ଡାକ୍ତରମାନେ ରୋଗୀଙ୍କ ପାଇଁ ରୋଲ ମଡେଲ ହୁଅନ୍ତୁ

ଭୁବନେଶ୍ବର () 2001ର ଦୁଃଖଦ ଆମ୍ବ ଟାକୁଆ ଖାଇ ରାୟଗଡା ଜିଲ୍ଲାର କାଶିପୂର ବ୍ଲକରେ ଲୋକେ ମୃତ୍ୟୁବରଣ କରୁଥିବା ଘଟଣା ସମସ୍ତଙ୍କର ମନେ ଥିବ । ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଡାକ୍ତରଙ୍କର ଆବିଷ୍କାର କରିଥିଲେ । ସେହି ଡାକ୍ତରଙ୍କୁ ଲୋକେ ପ୍ରଶାସନ ଓ ପୋଲିସ ଠାରୁ ଅଧିକ ଶୁଣୁଥିଲେ ।

କାଶିପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସେହି ଡାକ୍ତରଙ୍କୁ ଭେଟିଥିଲେ । ସେ ଦୁଃଖ ଓ ଅନ୍ଧକାର ମଧ୍ୟରେ ସେହି ଡାକ୍ତର ଜଣକ ଏକମାତ୍ର ଆଶାର ଆଲୋକ ଥିଲେ । ଲୋକଙ୍କ ପାଇଁ ସେ ଥିଲେ ଭଗବାନ । ତାଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଥିଲା ଅଗାଢ ବିଶ୍ବାସ । ସେ ସମୟରେ 4ଜଣ ପ୍ରୋବେସନ ଆଇଏଏସ ଅଫିସରଙ୍କୁ କାଶିପୁର ପଠାଯାଇଥିଲା ଏବଂ ସେହି ଡାକ୍ତରଙ୍କ ଭଲ କାମ ଓ ଆଦର୍ଶକୁ ଅନୁକରଣ କରିବାକୁ ସେମାନଙ୍କୁ କୁହାଯାଇଥିଲା ।

ବିଗତ 19 ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହିଭଳି ଅନେକ ଡାକ୍ତରଙ୍କ ସଂସ୍ପର୍ଶରେ ଆଶିଛନ୍ତି ଯେଉଁମାନେ ନିଜର ନିର୍ସ୍ବାର୍ଥପର ସେବା ପାଇଁ ରୋଲ ମଡେଲ ହୋଇଛନ୍ତି । “ଆମେ ସାରା ରାଜ୍ୟରେ ଏହିଭଳି ରୋଲ ମଡେଲ ଡାକ୍ତର ଚାହୁଁଛୁ” । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ସଫଳତା ପାଇଛନ୍ତି । ରାଜ୍ୟର ଶିଶୁ ମୃତ୍ୟୁହାର ହାର ହ୍ରାସ ଦେଶରେ ରେକର୍ଡ କରିଛି । ମାଲେରିଆ ନିରାକରଣରେ ବିଶ୍ବ ଆମ ସଫଳତାରୁ ସ୍ବୀକୃତି ଦେଇଛି । ସ୍ବାସ୍ଥ୍ୟ ସେବାର ସମସ୍ତ ଭିତ୍ତିଭୂମୀ, ବଜେଟ ବ୍ୟବସ୍ଥା ଏବଂ ମେଡିକାଲ କଲେଜ ଲୋକଙ୍କ ପାଇଁ ଏବଂ ଲୋକଙ୍କ ଅର୍ଥ । ଲୋକଙ୍କ ଅର୍ଥରେ ଏହି ସବୁ ଅନୁଷ୍ଠାନର ଅସ୍ତିତ୍ବ ରହିଛି କେବଳ ସେଇମାନଙ୍କ ସୁବିଧା ପାଇଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେମାନେ ସ୍ବାସ୍ଥ୍ୟ ଭିତ୍ତିଭୂମୀର ପ୍ରକୃତ ମାଲିକ । ତେଣୁ ସେମାନେ ପାଉଥିବା ସେବା ସଂପର୍କରେ ସେମାନଙ୍କ ମତାମତ ନେବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ରାଜ୍ୟର କିଛି ଡାକ୍ତରଖାନାରେ ଏବେ ବି ମଧ୍ୟସ୍ଥିମାନେ ସ୍ବାସ୍ଥ୍ୟସେବାରେ ମୁଣ୍ଡ ଖେଳାଉଛନ୍ତି । ଏଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନେ ଦୃଷ୍ଟି ଦେବା ସହ ଡାକ୍ତରଖାନାଗୁଡିକ ମିଡିଲମ୍ୟାନ ମୁକ୍ତ ହେବାକୁ ସୁନିଶ୍ଚିତ କରିବା ଆବଶ୍ୟକ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଅକ୍ଟୋବର 2 ତାରିଖରୁ ଆରମ୍ଭ ହେଉଥିବା ମୋ ସରକାର କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ପାଉଥିବା ଲୋକଙ୍କ ମତାମତ ନେବେ । ଏପରିକି ଏହି ବ୍ୟବସ୍ଥା ସହ ଜଡିତ ସମସ୍ତେ ନିଜ ନିଜ ସ୍ତରରେ ରୋଗୀଙ୍କ ମତାମତ ସଂଗ୍ରହ କରିବେ । ରୋଗୀଙ୍କ ମତାମତକୁ ଆଧାର କରି ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତ ।

ମୋ ସରକାର କାର୍ଯ୍ୟକ୍ରମରେ ଡାକ୍ତରଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ 5-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା, ସୁଖୀ ଓଡିଶା ଭିଜନକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଡାକ୍ତରଙ୍କ ଉପରେ । ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇଦେବା ଅତ୍ୟନ୍ତ ଜରୁରୀ । ଡାକ୍ତରଖାନା ବିଶେଷ କରି ବ୍ଲଡ଼ ବ୍ୟାଙ୍କ, ଆମ୍ବୁଲାନ୍ସ, ଡାଇଲିସିସ ସେଣ୍ଟରକୁ 15 ଦିନ ମଧ୍ୟରେ ସମ୍ପୂର୍ଣ ଭାବେ ଦଲାଳମୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =