ମନ୍ତ୍ରୀ ପରିଷଦକୁ ବଜେଟ ଚିନ୍ତା

ଭୁବନେଶ୍ୱର()  ରାଜ୍ୟରେ କରୋନା ମୁକାବିଲାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ବିଭିନ୍ନ ସୂତ୍ରରୁ ସରକାର ସମ୍ବଳ ସଂଗ୍ରହ କରିଛନ୍ତି । ଏପରିକି ସରକାରୀସ୍ତରରେ ଖର୍ଚ୍ଚକାଟ ମଧ୍ୟ କରାଯାଇଛି । ଏବେ ୨୦୨୦-୨୧ ବଜେଟରେ ହୋଇଥିବା ବ୍ୟବସ୍ଥାରେ ସଂଶୋଧନ କରାଯିବ । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଗ୍ରହଣ କରାଯାଉଥିବା କରୋନା ମୁକାବିଲା ରଣନୀତିକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ସାମାଜିକ କ୍ଷେତ୍ରରେ ଅର୍ଥନୈତିକ ଅନଗ୍ରର ଓ ପ୍ରବାସୀଙ୍କୁ କର୍ମସଂସ୍ଥାନ ଯୋଗାଣ ଓ ସମାଜିକ ସୁରକ୍ଷା ଯୋଜନା, ଶିକ୍ଷା ଓ ଜୀବନ ଜୀବିକା ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ । କୃଷି କ୍ଷେତ୍ରରେ ମଧ୍ୟ କୌଣସି ପ୍ରକାର କମ୍ପ୍ରୋମାଇଜ କରାଯିବ ନାହିଁ । ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋଭିଡ-୧୯ ପରିସ୍ଥିତି ସତ୍ତ୍ବେ ରାଜ୍ୟ ସରକାର ସବୁ ସେବାକୁ ଅନଲାଇନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୫ ପ୍ରତିଶତ ସେବା ଅନଲାଇନ ହୋଇଥିବା ବେଳେ ଅକ୍ଟୋବର ୨ ତାରିଖ ସୁଦ୍ଧା ଶତ ପ୍ରତିଶତ ସେବା ଅନଲାଇନରେ ଉପଲବ୍ଧ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଚଳିତ ବର୍ଷ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ ପାଇବ । ରାଜ୍ୟର ନିଜସ୍ବ ଟିକସ ଆଦାୟ ମଧ୍ୟ ହ୍ରାସ ପାଇଛି । ଏପ୍ରିମ ମାସ ପର୍ଯ୍ୟନ୍ତ ୮୦ ପ୍ରତିଶତ ଟିକସ କମିଥିବା ବେଳେ ଏବେ ୨୦ ପ୍ରତିଶତ ଟିକସ ଆଦାୟ କମିଛି । ତେଣୁ ସରକାର ଖୋଲା ବଜାରରୁ ଋଣ ଆଣିବେ । ରାଜ୍ୟ ଏଫଆରବିଏମ ଆଇନ ଅନୁଯାୟୀ ରାଜ୍ୟ ସରକାର ଖୋଲାବଜାରରୁ ୩ ପ୍ରତିଶତ ଋଣ ଉଠାଇ ପାରିବେ । କେନ୍ଦ୍ର ସରକାର ଆଉ ୦.୫ ପ୍ରତିଶତ ଋଣ ଉଠାଇବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ତେଣୁ ସରକାର କାମ୍ପା ଓ ଓମବାଡସି ପାଣ୍ଠିରୁ ଋଣ କରିବେ । କାରଣ ଏଠାରେ ସୁଧର ହାର ମାତ୍ର ୩ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ହଜାରେ କୋଟି ଟଙ୍କା ଋଣ କରିସାରିଛନ୍ତି ସରକାର । ଋଣ ପାଇଁ ସିଏଜିଙ୍କ ଅନୁମତି ମଧ୍ୟ ମିଳିଛି । ଆରଆଇଡିଏଫ ଭଳି ଯୋଜନା ପାଇଁ ରାଜ୍ୟ ସରକାର ଋଣ କରିବେ । ଭୁବନେଶ୍ବର ଓ ବ୍ରହ୍ମପୁର ପରେ ରାଉଲକେଲା ଆଇଜିଏଚରେ ପ୍ଲାଜମା ଥେରାପୀ ଆରମ୍ଭ କରିବାକୁ ଆଜିର ମନ୍ତ୍ରୀ ପରିଷଦରେ ନିଷ୍ପତ୍ତି ହୋଇଛି ।

ଏଥିସହିତ ରାଜସ୍ବ ଆୟ ବୃଦ୍ଧି ପାଇଁ ମଧ୍ୟ ନୂଆ ରଣନୀତି କରିଛି ରାଜ୍ୟ ମନ୍ତ୍ରୀ ପରିଷଦ । କୌଣସି ପୂରୁଣା କିମ୍ବା ନୂଆ ଯୋଜନାରେ ଅର୍ଥ ଖର୍ଚ୍ଚ ହୋଇନପାରି ବଳି ପଡିଥିଲେ ସେ ଅର୍ଥକୁ ଅର୍ଥବିଭାଗ ଫେରାଇ ଆଣିବ । ଏଭଳି ଭାବେ ୧୬ହଜାରରୁ ୧୭ ହଜାର ଟଙ୍କା ବାକି ପଡିଛି । ମୁଖ୍ୟତଃ ଜଳସମ୍ପଦ, ଶକ୍ତି ଓ ବାଣିଜ୍ୟ ବିଭାଗରେ ଏହି ଅର୍ଥ ବାକି ପଡିଛି । ୱାନ ଟାଇମ ସେଟଲମେଣ୍ଟରେ ଏହି ଅର୍ଥ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଛି ।

ଗତ ଜାନୁଆରୀ ମାସରୁ ରାଜ୍ୟ ସରକାର କୋଭିଡ ମୁକାବିଲା ରଣନୀତି ଆରମ୍ଭ କରିଥିଲେ । ବର୍ତ୍ତମାନସୁଦ୍ଧା ୧୩,୭୯୬ଟି କ୍ବାରେଣ୍ଟାଇନ ସେଣ୍ଟର, ୩୫ଟି କୋଭିଡ ହସ୍ପିଟାଲ, କୋଭିଡ ହେଲଥ ସେଣ୍ଟର, କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରଗୁଡିକ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ପ୍ରତିଷ୍ଠା ହୋଇଥିଲା । କୋଭିଡ ହେଲଥ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ଆସିଥିବା ଅର୍ଥକମିଶନ ଅନୁଦାନକୁ ଖର୍ଚ୍ଚ କରାଯାଇଛି । ଏହାଭିନ୍ନ ପିପିଇ କିଟ, ଅକ୍ସିଜେନ, ଟେଷ୍ଟିଂ କିଟ, ଔଷଧ, ସାନିଜାଇଜର ଭଳି ସବୁ ପ୍ରକାର ସ୍ବାସ୍ଥ୍ୟ ଉପକରଣ ପର୍ଯ୍ୟାପ୍ତ ଭାବେ କିଣାଯାଇଛି । ୧୯ଟି ଟେଷ୍ଟିଂ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ରୀୟ ଅନୁଷ୍ଠାନରେ ମଧ୍ୟ ଟେଷ୍ଟିଂ ସୁବିଧା ସୃଷ୍ଟି କରିବାକୁ ରାଜ୍ୟ ସରକାର ସବୁ ଖର୍ଚ୍ଚ କରିଛନ୍ତି । କୋଭିଡ ମୁକାବିଲା ପାଇଁ ୮୦୨୩ ଜଣ ଡାକ୍ତର, ୮୨୯୬ ଜଣ ଷ୍ଟାଫ ନର୍ସ, ୪୦୧୪ ଜଣ ଆୟୁସ ଡାକ୍ତର, ୧ଲକ୍ଷ ୩୫ ହଜାର ୮୨୦ ଜଣ ଆଶା ଓ ଅଙ୍ଗୱାଡି କର୍ମୀ ନିୟୋଜିତ ହୋଇଛନ୍ତି । କ୍ବାରେଣ୍ଟାଇନରୁ ସଫଳତାର ସହ ଫେରିଥିବା ବ୍ୟକ୍ତି ଓ ବିଦେଶରୁ ଫେରିଥିବା ଲୋକଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଇଛି । ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଟେଷ୍ଟିଂ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ସାମଗ୍ରିକ ଭାବେ କୋଭିଡ ମୁକାବିଲା ପାଇଁ ୩୪୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୬୨୪ କୋଟି, ପଂଚାୟତିରାଜ ବିଭାଗ ଦ୍ବାରା ୮୭୫ କୋଟି ଓ ବିଧାୟକମାନେ ନିଜ ହାତପାଣ୍ଠିରୁ ୭୩ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 11 =