ଓଡିଶାରେ ଶିଳ୍ପାୟନ ସଫଳତାରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ

18ଟି ପ୍ରକଳ୍ପର ଭୂମୀପୂଜନ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

2196 କୋଟିର ପୁଂଜିନିବେଶ ଓ 3465 ନିଯୁକ୍ତି ସୁଯୋଗ

ଭୁବନେଶ୍ବର ()  ଓଡିଶାକୁ ପୂର୍ବ ଭାରତରେ ଏକ ଉତ୍ପାଦନ ହବ ଭାବେ ପରିଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନରେ ଆଜି ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ 18ଟି ନୂଆ ବୃହତ ଶିଳ୍ପର ଭୂମୀପୂଜା ଓ ଶିଳାନ୍ୟାସ କରିଛନ୍ତି । ଏହିସବୁ ପ୍ରକଳ୍ପ ପାଇଁ ମୋଟ 2196 କୋଟି 30 ଲକ୍ଷ ଟଙ୍କାର ପୁଂଜି ନିବେଶ ହେବ ।

ନିକଟରେ ଅନୁଷ୍ଠିତ ଦ୍ବିତୀୟ ମେକ ଇନ ଓଡିଶା କନକ୍ଲେଭରେ ଏହିସବୁ ଶିଳ୍ପାନୁଷ୍ଠାନ ଓଡିଶାରେ ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାଦ୍ବାରା 3465ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ଭାରତରେ ଓଡିଶାକୁ ଉତ୍ପାଦନର ହବ ଭାବେ ପରିଚିତ କରିବାକୁ ରାଜ୍ୟ ସରକାର ଭିଜନ ରଖିଛନ୍ତି । ଭିଜନ 2025ରେ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ସାଙ୍ଗକୁ ଓଡିଶାକୁ ଅଧିକରୁ ଅଧିକ ଉତ୍ପାଦନ ଭିତ୍ତିକ ଶିଳ୍ପ ପାଇଁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ସୃଷ୍ଟି ହେବ । ଆଜି 14ଟି ପ୍ରକଳ୍ପ ପାଇଁ ଭୂମୀପୂଜା ହୋଇଥିବା ବେଳେ 4ଟି ନୂଆ ଶିଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ 14 ମାସ ମଧ୍ୟରେ ଅନଲାଇନ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଗୋ-ସ୍ବିଫ୍ଟ ଜରିଆରେ 600ଟି ଆବେଦନ ଆସିଛି । ଏହାର ଅର୍ଥ ପ୍ରତି ୱାର୍କିଂ ଡେରେ ଦୁଇଟି ଆବେଦନ ହସ୍ତଗତ ହେଉଛି । ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ସଫଳତା ଏବଂ ଏଥିପାଇଁ ସେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ.

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ, ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପରବର୍ତ୍ତି ସହଯୋଗ ଯୋଗାଇ ଦେବାକୁ ଇଣ୍ଡଷ୍ଟ୍ରି କେୟାର ନାମକ ଏକ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବୃହତ ଶିଳ୍ପ ସହ ମଧ୍ୟମ-କ୍ଷୁଦ୍ର ଓ ଅଣୁ ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଇ-ସୁବିଧା ଜରିଆରେ ଶିଳ୍ପାନୁଷ୍ଠାନରୁ ସେମାନଙ୍କ ଆବଶ୍ୟକତା ଏବଂ ସୁବିଧା ଅସୁବିଧା ସଂପର୍କରେ ସୂଚନା ପାଇଁ ତାର ସମାଧାନ କରାଯାଉଛି । ତେଣୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ତ୍ବନାନ୍ବିତ ଭାବେ ବୃହତ ଏବଂ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପର ଅଭିଯୋଗର ଶୁଶାଣୀ କରି ଫଇସଲା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ମାଛ ସଂପର୍କିତ ଶିଳ୍ପ ବିଶେଷ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ଏବେ ସୁଦ୍ଧା 6ଟି ଏହି ଧରଣର ଶିଳ୍ପର ଭୂମୀପୂଜନ ଏବଂ ଉଦଘାଟନ କାର୍ଯ୍ୟ ଶେଷ ହୋଇଛି । ଏହିସବୁ ଶିଳ୍ପରେ ମୋଟ 672 କୋଟି 39 ଲକ୍ଷ ଟଙ୍କାର ପୁଂଜିନିବେଶ ହୋଇଛି । ଏଥିସହିତ 2ଟି ଆଲୁମିନିୟମ ଡାଉନଷ୍ଟ୍ରିମ ଶିଳ୍ପର ମଧ୍ୟ ଭୂମୀପୂଜନ ହୋଇଛି । ରାଜ୍ୟ ସରକାରଙ୍କ ଭିଜନ 2025ରେ ନୂଆ 2.5 ଲକ୍ଷ କୋଟିର ପୁଂଜିନିବେଶ ସହ 30 ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜି 401 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇମାମି ସିମେଣ୍ଟ, 150 କୋଟି ଟଙ୍କା ପୁଂଜି ନିବେଶରେ ନିର୍ମିତ ଜୟ ଭାରତ ସ୍ପେସିଜ୍, 487 କୋଟି ଟଙ୍କାର ପୁଂଜି ନିବେଶର ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡ ଏବଂ 32 କୋଟି ଟଙ୍କା ପୁଂଜି ନିବେଶରେ ନିର୍ମିତ ଉତ୍କଳ ବ୍ରିକ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି 500 କୋଟି ଟଙ୍କା ପୁଂଜି ନିବେଶରେ ପ୍ରସ୍ତାବିତ ହିନ୍ଦୁସ୍ତାନ କୋକୋ କୋଲାର ସଂପ୍ରସାରଣ, 625 କୋଟି ଟଙ୍କା ପୁଂଜି ନିବେଶରେ ନର୍ଭେରମ ପାୱାର ଲିମିଟେଡର ପ୍ରସ୍ତାବିତ 4 ନିୟୁତ ଟନ କ୍ଷମତା ସଂପନ୍ନ ଲୁହାପଥର ପେଲେଟ ପ୍ଲାଣ୍ଟ, 150 କୋଟି ଟଙ୍କା ପୁଂଜି ନିବେଶରେ ହିଣ୍ଡାଲକୋ ସୋଲାରର ପ୍ରସ୍ତାବିତ ସୌର ବିଦ୍ୟୁତ ପ୍ରକଳ୍ପ ଭଳି 14ଟି ପ୍ରକଳ୍ପର ଭୂମୀପୂଜନ ହୋଇଛି ।

Share

Leave a Reply

Your email address will not be published. Required fields are marked *

14 − nine =