ଅଗଷ୍ଟ ୯ରୁ ଯୁକ୍ତ ୩ ଶେଷ ସେମିଷ୍ଟାର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକର ଯୁକ୍ତ ତିନି ଶେଷ (ଷଷ୍ଠ) ସେମିଷ୍ଟର୍ ରେଗୁଲାର୍ ଓ ବ୍ୟାକ୍ ପରୀକ୍ଷା ଆସନ୍ତା ଅଗଷ୍ଟ ୯ ତାରିଖରୁ ଆରମ୍ଭ ହେବ । ଯାହା ୧୨ ତାରିଖରେ ସରିବ । ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଅନଲାଇନ୍ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ବିଶ୍ୱବିଦ୍ୟାଳୟ ୱେବସାଇଟ୍ ଜରିଆରେ ଦିଆଯିବ । ଛାତ୍ରଛାତ୍ରୀମାନେ ରୋଲ୍ ନମ୍ବର ଓ ଜନ୍ମ ତାରିଖ ଲଗ ଇନ୍ କରି ପ୍ରଶ୍ନପତ୍ର ଡାଉନଲୋଡ୍ କରିପାରିବେ । ନଚେତ୍ ଛାତ୍ରଛାତ୍ରୀମାନେ ନିଜ କଲେଜରୁ ମେଲ୍ ଆଇଡିରେ ପ୍ରଶ୍ନ ପାଇପାରିବେ ।

ଏଭଳି ଦୁଇଟି ଉପାୟରେ ପ୍ରଶ୍ନପତ୍ର ପାଇପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ପାଇବାର ଦୁଇ ଘଣ୍ଟା ମଧ୍ୟରେ ପରୀକ୍ଷା ଦେବେ । ଉତ୍ତର ଖାତା ସ୍କାନ୍ କରି କିମ୍ବା ପିଡିଏଫ୍ କରି ନିଜ କଲେଜକୁ ପଠାଇବେ । ଦୀର୍ଘ ଉତ୍ତରମୂଳକ ଓ ସଂକ୍ଷିପ୍ତ ଉତ୍ତରମୂଳକ ମିଶି ୮୦ ମାର୍କର ପ୍ରଶ୍ନ ପଡ଼ିବ । ପ୍ରାକ୍ଟିକାଲ୍ ଥିବା ବିଷୟଗୁଡ଼ିକରେ ୩୦ ମାର୍କର ପ୍ରାକ୍ଟିକାଲ୍ ଓ ୫୦ ମାର୍କର ଥିଓରି ପ୍ରଶ୍ନ ଆସିବ । ଉତ୍ତର ଖାତା କଲେଜଗୁଡିକରେ ମହଜୁଦ ରହିବ । ମୂଲ୍ୟାୟନ ବେଳେ ୮୦%ରୁ ଅଧିକ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ଖାତା କେନ୍ଦ୍ରୀୟ ମୂଲ୍ୟାୟନ କମିଟି(ସେଣ୍ଟ୍ରାଲ୍ ଭେଲୁଅସେନ୍) ନିକଟକୁ ଆସିବ ।

ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଶରତ ମାଝି ସୂଚନା ଦେଇଛନ୍ତି । ସେହିପରି ଚଳିତ ମାସ ୩୧ ତାରିଖ ସୁଦ୍ଧା ଯୁକ୍ତ ତିନି ଶେଷ ବର୍ଷ ପ୍ରାକ୍ଟିକାଲ୍ ମାର୍କ ଅପଲୋଡ୍ ସରିବ । ଉଭୟ ଆଭ୍ୟନ୍ତରୀଣ ମୂଲ୍ୟାୟନ(ଇଣ୍ଟରନାଲ୍ ଆସେସମେଣ୍ଟ୍) ଓ ପ୍ରକଳ୍ପ ଦାଖଲ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ପରୀକ୍ଷା ନିୟନ୍ତ୍ରକ ଡ. ମାଝି ଡିଗ୍ରୀ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =