ଅନୁମୋଦନ ଅପେକ୍ଷାରେ ୬ ଅଧ୍ୟାଦେଶ

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ () ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଆଜି ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ଦଳର ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସରକାର ସମସ୍ତ ରାଜନୈତିକ ଦଳ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ବ ଦିଅନ୍ତି । ଜାତୀୟ ସ୍ବାର୍ଥ ହାସଲ ଲାଗି ସମସ୍ତ ରାଜନୈତିକ ଦଳ ଗୃହରେ ସାମୂହିକ ଭାବେ ଏକ ଗଠନମୂଳକ ପରିବେଶ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ । ସମସ୍ତ ଦଳ ଗୃହର ସୂଚାରୁ ପରିଚାଳନାରେ ସହଯୋଗ କରିବା ସହ ଗଠନମୂଳକ ଆଲୋଚନାରେ ଭାଗ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ବୈଠକରେ ବିଭିନ୍ନ ଦଳ ପକ୍ଷରୁ ଅନେକଗୁଡ଼ିକ ପ୍ରସଙ୍ଗ ଉତଥାପିତ କରାଯାଇଥିଲା । ତେବେ ଗୃହକୁ ବିନା ବାଧାରେ ସୁଚାରୁ ପରିଚାଳନା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ନେତା ସହମତ ହୋଇଥିଲେ । ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତକୁମାର ଗଣମାଧ୍ୟମକୁ କହିଥିଲେ ଯେ, ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ସରକାର ସମସ୍ତ ରାଜନୈତିକ ଦଳ ବିଶେଷ କରି ବିରୋଧୀ ଦଳର ସହଯୋଗ ଲୋଡ଼ିଥିଲେ । ସଂସଦରେ ବିନା ବାଧାରେ କାର୍ଯ୍ୟ ହେଉ ବୋଲି ଦେଶବାସୀଙ୍କ ଇଚ୍ଛା । ତେଣୁ ଦେଶର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ଦଳର ସହଯୋଗ ସରକାର ଲୋଡ଼ିଛନ୍ତି । ଫଳପ୍ରଦ ମୌସୁମୀ ଅଧିବେଶନ ସପକ୍ଷରେ ସବୁ ଦଳ ଥିବା ସେ କହିଛନ୍ତି । ସାମ୍ବିଧାନିକ ଆଇନ ଅନୁସାରେ ଯେକୌଣସି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସରକାରର ପ୍ରସ୍ତୁତ ଥିବା ସେ କହିଥିଲେ । ଅଧିବେଶନକୁ ଫଳପ୍ରଦ କରିବା ଦିଗରେ କୌଣସି ପ୍ରକାର ସୁଯୋଗ କିମ୍ବା ପ୍ରଚେଷ୍ଟାକୁ ସରକାର ହାତଛଡ଼ା କରିବେ ନାହିଁ ବୋଲି ସେ କହିଥିଲେ ।

ଅନନ୍ତ କୁମାର ପୁଣି କହିଥିଲେ ଯେ, ସଂସଦର ମୌସୁମୀ ଅଧିବେଶନ ୧୮ (ବୁଧବାର) ଜୁଲାଇ ୨୦୧୮ରୁ ଆରମ୍ଭ ହେବ । ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଏହା ଚାଲିବ ଏବଂ ୧୦ (ଶୁକ୍ରବାର) ଅଗଷ୍ଟ ୨୦୧୮ରେ ଏହା ଶେଷ ହେବାର ସମ୍ଭାବନା ରହିଛି । ମୋଟ ୨୪ ଦିନର ଅଧିବେଶନରେ ୧୮ଟି କାର୍ଯ୍ୟଦିବସ ରହିଛି । ଏଥିମଧ୍ୟରେ ୩ଟି ବେସରକାରୀ କାର୍ଯ୍ୟଦିବସ ଅର୍ନ୍ତଭୁକ୍ତ । ଗୃହରେ ଆଲୋଚନା ପାଇଁ ୪୮ଟି ପ୍ରସଙ୍ଗ ଧାର୍ଯ୍ୟ ହୋଇଛି । ଏଥିରେ ୪୬ଟି ବିଲ୍ ଏବଂ ୨ଟି ଆର୍ଥିକ ପ୍ରସଙ୍ଗ ରହିଛି ।

ପୂର୍ବରୁ ଅଣାଯାଇଥିବା ୬ଟି ଅଧ୍ୟାଦେଶକୁ ଏହି ଅଧିବେଶନ କାଳରେ ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

two + nine =