ଧର୍ମେନ୍ଦ୍ରଙ୍କ ଅଭିଯୋଗ ସୈତାନର ବେଦପାଠ ସଦୃଶ : ବିଜେଡି

କେନ୍ଦ୍ରମନ୍ତ୍ରୀଙ୍କ ଅପରାଧିକ କାର୍ଯ୍ୟର ସ୍ପଷ୍ଟିକରଣ ମାଗିଲା ବିଜେଡି

ଭୁବନେଶ୍ବର () କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ । ମଧ୍ୟପ୍ରଦେଶରେ ବ୍ୟାପମ ଦୁର୍ନୀତି, କୋଇଲା ଦୁର୍ନୀତି, ଓଡିଶାରେ ପେଟ୍ରୋଲପମ୍ପ ଦୁର୍ନୀତି, ଉଜ୍ବଳା ଯୋଜନାରେ ଗ୍ୟାସ ବଣ୍ଟନରେ ଦୁର୍ନୀତି ଧର୍ମେନ୍ଦ୍ରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ଏକ ସମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛି ବିଜେଡି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି, ଦୁର୍ଦାନ୍ତ ଅପରାଧୀ ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରିବାରେ ଧର୍ମେନ୍ଦ୍ର ମୁଖ୍ୟ ଭୁମିକା ନେଇଥିଲେ । ସେହିଭଳି ଏଲପିଜି ସିଲିଣ୍ଡର କଳବଜାରୀ କରିବାରେ ତାଙ୍କ ଭାଇ ଧରାପଡିଥିଲେ । ଯାହା ବିରୁଦ୍ଧରେ ମାମଲା ଦାଏର ହୋଇଛି । ବିଜେପୁର ଉପନିର୍ବାଚନ ବେଳେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିବାରେ ଧର୍ମେନ୍ଦ୍ରଙ୍କ ପ୍ରଚ୍ଛନ୍ନ ହାତ ଥିଲା । ସେହିଭଳି ମୁଖମନ୍ତ୍ରୀଙ୍କୁ ବିଜେପୁର ଉପନିର୍ବାଚନ ବେଳେ ଚପଲ ଫୋପଡା ଘଟଣାରେ ମଧ୍ୟ ଧର୍ମେନ୍ଦ୍ର ଉସକାଇଥିବା ବୋଲି ବିଜେଡି ଅଭିଯୋଗ କରିଛି ।

ଏହିଭଳି ଜଣେ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଲଗାତର ଅସତ୍ୟ ବିବୃତି ଜନମତକୁ ବିଭ୍ରାନ୍ତି କରିବାର ଉଦ୍ୟମ କରିଆସିଛନ୍ତି । ସଂପୃକ୍ତ ମନ୍ତ୍ରୀଙ୍କ କଳା କାରନାମା ବିରୋଧରେ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି । ବିଜେଡି ମୁଖପାତ୍ର କହିଛନ୍ତି ଯେ, ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ଉତ୍ତରାଖଣ୍ଡରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ଧର୍ମେନ୍ଦ୍ର ନିଦ ଦଳରେ ସାମିଲ କରିଥିଲେ ଏବଂ ନିଜେ ମୁଖ୍ୟ ଅଭିଯୁକ୍ତକୁ ଉତ୍ତରଖଣ୍ଡରେ ଲୁଚାଇବାକୁ ଗେଷ୍ଟହାଉସ ବୁକ କରିଥିଲେ । ଏସବୁ ପ୍ରସଙ୍ଗରେ ଖୋଦ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟିକରଣ ଦେବା ପାଇଁ ବିଜେଡି ଆହ୍ବାନ କରିଛି ।

ମଧ୍ୟପ୍ରଦେଶ ବ୍ୟାପମ ଦୁର୍ନୀତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଧୀର ଶର୍ମା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିମାନ ଟିକେଟ ପ୍ରଦାନ କରିବା ଏବଂ ଏହି ଘଟଣାରେ ସିବିଆଇ ଅନୁସନ୍ଧାନରୁ ସତ୍ୟତା ମିଳିବା ପରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଏହାକୁ ଖଣ୍ଡନ କରିବା ଦୁର୍ଭାଗ୍ୟଜନକ । ସୁଧୀର ଶର୍ମା ଓ ଧର୍ମେନ୍ଦ୍ରଙ୍କ କି ଭିତିରିଆ ସଂପର୍କ ରହିଛି ତାହାକୁ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିବା ଦରକାର । ସେହିଭଳି 2014 କୋଇଲା ଦୁର୍ନୀତି ଘଟଣାରେ ପୂର୍ବତନ କେନ୍ଦ୍ର କୋଇଲା ସଚିବ ପି.ସି. ପରଖଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କର କଣ ସଂପର୍କ ରହିଛି ତାକୁ ମଧ୍ୟ ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ବିଜେଡି ଆହ୍ବାନ କରିଛି । ଓଡିଶାରେ ଟେଣ୍ଡର ଫିକ୍ସିଂର ମୁଖ୍ୟ ଡି.ବ୍ରଦର୍ସଙ୍କ ସହ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କର ଭିତିରିଆର ସଂପର୍କରେ ଥିଲା, ଯାହାକୁ ଏକ ଜନସଭାରେ କଟକର ବାଇମୁଣ୍ଡି ବୋଲି କେନ୍ଦ୍ରମନ୍ତ୍ରୀ ଅକ୍ଷା ଦେଇଥିଲେ । ସବୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କ ସହ ଭିତିରିଆ ସଂପର୍କ  ରଖିଥିବା ଜଣେ କେନ୍ଦ୍ରୀୟ ନେତା ଓଡିଶାରେ ଦୀର୍ଘ ବର୍ଷ ଧରି ସୁଶାସନ ଦେଇଆସିଥିବା ନବୀନ ସରକାରକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହାର ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ।

ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ର ନିର୍ବାଚନ ସମୟରେ 21 ବର୍ଷ ତଳର କୋଇଲା ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି । ତେବେ ବିଜେଡି ଏହି ଅଭିଯୋଗର ଜବାବ ଦେବାକୁ ଯାଇ କହିଛି ଯେ, ଯେଉଁ ସମୟର ଦୁର୍ନୀତି କଥା ଧର୍ମେନ୍ଦ୍ର କହୁଛନ୍ତି ସେ ସମୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ । ଆଉ ନବୀନ ପଟ୍ଟନାୟକ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲେ । ଧର୍ମେନ୍ଦ୍ର କଣ ନିଜ କପଟ ଉକ୍ତି ଜରିଆରେ ଅଟଳଜୀ ମଧ୍ୟ ନିଜ କ୍ୟାବିନେଟରେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିଲେ ବୋଲି କହିବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।

Share

Leave a Reply

Your email address will not be published. Required fields are marked *

15 − six =