ସ୍ମାର୍ଟ ସିଟି ଚାଦର ତଳେ କୃତ୍ରିମ ବନ୍ୟା

ଭୁବନେଶ୍ବର () ମାତ୍ର କେଇ ଘଂଟାର ବର୍ଷାରେ ବିଗିଡି ଯାଇଛି ସ୍ମାର୍ଟ ସିଟି ଭୁବନେଶ୍ବରର ଚିତ୍ର । ବର୍ଷା ସମୟରେ ଏ ଚିତ୍ରକୁ ଦେଖିଲେ ଭୁବନେଶ୍ବରକୁ ସ୍ମାର୍ଟ ସିଟି କହିବାକୁ ଲାଜ ଲାଗୁଛି । ଭୁବନେଶ୍ବରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା। ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ବରରେ କେବଳ ରାସ୍ତାରେ ଲହଡି ମାରିନି ଆଣ୍ଠୁଏ ଉଚ୍ଚର ପାଣି, ଲୋକଙ୍କ ଘରେ ବି ପଶିଲା କୃତ୍ରିମ ବନ୍ୟା ପାଣି । ରାଜପଥ ମଝିରେ ଅଟକିଗଲା ଯାତ୍ରୀବାହି ବସ୍ । ଆଚାର୍ଯ୍ୟ ବିହାର ଏବଂ ଜୟଦେବ ବିହାର ଅଂଚଳରେ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଘର ଭିତରେ ଭାସିଲା ଆସବାବପତ୍ର । ଲୋକେ ନଖାଇ ନପିଈ ପାଣି କମିବାକୁ ଅପେକ୍ଷା କରି ରହିଛନ୍ତି ।

ରାସ୍ତାରେ ପାଣି ନା’ ପାଣିରେ ରାସ୍ତା ତାହା ଜାଣିବା ସେତେବେଳେ କଷ୍ଟ ହୋଇଯାଏ, ଯେତେବେଳେ ରାଜପଥରେ ବସ୍ ଗଡ଼ିବା ବଦଳରେ ଭାସିବା ସ୍ଥିତିରେ ନଜର ଆସେ । ଭୁବନେଶ୍ବର ଇସ୍କନ୍ ସାମ୍ନାର ଏଭଳି ସ୍ଥିତି ଦେଖିବା ପରେ ମନରେ ଗୋଟିଏ କଥା ଉଙ୍କି ମାରୁଛି ଯେ, ବର୍ଷା ଦିନେ ଏହି ରାସ୍ତାରେ ବସ୍ ଚାଲିବ ନା’ ବୋଟ୍ ଚାଲିବ । ଯାତାୟତରେ ଲୋକଙ୍କ ସାହାରା ହେଉଥିବା ବସ୍, ଏବେ ପାଣି ଘେରରୁ ମୁକୁଳିବା ପାଇଁ ଲୋକଙ୍କ ସାହାରାକୁ ଚାହିଁ ରହିଛି । ଆଉ ପାରୁ ପର୍ଯ୍ୟନ୍ତେ ବସଟିକୁ ଠେଲି ଠେଲି କୃତ୍ରିମ ବନ୍ୟାରୁ ଉଦ୍ଧାର କରୁଛନ୍ତି । ଲୋକମାନେ ଅଟକି ରହିଥିବା ବସଟିକୁ ଠେଲୁ ନାହାଁନ୍ତି, ବରଂ ପ୍ରଶାସନର ଅପାରକତାକୁ କୂଳରେ ଲଗାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ।

ପୋଖରୀର ଭ୍ରମ ସୃଷ୍ଟି କରୁଥିବା ଘର ଭିତରେ ଯେମିତି ଅସହାୟ ପାଲଟି ଯାଇଛି ମଣିଷ । ସ୍ବେରେଜ୍ ଓ ଡ୍ରେନେଜର ଲମ୍ବା ଲମ୍ବା ପ୍ରତିଶ୍ରୁତି, ସତେ ଯେମିତି ଏହି ବର୍ଷା ପାଣିରେ ଧୋଇ ହୋଇଯାଇଛି । ଆଚାର୍ଯ୍ୟ ବିହାରର ସ୍ଥିତି ଦେଖିଲେ ଯେ, କେହି ବି ଆଶ୍ଚର୍ଯ୍ୟ ହୋଇଯିବ, କାରଣ ବର୍ଷା ଦିନେ ପ୍ରଶାସନ ଏକ ଅସ୍ଥାୟୀ ବୋଟ୍ ବ୍ୟବସ୍ଥା କାହିଁକି କରୁନାହିଁ । ବର୍ଷ ବର୍ଷ ଧରି ଏଠି ସମାନ ସ୍ଥିତି, ପାଣି ନିଷ୍କାସନ ପାଇଁ ଯଦି କୌଣସି ବ୍ୟବସ୍ଥା ହୋଇପାରୁ ନାହିଁ, ତେବେ ବର୍ଷା ଦିନେ ଅସ୍ଥାୟୀ ବୋଟିଂ ବ୍ୟବସ୍ଥା କରିବାରେ ଅସୁବିଧା କେଉଁଠି ।

କେବଳ ରାଜଧାନୀ ଭୁବନେଶ୍ବର ନୁହେଁ, କଟକରେ ମଧ୍ୟ ସମାନ ସ୍ଥିତି, ବର୍ଷା ୪ମାସ କେମିତି କଟିବ ତାହା ଭାବିଲା ବେଳକୁ ଲୋକଙ୍କ ଚିନ୍ତା ବଢ଼ି ଯାଉଛି । କାରଣ ଅସରାଏ ବର୍ଷାରେ ଏହି ସ୍ଥିତି । ଆଗକୁ ଆହୁରି ବର୍ଷିବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏପଟେ ବର୍ଷ ବର୍ଷ ଛିଡା ହୋଇଥିବା ପୁରୀ ମାର୍କଣ୍ଡ ପୋଖରୀର ପାଚେରୀ, ଲଗାଣ ବର୍ଷାର ହାର୍ ମାନିଯାଇଛି । ଗଳି ପଡ଼ିଛି ଶହେ ଫୁଟର ପାଚେରୀ । ଏହି ପାଚେରୀ ଭାଙ୍ଗି ଯିବା ସହ ସହରକୁ ଏକ ଅନିଶ୍ଚିତ ବିପଦ ମାଡି ଆସିଛି ।

Share

Leave a Reply

Your email address will not be published. Required fields are marked *

two × 4 =