ତିତଲି ମୁକାବିଲା ପାଇଁ ଓଡିଶାକୁ ଏନ୍.ଡି.ଏମ୍.ଏର ପ୍ରଶଂସା

ଭୁବନେଶ୍ୱର () ପୁଣିଥରେ ରାଜ୍ୟକୁ ପ୍ରଶଂସା କରିଛି କେନ୍ଦ୍ର ।  ବାତ୍ୟା ତିତଲିର ସଫଳ ମୁକାବିଲାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର । ‘ଜିରୋ କାଜୁଆଲିଟି’ ପ୍ରସ୍ତୁତିକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‍ଡିଏମ୍‍ଏ)ର ଡିଜିଟାଲ ପତ୍ରିକା ‘ଆପଦା ସମ୍ବାଦ’ରେ ପ୍ରଶଂସା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ମିଳିତଭାବେ ରାଜ୍ୟ ପ୍ରଶାସନ ସହାୟତାରେ ବାତ୍ୟା ମୁକାବିଲାର ସଫଳ ପରିଚାଳନା କରିଥିଲେ । ବିରୋଧିଦଳ ଏହାକୁ ସରକାରଙ୍କ ବିଫଳତା ବୋଲି ଦର୍ଶାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍‍ଡିଏମ୍‍ଏ କିନ୍ତୁ ଓଡିଶାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ତିତ୍‍ଲି ଘଣ୍ଟାପ୍ରତି ୧୪୯ କିଲୋମିଟର ପବନ ସହିତ ଓଡିଶା ଉପକୂଳମୁହାଁ ହୋଇଥିବାରୁ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଥିଲେ । ଜିରୋ କାଜୁଆଲିଟି ପାଇଁ ସରକାର ଖାଲୁଆ ଅଞ୍ଚଳରେ ଥିବା ପ୍ରାୟ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିଥିଲେ । ରାଜ୍ୟର ଉପକୂଳଜିଲ୍ଲା ଗଞ୍ଜାମ, ଜଗତ୍‍ସିଂହପୁର, ପୁରୀ, ଜଗତ୍‍ସିଂହପୁର, ଖୋରଧା ଓ କେନ୍ଦ୍ରାପଡାରେ ଲୋକଙ୍କୁ ସ୍ଥାନାନ୍ତର ହୋଇଥିଲା ।

ଜରୁରୀ ସେବାପାଇଁ ପ୍ରସ୍ତୁତ ରହିବାକୁ ଡାକ୍ତରଖାନା ଓ ବିଭିନ୍ନ ବିଦ୍ୟୁତ କମ୍ପାନୀକୁ କୁହାଯାଇଥିବାବେଳେ ବିଦ୍ୟାଳୟ ଓ ଅଙ୍ଗନବାଡି ଗୁଡିକୁ ଅକ୍ଟୋବର ୧୧ ଓ ୧୨ ତାରିଖ ଛୁଟି ଘୋଷଣା କରାଯାଇଥିଲା । ବାତ୍ୟା ପାଇଁ ଖୋର୍ଧାରୋଡ଼-ବିଶାଖାପାଟଣା ଦେଇ ଚଳାଚଳ କରୁଥିବା ୮ଟି ଟ୍ରେନ୍‍ ବାତିଲ ହୋଇଥିବାବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାପାଇଁ ସତର୍କ କରାଇ ଦିଆଯାଇଥିଲା । ଏଥିସହ ସରକାର ବାତ୍ୟା ପରବର୍ତ୍ତୀ ବର୍ଷା ଓ ଏଥିଯୋଗୁଁ ବଂଶଧାରା ଓ ଋଷିକୂଲ୍ୟା ରେ ବନ୍ୟାର ସଫଳ ପରିଚାଳନା କରିଥିଲେ ।

କେନ୍ଦ୍ର କ୍ୟାବିନେଟ୍‍ ସଚିବ ପି.କେ.ସିହ୍ନା ମଧ୍ୟ ଅକ୍ଟୋବର ୧୦ ତାରିଖ ଦିନ ଏନ୍‍ସିଏମ୍‍ସି ଅଧିକାରୀମାନଙ୍କ ସହିତ ବାତ୍ୟା ତିତ୍‍ଲି ନେଇ ଆଲୋଚନା କରିଥିଲେ । ତିତ୍‍ଲିରେ ୯୩ଜଣ ମରିଥିବାବେଳେ ଏମାନଙ୍କ ମଧ୍ୟରୁ ଓଡିଶାର ୭୭ଜଣ ଅଛନ୍ତି । ଗଜପତିରେ ୫୨, ଗଞ୍ଜାମରେ ୧୯, କନ୍ଧମାଳରେ ୨, କେନ୍ଦୁଝର, ନୟାଗଡ, ଅନୁଗୁଳ ଏବଂ କଟକରେ ଜଣେକରି ମରିଥିବାବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ୧୪ ଓ ଭିଜୟନଗରମରେ ୨ଜଣ ମରିଛନ୍ତି ।

ଓଡିଶାର ୬୦ଲକ୍ଷ ଓ ଆନ୍ଧ୍ରର ୧୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ବାତ୍ୟା ଯୋଗୁଁ ଟିଣଘର ଛାତ ଉଡିଯିବା ସହିତ, ଗଛ ଉପୁଡିବା, ବିଦ୍ୟୁତ୍‍ଖୁଣ୍ଟ ଭାଙ୍ଗିବା ସହି ଗାଡିମୋଟର ବି କ୍ଷତିଗ୍ରସ୍ତ ହୋଇଥିଲା । ବିପନ୍ନଙ୍କୁ ଖାଦ୍ୟ ଯୋଗାଯାଇଥିବାବେଳେ ଏଥିଯୋଗୁଁ ବିମାନସେବା ବି ପ୍ରଭାବିତ ହୋଇଥିଲା ।

ସରକାରଙ୍କ ସଫଳ ବାତ୍ୟା ପରିଚାଳନା ଯୋଗୁଁ ମୃତ୍ୟୁସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଥିଲା । ପାଣିପାଗ ବିଭାଗର ସଫଳ ଆଗୁଆ ସୂଚନା ଯୋଗୁଁ ସରକାରୀକଳ ବାତ୍ୟା ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରିପାରିଲେ । ଏହି ସଫତଳା ପାଇଁ ଏନ୍‍ଡିଏମ୍‍ଏ ର ବୁଲେଟିନ୍‍ରେ ଓଡିଶାକୁ ପ୍ରଶଂସା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 + nineteen =