ଫ୍ଲଡ ଆଟଲାସରେ ଚାରୋଟି ଜିଲ୍ଲା ଅଧିକ ବନ୍ୟା ପ୍ରବଣ

ଭୁବନେଶ୍ବର () ରାଜ୍ୟର କେନ୍ଦ୍ରାପଡା, କଟକ, ଭଦ୍ରକ ଓ ବାଲେଶ୍ବର ଏହି ଚାରୋଟି ଜିଲ୍ଲାକୁ ବନ୍ୟା ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ପ୍ରାୟ ପ୍ରତିବର୍ଷ ବନ୍ୟାରେ ଏହି ଚାରୋଟି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଏ । ଏମିତି ବି ଓଡିଶା ନିୟମିତ ଭାବେ ବନ୍ୟାର ଶିକାର ହୋଇ ବ୍ୟାପକ ଧନଜୀବନ ଓ ସମ୍ପତ୍ତି ନିଷ୍ଟ ହେଉଛି । ରାଜ୍ୟର ବନ୍ୟା ଓ ବିପର୍ଯ୍ୟୟ ପ୍ରବଣ ଅଂଚଳକୁ ଚିହ୍ନଟ କରି ପ୍ରସ୍ତୁତ ହୋଇଛି ବନ୍ୟା ବିପତ୍ତି ଆଟଲାସ ।

ଓଡିଶାରେ ଜୁଲାଇ ଠାରୁ ସେପ୍ଟେମ୍ବର ମଧ୍ୟରେ 80 ପ୍ରତିଶତ ବର୍ଷା ହୋଇଥାଏ । ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଡେଲାଟାରେ ହେଉଥିବା ବନ୍ୟାରେ ରାଜ୍ୟର ସର୍ବାଧିକ ଅଂଚଳକ କ୍ଷତିଗ୍ରସ୍ତ ହୋଇଥାଏ । ବନ୍ୟା ସମୟରେ ସମୁଦ୍ରରେ ଜୁଆର ବନ୍ୟା ପରିସ୍ଥିତିକୁ ଅଧିକ ସଙ୍ଗିନ କରିଥାଏ । ଓଡିଶାରେ ପ୍ରାୟ ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡି ହୋଇଥାଏ । ଏହାଦ୍ବାରା ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ । 2006ରୁ 2008 ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିଲା । 2006 ବନ୍ୟାରେ 27ଟି ଜିଲ୍ଲାର 245ଟି ବ୍ଲକ ପ୍ରଭାବିତ ହୋଇଥିଲା । 105ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏକ ଲକ୍ଷ 30 ହଜାର 460 ଘର କ୍ଷତିଗ୍ରସ୍ତ ହୋଇଥିଲା । 2007ରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ବନ୍ୟାରେ ଜୁଲାଇ ମାସରେ 12ଟି ଜିଲ୍ଲା, ଅଗଷ୍ଟ ମାସରେ 15ଟି ଓ ସେପ୍ଟେମ୍ବର ମାସରେ 10ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା । ଜୁଲାଇ ବନ୍ୟାରେ 27 ହଜାର 810 ଘର ଭାଙ୍ଗିଥିବା ବେଳେ ସେପ୍ଟେମ୍ବର ବନ୍ୟାରେ 76ହଜାର 902ଟି ଘର କ୍ଷତିଗ୍ରସ୍ତ ହୋଇଥିଲା । 2007ରେ ତିନୋଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାରେ 91ଜଣଙ୍କ ମୃତ୍ୟୁ ହୋଇଥିଲା । 2008 ଜୁନ ଓ ସେପ୍ଟେମ୍ବର ମାସରେ ଦୁଇ ଥର ବନ୍ୟା ହୋଇଥିଲା । ଏହାଦ୍ବାରା ଅଢେଇ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଥିଲା ବେଳେ 110ଜଣଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ହେକ୍ଟର ଚାଷଜମିରେ ବାଲିଚର ମାଡିଯାଇଥିଲା । 2009 ମଧ୍ୟ ବନ୍ୟା ଯୋଗୁଁ 15ଟି ଜିଲ୍ଲାର 1451 ଗାଁ କ୍ଷତିଗ୍ରସ୍ତ ହୋଇଥିଲା  ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଟଲାସର ଉନ୍ମୋଚନ କରିଛନ୍ତି । ଏହି ଆଟଲାସ ଦ୍ବାରା ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଚଂଳଗୁଡିକୁ ଚିହ୍ନଟ କରାଯାଇ ଏହାର ମୁକାବିଲା ପାଇଁ ଉପଯୁକ୍ତ ଯୋଜନା ଓ ପ୍ରାକ ପ୍ରସ୍ତୁତି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବନ୍ୟା ପରିଚାଳାରେ ଏହି ଆଟଲାସ ବିଶେଷ ଭାବେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 2000ରୁ 2008 ମଧ୍ୟରେ ଓଡିଶାରେ ହୋଇଥିବା ବନ୍ୟା ସଂପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳ କରାଯାଇ ଏହି ଆଟଲାସ ପ୍ରସ୍ତୁ କରାଯାଇଛି । ଏଥିରୁ ଜଣାପଡିଛି ଯେ, ରାଜ୍ୟର ପ୍ରାୟ 14 ଲକ୍ଷ ହେକ୍ଟର ଚାଷଜମି ବନ୍ୟାଦ୍ବାରା କ୍ଷତିଗ୍ରସ୍ତ ହେଉଛି । ଆଟଲାସ ସହାୟତାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ଅଂଚଳ ପ୍ରତି ଧ୍ୟାନ ଦିଆଯାଇପାରିବ ।

Share

Leave a Reply

Your email address will not be published. Required fields are marked *

fourteen + 9 =