ଓଡିଆ ରେଳ କର୍ମଚାରୀଙ୍କ ଚାରୁକଳାକୁ ମିଳିଲା ସମ୍ମାନ

ଭୁବନେଶ୍ବର, 12/06 (ନିପ୍ର):  ପି. ଶ୍ୟାମସୁନ୍ଦର ରାଓ ନାମକ ଜଣେ ଓଡ଼ିଆ ବ୍ୟକ୍ତିଙ୍କ ଏକ ଚିତ୍ର ରେଳମନ୍ତ୍ରାଳୟର ସଫଳତା ପୁସ୍ତିକାରେ ସ୍ଥାନ ପାଇଛି । ପି. ଶ୍ୟାମସୁନ୍ଦର ପୂର୍ବତଟ ରେଳବାଇର ମୁଖ୍ୟକାର୍ଯ୍ୟାଳୟ ଭୁବନେଶ୍ବରଠାରେ ପିଅନ ଭାବେ କାର୍ଯ୍ୟରତ ।

କେନ୍ଦ୍ରରେ ଏନଡିଏ ସରକାରଙ୍କ ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ମନ୍ତ୍ରାଳୟ ନିଜ ନିଜର ସଫଳତାର ବିବରଣୀ ସମ୍ବଳିତ ପୁସ୍ତିକା ପ୍ରସ୍ତୁତ କରିଛନ୍ତି । ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏପରି ଏକ ପୁସ୍ତିକାର ମଲାଟରେ ଶ୍ୟାମସୁନ୍ଦରଙ୍କ  ଦ୍ବାରା ପ୍ରସ୍ତୁତ ପେଣ୍ଟିଂ ସ୍ଥାନ ପାଇଛି । ଏହି ପେଣ୍ଟିଂରେ ମହାତ୍ମା ଗାନ୍ଧି ଏକ ଟ୍ରେନରୁ ଓହ୍ଲାଉଥିବା ବେଳେ ଲୋକମାନେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ସଂଯୋଗବଶତଃ ରେଳମନ୍ତ୍ରାଳୟ ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି ।

ଉତ୍କଳ ସଂସ୍କୃତି ବିଶ୍ବ ବିଦ୍ୟାଳୟରୁ ଚାରୁକଳାରେ ସ୍ନାତକ  ଡିଗ୍ରି ହାସଲ କରିଥିବା ଶ୍ୟାମସୁନ୍ଦର ରେଳବାଇ ପକ୍ଷରୁ ଅନୁଷ୍ଠିତ ଏକ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବରିଷ୍ଠ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ ।  ତେବେ  ସଫଳତା ପୁସ୍ତିକାର ମଲାଟ ପାଇଁ ସେ ୩ଟି ପ୍ରବେଶିକା ପଠାଇଥିବେଳେ  ପ୍ରଥମ ଦୁଇଟି ବଛା ହୋଇପାରିନଥିଲା । ତେବେ ତୃତୀୟଟି ମଲାଟ ପାଇଁ ବଛା ହୋଇଥିଲା । ସୋମବାରଦିନ ତାଙ୍କୁ ରେଳମନ୍ତ୍ରୀ ପିୟୁଷ ଗୋଏଲ ସମ୍ବର୍ଦ୍ଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 × four =