ଚାଷୀଙ୍କୁ ନବୀନଙ୍କ ଚିଠି : କାଳିଆ ଯୋଜନା ଉପରେ ମୁଁ ରଖିଛି ନଜର

ଭୁବନେଶ୍ବର () କାଳିଆ ଯୋଜନାର ଶୁଭାରମ୍ଭ ପରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କାଳିଆ ଯୋଜନାର ସୁଫଳ ନେବାକୁ ପରାମର୍ଶ ଦେଇଛନ୍ତି । ଆଜି କାଳିଆ ଯୋଜନା ଶୁଭାରମ୍ଭ ଅବସରରେ 2ଲକ୍ଷରୁ ଅଧିକ ଚାଷୀଙ୍କ ସମାଗମକୁ ଦେଖି ଭାବବିହ୍ବଳ ନବୀନ ସେମାନଙ୍କୁ ଚିଠି ଲେଖି ଏହି ପରାମର୍ଶ ଦେଇଛନ୍ତି ।

ଶ୍ରୀଜଗନ୍ନାଥଙ୍କୁ ପ୍ରମାଣ ଜଣାଇ ନବୀନ ଲେଖିଥିବା ଚିଠିରେ କହିଛନ୍ତି ଯେ, ଗରିବୀ ଆଉ ଓଡିଶାର ପରିଚୟ ହୋଇ ନାହିଁ । ଗରିବୀ ହ୍ରାସ କରିବା ଦିଗରେ ଓଡିଶା ସାରା ଦେଶରେ ସବୁଠୁ ଆଗରେ । ଏହା କେନ୍ଦ୍ର ସରକାରଙ୍କ ରିପୋର୍ଟ କହୁଛି ।

“ଆପଣାନେ କାଳିଆ ଯୋଜନାରେ ସାମିଲ ହୋଇଥିବା ଜାଣି ମୁଁ ବହୁତ ଖୁସି । ରାଜ୍ୟରେ କୃଷିର ବିକାଶ ପାଇଁ ଆପଣଙ୍କ, ଆମ ଚାଷୀ ଭାଇଭଉଣୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସାରା ଦେଶରେ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା । ଏହା ଚାଷୀ ଓ ଚାଷର ସମସ୍ୟା ଦୂର କରିବା ସହିତ ଗରିବୀ ଦୂର କରିବା ଦିଗରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ କାମ କରିବ” ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ ଉପକାର ପାଇବେ । ଛୋଟ ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକ ସମସ୍ତେ ଏଥିରେ ସୁବିଧା ପାଇବେ । ଜମିର ପରିମାଣ କମ ଥାଉ ବା ବେଶୀ, ସହାୟତା ସହିତ ଏହାର କୌଣସି ସଂପର୍କ ନାହିଁ । ଖରିଫ ଓ ରବି ଦୁଇଟି ଫସଲ ଋତୁ ପାଇଁ ଆପଣ ପାଂଚ ହଜାର ଲେଖାଏଁ ପାଇବେ । ଆପଣ ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ପାଇପାରିବେ । ଚାଷ କାମ କରିପାରୁନଥିବା ଚାଷୀ, କୃଷି ଶ୍ରମିକଙ୍କ ଜୀବନଜୀବିକା ପାଇଁ 12,500 ଟଙ୍କାର ସହାୟତା ମଧ୍ୟ କାଳିଆ ଯୋଜନାରେ ରହିଛି । ମୁଁ ଆଶା କରୁଛି ଏହି ସହାୟତାକୁ ଆପଣ ଚାଷ କାମରେ ଲଗାଇବେ ଏବଂ କୃଷି କ୍ଷେତ୍ରରେ ଓଡିଶାକୁ ଆହୁରି ଆଗକୁ ନେବେ ।

“ମୁଁ ସବୁବେଳେ ଆପଣଙ୍କ ସୁଖ ଦୁଃଖରେ ଅଛି । ଆମ ଚାଷୀ ଭାଇଭଉଣୀଙ୍କ ସାଥିରେ ଅଛି । ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବଂଚିତ ନହୁଏ, ତା ଉପରେ ମୁଁ ନଜର ରଖିଛି । ଆପଣଙ୍କ ଖୁସିରେ ମୋର ଖୁସି” ।

ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, 1999 ମହାବାତ୍ୟା ସାରା ଓଡିଶାକୁ ଛାରଖାର କରିଦେଇଥିଲା । ସବୁଆଡେ ଥିଲା କେବଳ ହତାଶା । ଚାଷବାସ ନଷ୍ଟ ହୋଇଯାଇଥିଲା । ହଜାର ହଜାର ଲୋକ ବେସାହାରା ହୋଇଯାଇଥିଲେ । ଏଭଳି ଏକ ସମୟରେ 2000 ମସିହାରେ ବିଜେଡି ସରକାର ଶାସନ ଦାୟିତ୍ବ ନେଇଥିଲା । ଆଗରେ ଥିଲା ଅନେକ ଆହ୍ବାନ । କିନ୍ତୁ ଚାଷୀ ଭାଇଭଉଣୀଙ୍କ ସହଯୋଗରେ ଏହି ଆହ୍ବାନର ମୁକାବିଲା ପାଇଁ ସେ ସାହସର ସହ କାମ ଆରମ୍ଭ କରିଥିଲେ ।

2000 ମସିହାରେ ଓଡିଶା ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ରାଜ୍ୟକୁ ଚାଉଳ ଯୋଗାଇବାକୁ ମୁଁ ବହୁବାର କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି । ଓଡିଶାକୁ ଚାଉଳ ପହଁଚାଇବା ପାଇଁ ରେଳ ୱାଗନ ବ୍ୟବସ୍ଥା କରିବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ମଧ୍ୟ ଅନୁରୋଧ କରାଯାଉଥିଲା । ବାତ୍ୟା ବନ୍ୟା ସମୟରେ ଲୋକଙ୍କୁ ରିଲିଫ ଦେବାକୁ ଆମ ପାଖରେ ଚାଉଳ ନଥିଲା । ଏବେ କିନ୍ତୁ ଓଡିଶାକୁ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ କରାଯାଇଛି । 2007ରୁ ପରିସ୍ଥିତି ବଦଳିଥିଲା । ଜଳସେଚନର ଉନ୍ନତି, ବୈଷୟିକ ଜ୍ଞାନର ପ୍ରୟୋଗ ଓ ସୁବିଧାରେ ଋଣ ବ୍ୟବସ୍ଥା ଯୋଗୁଁ ପରିସ୍ଥିତିରେ ଉନ୍ନତି ଆସିଥିଲା । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଚାଷୀ ଭାଇଙ୍କ ସହଯୋଗ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବି ହୋଇଛି ।

Share

Leave a Reply

Your email address will not be published. Required fields are marked *

14 + 9 =