କ୍ରାଇମ କଣ୍ଟ୍ରୋଲ ପାଇଁ ଫୋକସରେ ସୋସିଆଲ ମିଡିଆ

ମୁକ୍ତ ଓ ଅବାଧ ନିର୍ବାଚନ ପୁଲିସ ଲାଗି ବଡ ଚ୍ୟାଲେଞ୍ଜ

ଭୁବନେଶ୍ବର (): ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ସହ ପୁଲିସର କାର୍ଯ୍ୟକୁ ଲୋକାଭିମୁଖି କରାଯିବ । ମାଓଦମନ ନେଇ ସ୍ବତନ୍ତ୍ର ରଣନୀତି ସହ ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ ହେବ । ବିଶେଷ କରି ପୁଲିସ ଅଧିକାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ସହ କାର୍ଯ୍ୟକ୍ଷେତ୍ରରେ ପ୍ରତିଯୋଗୀତା ବଢ଼ାଇବା ଲଗି ଏସପିମାନଙ୍କୁ ଉତ୍ସାହିତ କରାଯାଉଛି । ୨୦୧୯ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

ପୁଲିସ ଭବନଠାରେ ଆୟୋଜିତ ୬୧ତମ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଡିଜିପି ଡାକ୍ତର ଶର୍ମା କହିଥିଲେ ଯେ ଚଳିତ ଥର ସମ୍ମିଳନୀରେ ରାଜ୍ୟର ଅପରାଧିକ କାର୍ଯ୍ୟକଳାପ ସହ ଆଇନଶୃଙ୍ଖଳା, ବଡ଼ ବଡ଼ କାର୍ଯ୍ୟକ୍ରମ ସୁରକ୍ଷା ବ୍ୟବସ୍ଥା, ଥାନାରେ ଡିଜିଟାଇଲାଜେସନର ବ୍ୟବସ୍ଥା, ସାଇବର ଅପରାଧ ଦମନ ଓ ସୋସିଆଲ ମିଡିଆଲ ମନିଟରିଂ ସେଲ୍ ଉପରେ ଆଲୋଚନା କରାଯିବ । ପ୍ରଥମ ଥର ଲାଗି ସମ୍ମିଳନୀରେ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ବାରା ଏସବୁ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ  ।

ସମ୍ମିଳନୀରେ ଡିଜିପି ଏସପିମାନଙ୍କୁ ଉତ୍ସାହିତ କରି କହିଛନ୍ତି, ଜିଲ୍ଲାସ୍ତରର କାର୍ଯ୍ୟ କରୁଥିବା ଏସପି ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଦକ୍ଷତା ଅନୁସାରେ ଏସପିଙ୍କୁ ଅବସ୍ଥାପିତ କରାଯିବାକୁ ଡିଜିପି ଏସପିମାନଙ୍କୁ କହିଛନ୍ତି । ସେହିପରି ସାଇବର ଅପରାଧକୁ କିପରି ରୋକାଯାଇପାରି ସେନେଇ ମଧ୍ୟ ଆଲୋଚନା କରାଯାଉଛି । ବିଶେଷ କରି ଏବେ ସୋସିଆଲ ମିଡିଆର ବହୁଳ ପ୍ରସାରିତ ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି ।

ଫେସବୁକ, ହ୍ବାଟସଆପ, ଟ୍ବିଟର ଭଳି ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ପୁଲିସ ଯୋଜନା ପ୍ରସ୍ତୁତ କରିଛି । ଖୁବଶୀଘ୍ର ପୁଲିସ ପକ୍ଷରୁ ସୋସିଆଲ ମିଡିଆଲ ମନିଟରିଂ ସେଲ୍ ଗଠନ କରାଯିବ । ଏହି ସେଲ ସୋସିଆଲ ମିଡିଆ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରିବ । ସେହିପରି ମାଓଦମନକୁ ତ୍ବରାନ୍ବିତ କରାଯିବା ସହ ନୂଆ ରଣନୀତି ପ୍ରସ୍ତୁତ କରାଯିବ । ମାଓ ସମସ୍ୟାକୁ କିପରି ସମ୍ପୂର୍ଣ୍ଣ ରୋକାଯାଇପାରି, ସେ ଦିଗରେ ଗୁରୁତ୍ବ ଦିଆଯାଉଛି । ସେହିପରି ଆଗାମୀ ସାଧାରଣ ନିର୍ବାଚନ ଲାଗି ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଛି । ମାନବସମ୍ବଳ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ବିଷୟକୁ ତର୍ଜମା କରାଯାଉଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହ ଅପରାଧୀକ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ଏନେଇ ସମସ୍ତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ତିନି ଦିନିଆ ପୋଲିସ ଅଫିସର ସମ୍ମିଳନୀର ପ୍ରଥମ ଦିନରେ ଲୋକାଭିମୁଖୀ  ପୋଲିସ ବ୍ୟବସ୍ଥା, ପୋଲିସର ଆ·ର ବ୍ୟବହର, ସୋସିଆଲ ମିଡିଆର ସୁପରି·ଳନା ଓ ବାମପନ୍ଥୀ ସନ୍ତ୍ରାସବାଦ ଆଦି ଉପରେ ଆଲୋଚନା କରାଯାଇଥିଲା । ସେହିପରି ଥାନାଗୁଡ଼ିକୁ ସୁଦୃଢ଼ୀକରଣ, ଲୋକାଭିମୁଖୀ ପୋଲିସ ବ୍ୟବସ୍ଥା ଓ ନୈତିକତା ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ସମ୍ମିଳନୀକୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ଓ ଡିଆଇଜି ନିଖିଲ କାନୋଡିଆ ପରିଚାଳନା କରିଥିଲେ । ସମ୍ମିଳନୀରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଏଡିଜି ଅରୁଣ ଷଢ଼ଙ୍ଗୀ, ସୁଧାଂଶୁ ଷଢ଼ଙ୍ଗୀ, କ୍ରାଇମବ୍ରାଞ୍ଚ ଏଜିଡି ସନ୍ତୋଷ ଉପାଧ୍ୟାୟ, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ସମସ୍ତ ଜିଲ୍ଲା ଏସପି, ରେଞ୍ଜ ଆଇଜି, ଡିଆଇଜିଙ୍କ ସମେତ ୧୩୮ଜଣ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

four × 5 =