କେରଳ ବ୍ଲାଷ୍ଟର୍ସକୁ ହରାଇ ପ୍ରଥମ ବିଜୟ ପାଇଲା ହାଇଦରାବାଦ

ଭୁବନେଶ୍ବର : ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଚତୁର୍ଦଶ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲରେ ହରାଇ ହାଇଦରାବାଦ ଏଫସି ପ୍ରଥମ ବିଜୟ ହାସଲ କରିଛି । ସ୍ଥାନୀୟ ଜିଏମସି ବାଳଯୋଗୀ ଆଥଲେଟିକ ଷ୍ଟାଡିଅମ ଠାରେ ଆଜି ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ମଧ୍ୟାନ୍ତର ସୁଦ୍ଧା ୧-୦ ଗୋଲରେ ପଛୁଆ ଥିବା ହାଇଦରାବାଦ ଏଫସି ଦ୍ଵିତୀୟାର୍ଦ୍ଧରେ ଦୁଇଟି ଗୋଲ ଦେଇ ବିଜୟୀ ହୋଇଛି ।

ହାଇଦରାବାଦ ପକ୍ଷରୁ ମାର୍କୋ ଷ୍ଟାଙ୍କୋଭିଚ ଓ ମାରସେଲିନୋ ପେରେରା ଗୋଲ ଦେଇଥିବା ବେଳେ କେରଳ ବ୍ଲାଷ୍ଟର୍ସ ତରଫରୁ ରାହୁଲ କେପି ଏହି ସାଫଲ୍ୟ ଅର୍ଜନ କରିଥିଲେ । ପ୍ରଥମ ଥର ପାଇଁ ଆଇଏସଏଲ ଖେଳୁଥିବା ହାଇଦରାବାଦ ଦଳ ଏହା ପୂର୍ବରୁ ଲଗାତାର ଦୁଇଟି ପରାଜୟ ସହ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ଏଟିକେ ଏବଂ ଏହାପରେ ଜାମସେଦପୁର ଏଫସି ଠାରୁ ହାରିଥିଲା ହାଇଦରାବାଦ ।

ଆଜି ମ୍ୟାଚର ପ୍ରଥମ ଅଧଘଣ୍ଟା ଖେଳରେ ସୁଯୋଗ ସୃଷ୍ଟି କରିବାକୁ ଉଭୟ ଦଳର ଉଦ୍ୟମ ବ୍ୟର୍ଥ ହୋଇଥିଲା । ତେବେ ୩୪ତମ ମିନିଟରେ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ରାହୁଲ କେପିଙ୍କ ଗୋଲ ଖେଳର ଗତିପଥ ବଦଳାଇ ଦେଇଥିଲା । ସହଲ ଅବଦୁଲ ସମଦଙ୍କ ଠାରୁ ବଲ ପାଇ ସେ ଏହି ଗୋଲ ସ୍କୋର କରିଥିଲେ l ହାଇଦରାବାଦ ଦଳ ଏହାପରେ ଗୋଲ ସୁଝାଇବାର କିଛି ସୁଯୋଗ ପାଇ ହାତଛଡା କରିଥିଲା ।

ଦ୍ଵିତୀୟାର୍ଦ୍ଧରେ ହାଇଦରାବାଦ ଏଫସିର ଭାଗ୍ୟ ପରିବର୍ତନ ଘଟାଇଥିଲେ ମାର୍କୋ ଷ୍ଟାଙ୍କୋଭିଚ । ସେ ୫୪ତମ ମିନିଟରେ ପେନାଲଟି କିକ ଯୋଗେ ଗୋଲ ଦେଇ ମ୍ୟାଚ ସ୍ଥିତି ୧-୧ରେ ବରାବର କରିଥିଲେ । କେରଳ ବ୍ଲାଷ୍ଟର୍ସର ମୁହମଦ ନିଙ୍ଗ ପ୍ରତିପକ୍ଷର ମହମ୍ମଦ ୟାସିରଙ୍କୁ ଫାଉଲ ମାରିବା ଯୋଗୁ ରେଫରୀ ଆର ଭେଙ୍କଟେଶ ପେନାଲଟି ନିର୍ଦେଶ ଦେଇଥିଲେ ।

ଏହି ଗୋଲ ପରେ ହାଇଦରାବାଦ ଦଳର ଉତ୍ସାହ ଦ୍ବିଗୁଣିତ ହୋଇଥିଲା । ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ ପରେ ୮୧ତମ ମିନିଟରେ ମିଳିଥିବା ଏକ ଫ୍ରି-କିକରୁ ଗୋଲ ଦେଇ ମାରସେଲିନୋ ଘରୋଇ ଦଳ ପାଇଁ ବିଜୟର ମୁଣ୍ଡି ମାରିଥିଲେ ।

ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାର୍କୋ ଷ୍ଟାଙ୍କୋଭିଚଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ତାଙ୍କ ଦଳର ମାରସେଲିନୋ ପେରେରାଙ୍କୁ ପ୍ରଦାନ କରାଯାଇଥିଲା । ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ ରାହୁଲ କେପି ।

Share

Leave a Reply

Your email address will not be published. Required fields are marked *

one × five =