ରେନ୍ ନିର୍ମାଣ ଜଳବନ୍ଦୀ ହେଉଥିବା ଅଂଚଳ ଗୁଡ଼ିକରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଗମ ହେବ ବୋଲି ବିଏମସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =