ସ୍ତ୍ରୀକୁ ମନ୍ଦିରରେ ଛାଡ଼ି ସ୍ୱାମୀ ଉଭାନ୍‌

ସ୍ତ୍ରୀକୁ ସାଲେପୁର ବଜାରକୁ ଆଣି ମନ୍ଦିରରେ ଅଭଡ଼ା ଖୁଆଇ ସ୍ୱାମୀ କୁଆଡ଼େ ନିଖୋଜ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କି ଥାନା ଅଞ୍ଚଳର ପ୍ରଭୁ ଦୟାଲ ବଥୁଆଲଙ୍କ ପୁତ୍ର ଶରତ ବଥୁଆଲ୍ ନିଜ ପତ୍ନୀ ପୂଜା ବଥୁଆଲଙ୍କୁ ଧରି ଶ୍ୱଶୁରଘର ଅସୁରେଶ୍ୱର ଅଞ୍ଚଳକୁ ଆସିଥିଲେ । ଗତ ଜୁଲାଇ ମାସ ୨୯ତାରିଖ ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ସାଲେପୁର ବଜାର ନିକଟରେ ଥିବା ସାହେଶ୍ୱରୀ ମନ୍ଦିରରେ ଅଭଡ଼ା ଖାଇଥିଲେ । ଅଭଡ଼ା ଖାଇବା ପରେ ନିଜ ପତ୍ନୀକୁ ସାଙ୍ଗେ ସାଙ୍ଗେ ଆସୁଛି ବୋଲି କହି ଆଉ ଫେରି ନଥିଲେ ।

ପତ୍ନୀ ପୂଜା ବଥୁଆଲ୍ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନପାଇବାରୁ ଶେଷରେ ଗତ ଅଗଷ୍ଟ ମାସ ୨୨ତାରିଖରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ସ୍ୱାମୀଙ୍କ ରଙ୍ଗ ଶ୍ୟାମଳ ହୋଇଥିବାବେଳେ ତାଙ୍କର ଉଚ୍ଚତା ୫ଫୁଟ ୪ଇଞ୍ଚ ଥିବାବେଳେ ଓ ସେହିଦିନ ସେ ପାଉଁଶିଆ ରଙ୍ଗ ସାର୍ଟ, ଛିଟ କଲର ହାଫ୍ ପ୍ୟାଣ୍ଟ୍ ପିନ୍ଧିଥିବାବେଳେ ତାଙ୍କ ମୋବାଇଲ୍ ଉକ୍ତ ସମୟଠାରୁ ସୁଇଚ୍ ଅଫ୍ ରହିଛି । ଏ ସଂପର୍କରେ ତାଙ୍କର ପତ୍ନୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚାଲୁ ରଖିଥିବାବେଳେ ନିଖୋଜ ବ୍ୟକ୍ତିଙ୍କ ଅଦ୍ୟାବଧି କୌଣସି ସନ୍ଧାନ ମିଳିନାହିଁ । ଅପରପକ୍ଷରେ ନିଖୋଜ ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ସେ କୁଆଡ଼େ ପଳାଇଯାଇଥିବାର ତାଙ୍କ ପତ୍ନୀ ପୂଜା ପ୍ରକାଶ କରିବା ସହ ଯଦି କୌଣସି ବ୍ୟକ୍ତି ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନାରେ ଖବରଦେବାକୁ ସେ ନିବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − eleven =