ରାଜ୍ୟ ବାହାରକୁ ଗଲା ପାଠ୍ୟପୁସ୍ତକ, ଉଦ୍‌ଘାଟନ କଲେ ମନ୍ତ୍ରୀ

ରାଜ୍ୟ ବାହାରକୁ ଜାତୀୟକରଣ ଓଡ଼ିଆ ପାଠ୍ୟପୁସ୍ତକ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥି ଏସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍ ଜେନା ଏବଂ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁରାମ ଆର ଆୟାର ଉପସ୍ଥିତ ଥିଲେ । ଏହି ପାଠ୍ୟପୁସ୍ତକ ବିତରଣ ଅନୁଯାୟୀ ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ରାଜ୍ୟ ଗୁଡିକୁ ମୋଟ ୧,୧୫,୦୦୦ ଓଡିଆ ପାଠ୍ୟପୁସ୍ତକ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି ।

ଏହା ଦ୍ୱାରା ଚଳିତ ଶିକ୍ଷା ବର୍ଷରେ ବାହାର ରାଜ୍ୟରେ ପଠନରତ ସମସ୍ତ ଓଡିଆ ଛାତ୍ରଛାତ୍ରୀମାନଙ୍କ ପାଖରେ ପୁସ୍ତକଗୁଡିକ ସୁଚାରୁ ରୂପେ ପହଞ୍ଚି ପାରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇାଛି । ଏଥି ସହ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ପଠନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୨.୫ କୋଟି ଜାତୀୟକରଣ ପାଠ୍ୟପୁସ୍ତକ ସମସ୍ତ ବ୍ଲକ ମାଧ୍ୟମରେ ବିତରଣ କରାଯାଇଛି । ଚଳିତ ଶିକ୍ଷାବର୍ଷର ଦୈନନ୍ଦିନ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ‘ମୋ ଡାଇରୀ’, ପ୍ରାଥମିକ ଏବଂ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାବର୍ଷ ଏକାଡେମିକ କଲେଣ୍ଡର ମନ୍ତ୍ରୀ ଶ୍ରୀ ଦାଶ ଉନ୍ମୋଚନ କରିଥିଲେ । ନିର୍ଦ୍ଦେଶକ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟଙ୍କ ତତ୍ତ୍ୱାବଧାନରେ ଏହି ବିତରଣ ପକ୍ରିୟା ସୁଚାରୁ ରୂପେ ସମ୍ପାଦିତ କରାଯାଇଛି ।

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବାରେ ସରକାର ସଫଳ ହୋଇଛନ୍ତି । ଉଦ୍‌ଘାଟନ ଉତ୍ସବରେ ଓଡିଶା ସରକାରଙ୍କ ୫-‘ଟି’ ର ଅନୁଶାସନ ଯଥା ଦଳଗତ କାର୍ଯ୍ୟ, ବୈଷୟିକ ଜ୍ଞାନକୌଶଳ, ସ୍ୱଚ୍ଛତା, ପରିବର୍ତ୍ତନ ଓ ସମୟାନୁବର୍ତ୍ତିତାକୁ ଅଧାରା କରି ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ନିମନ୍ତେ ବର୍ଷ ୨୦୨୨-୨୩ ର ଆର୍ôଥକ ଅନୁଦାନରୁ ଅର୍ଥ ବିନିଯୋଗ କରାଯାଇ ୩ ଗୋଟି ଅତ୍ୟାଧୁନିକ ମେସିନ୍ ଯଥା – ଗୋଟିଏ କମ୍ପୁଟରରୁ ପ୍ଳେଟ୍ ପ୍ରସ୍ତୁତକାରୀ ମେସିନ୍‌, ଗୋଟିଏ ୨-ହାଏସ୍ପିଡ୍ ୱେବ୍ ମୁଦ୍ରଣ ମେସିନ୍ ଏବଂ ୧୬୦ କେଭିଏ ଜେନେରେଟର କ୍ରୟ କରାଯାଇଛି । ୫-‘ଟି’ ଅନୁଯାୟୀ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟର ପାଠ୍ୟପୁସ୍ତକ ଉତ୍ପାଦନର ଅଭିବୃଦ୍ଧି ସହିତ ରାଜ୍ୟ ସରକାରଙ୍କର ସମସ୍ତ ପାଠ୍ୟପୁସ୍ତକ ମୁଦ୍ରଣରେ ଏଗୁଡ଼ିକ ବିଶେଷ ସହାୟତା ପ୍ରଦାନ କରିବ ।

Share

Leave a Reply

Your email address will not be published. Required fields are marked *

six + eight =