ମୁଖ୍ୟମନ୍ତ୍ରୀ ଫୋନ କରି କହିଲେ …

ଭବନେଶ୍ବର () କେହି କେବେ ଅନୁମାନ କରିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଚାଷୀଙ୍କୁ ଫୋନ କରି କହିବେ ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ରାଶି ପାଠାଉଛି, ଆକାଉଣ୍ଟ ଚେକ କରନ୍ତୁ ବୋଲି । ଏପରିକି ଆକାଉଣ୍ଟକୁ ଟଙ୍କା ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଥର ଫୋନ କରି କହୁଛନ୍ତି, ଟଙ୍କା ଗଲା, ଚାଷ କାମରେ ଲଗାଅ । ହଁ, ଆଜ୍ଞା ଏଭଳି ଫୋନ କଲ କିଛି ଚାଷୀ ପାଇଛନ୍ତି ଆଉ ସେ ଫୋନ କଲର ରେକର୍ଡିଂ ଆମର ହସ୍ତଗତ ହୋଇଛି ।

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଜମୁନାପୋଷୀ ଗାଁର ରତ୍ନାକର ନାୟକ । ଗତ 25 ତାରିଖରେ ସେ ନିଜ ବ୍ୟାଙ୍କ ଆକାଉଣ୍ଟରେ 5000 ଟଙ୍କା କାଳିଆ ସହାୟତା ରାଶି ପାଇଛନ୍ତି । ଟଙ୍କା ମିଳିବା ପୂର୍ବରୁ ତାଙ୍କ ଫୋନକୁ ମୁଖ୍ୟମନ୍ତ୍ରୀ ଫୋନ କରି କହିଥିଲେ ସହାୟତା ରାଶି ତାଙ୍କ ଆକାଉଣ୍ଟକୁ ଯାଉଥିବା ସୂଚନା ଦେଇଥିଲେ । କିଛି ସମୟ ପରେ ପୁଣି ଥରେ ଫୋନ କରି କହିଥିଲେ ଯେ, ତମ ଆକାଉଣ୍ଟକୁ କାଳିଆ ସହାୟତା ରାଶି 5000 ଟଙ୍କା ପଠାଇଲି, ତାକୁ ଚାଷ କାମରେ ବ୍ୟବହାର କରିବ । ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଏଭଳି ଫୋନ ପାଇ କେନ୍ଦୁଝରର ନିପଟ ମଫସଲ ଗାଁର ଏହି ଚାଷୀ ଜଣକ ଏତେ ଉତ୍ସାହିତ ହୋଇପଡିଥିଲେ ଯେ, ସେ ସଙ୍ଗେ ସଙ୍ଗେ ନିଜ ବ୍ୟାଙ୍କ ଆକାଉଣ୍ଟ ଯାଂଚ କରିଥିଲେ । ଆଉ ସତକୁ ସତ 5000 ଟଙ୍କା ଆସିଥିବା ଦେଖି ତାଙ୍କ ଖୁସୀ କହିଲେ ନସରେ ।

ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ଓ କାଳିଆ ଯୋଜନାର କାର୍ଯ୍ୟକାରିତା ଦାୟିତ୍ବରେ ଅଧିକାରୀମାନେ ନିୟମିତ ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ତାଲିକା ପ୍ରସ୍ତୁତି ଠାରୁ ଆରମ୍ଭ କରି ଚାଷୀଟିଏ ଅର୍ଥ ପାଇବା ପର୍ଯ୍ୟନ୍ତ ପୂରା ବ୍ୟବସ୍ଥା ସ୍କାନରରେ ରହିଛି । ନିଜ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ଚାଷୀଙ୍କୁ ଫୋନ କରି ସହାୟତା ରାଶି ଚାଷୀଙ୍କ ଆକାଉଣ୍ଟକୁ ଯାଉଥିବା କନଫର୍ମ କରୁଛନ୍ତି । ଏହାଦ୍ବାରା ସହାୟତା ରାଶି ବାଟମାରଣା ହେବା କିମ୍ବା ମଧ୍ୟସ୍ଥିଙ୍କ ମନମାନି ରହିବ ନାହିଁ ।

କାଳିଆ ସହାୟତାର ଲୋକପ୍ରିୟତାରେ ବିରୋଧୀ ଏକ ପ୍ରକାର ହତାସ ହୋଇପଡିଲେଣି  । ତେଣୁ ଦୈନିକ ଏହି ଯୋଜନାର ନାଁ ନେଇ ସରକାରଙ୍କ ଦୋଷ ଦୁର୍ବଳତା ବାହାର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହି ସହାୟତା ଯେ, ଚାଷୀଙ୍କୁ କେତେ ଲାଭବାନ କରିଛି ଏବଂ ସେମାନେ କେତେ ଖୁସୀ, ସେକଥା କେବଳ ରତ୍ନାକରଙ୍କ ଭଳି କ୍ଷୁଦ୍ର ଚାଷୀ ହିଁ କହିପାରିବ । ଚତ୍ନାକରଙ୍କ ଭଳି କାଳିଆ ସହାୟତା ପାଇଥିବା ଚାଷୀମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଅର୍ଥକୁ ଚାଷ କାର୍ଯ୍ୟରେ ଲଗାଇବାକୁ ପ୍ରତିଶୃତି ଦେଇଛନ୍ତି ।

ଏଭିତରେ ରାଜ୍ୟ ସରକାର ପ୍ରାୟ 12 ଲକ୍ଷ 95ହଜାର ଚାଷୀଙ୍କୁ କାଳିଆ ସହାୟତା ଦେଇସାରିଲେଣି । ପୁରୀରେ ଆୟୋଜିତ ଚାଷୀ ସମାବେଶରେ 12 ଲକ୍ଷ 45ହଜାର ଏବଂ ବ୍ରହ୍ମପୁରରେ ଆୟୋଜିତ ସମାବେଶରେ 50 ହଜାର ଚାଷୀଙ୍କ ଆକାଉଣ୍ଟକୁ 5000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଖୁବଶୀଘ୍ର କେନ୍ଦୁଝର ଜିଲ୍ଲାରେ ମଧ୍ୟ ହେବ ଚାଷୀ ସମାବେଶ । ସେଠି ମଧ୍ୟ ଆଉ କିଛି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ 5000 ଟଙ୍କା ସହାୟତା ରାଶି ଟ୍ରାନଫର କରାଯିବ । ରାଜ୍ୟ ସରକାରଙ୍କ ଏହି କାଳିଆ ଯୋଜନାରେ ରାଜ୍ୟର ପ୍ରାୟ 92 ପ୍ରତିଶତ ଚାଷୀ ଉପକୃତ ହେବାକୁ ଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ନାମମାତ୍ର ଚାଷୀଙ୍କୁ ଗୁରୁତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

17 − six =