ବିରୋଧ ପରେ ନିରଞ୍ଜନଙ୍କ ୟୁ ଟର୍ଣ୍ଣ

ଭୁବନେଶ୍ବର, 12/06 (ନିପ୍ର): ୱାନ ମ୍ୟାନ, ୱାନ ପୋଷ୍ଟ’କୁ ଦଳ ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ୟୁ ଟର୍ଣ୍ଣ ମାରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ  । ଏ ସଂପର୍କରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ, ‘ୱାନ ମ୍ୟାନ, ୱାନ ପୋଷ୍ଟ’ର ଅର୍ଥ ହେଉଛି ଜଣେ ବ୍ୟକ୍ତି ଦଳୀୟ ପଦବୀ ଓ ନିର୍ବାଚିତ  ପଦବୀ ଏକକାଳୀନ ରଖିପାରିବ ନାହିଁ । ତେବେ ପିସିସି ସଭାପତି ଭାବେ ସେ ନିଶ୍ଚିତ କରୁଛନ୍ତିଯେ, ବିଜୟ ସମ୍ଭାବନା ଆଧାରରେ ଟିକେଟ ପ୍ରଦାନ କରାଯିବ । ବିଶେଷକରି ଯୁବ, ମହିଳା ଓ ନୂଆ ମୁହଁକୁ ଗୁରୁତ୍ବ ଦିଆଯିବ ବୋଲି ନିରଞ୍ଜନ କହିଛନ୍ତି ।

ନିରଞ୍ଜନ କହିଛନ୍ତି ଯେ, ସେ କେବେ କହିନାହାନ୍ତି ଯିଏ ଦଳୀୟ ପଦବୀରେ ଥିବ ସେ ନିର୍ବାଚନ ଲଢ଼ିପାରିବ ନାହିଁ  । ଯଦି ସେମିତି କହିଥିବେ ତେବେ ତାହାର ଭିଜୁଆଲ ଗଣମାଧ୍ୟମ ପାଖରେ ଅଛି କି ବୋଲି ପ୍ରଶ୍ନ କରିଥିଲେ  । ଗଣମାଧ୍ୟମରେ ଅଯଥା କଂଗ୍ରେସକୁ ନେଇ ଅପପ୍ରଚାର କରାଯାଉଛି। ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ । ଦଳର ତିନି ବିଧାୟକ ଜିଲ୍ଲା ସଭାପତି ଦାୟିତ୍ବରେ ଥିଲେ  । ସେହି ତିନି ବିଧାୟକ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ  । ତେଣୁ ବିଧାନସଭା କ୍ଷେତ୍ରରେ ଅଧିକ ସମୟ ଦେବା ପାଇଁ ସେମାନେ ଜିଲ୍ଲା ସଭାପତି ରହିଲେ ନାହିଁ  । ମୁଁ ସଭାପତି, ଆମର ତିନି କାର୍ଯ୍ୟକାରୀ ସଭାପତି ମଧ୍ୟ ଅଛନ୍ତି । ତାମାନେ ଆମେମାନେ କେହି ନିର୍ବାଚନ ଲଢ଼ିବୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟଯେ, ‘ୱାନ ମ୍ୟାନ, ୱାନ ପୋଷ୍ଟ’କୁ ନେଇ ଦଳର କେତେକ ନେତା ଅସନ୍ତୋଷ ପ୍ରକାଶ କରିଥିଲେ  । ବରିଷ୍ଠ ନେତା ସୁର ରାଉତରାୟ କ୍ଷୋଭ ପ୍ରକାଶ କରିବା ସହ ଏହାକୁ ସେ ମାନିବେ ନାହିଁ ବୋଲି କହିଥିଲେ  । ଗତକାଲି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ଏନେଇ ମତ ଦେଇଥିଲେ  । ସେ କହିଥିଲେଯେ, କୌଣସି କାର୍ଯ୍ୟକର୍ତା ନିର୍ବାଚନ ଲଢ଼ିବାରେ ସମସ୍ୟା ନାହିଁ  । ଜିତିବାର ମାପକାଠିକୁ ବିଚାର କରି ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ  । ଯାହାର ସଂଗଠନ ଥିବ ଓ ଜିତିବାର ସମ୍ଭାବନା ଥିବ ସେ ପିସିସି କିମ୍ବା ଡିସିସି କମିଟି କର୍ମକର୍ତା ରହିଥିଲେ ମଧ୍ୟ ନିର୍ବାଚନ ଲଢ଼ିପାରିବେ  । ତେବେ ଜଣେ ପିସିସି ସଦସ୍ୟ ଥାଇ ଜିଲ୍ଳାର ଡିସିସି କମିଟିରେ ଏକକାଳୀନ ନିର୍ବାହ କରିପାରିବେ ନାହିଁ ବୋଲି ଭକ୍ତ କହିଥିଲେ  ।

କୋରାପୁଟ କଂଗ୍ରେସ ମଧ୍ୟରେ ଥିବା ବିବାଦକୁ ନେଇ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଲେଯେ, ସେଇଟା ଆମ ଘର କଥା  । ଆମେ ଦୂର କରିବୁ  । ଆପଣମାନଙ୍କର ମୁଣ୍ଡ କାଇଁ ବିନ୍ଧୁଛି ବୋଲି ନିରଞ୍ଜନ କହିଛନ୍ତି  । ସେହିପରି ଦଳୀୟ ଶୃଙ୍ଖଳା ନେଇ ଖୁବଶୀଘ୍ର ସର୍କୁଲାର ଜାରି ହେବ  । ଗଣମାଧ୍ୟମ ପାଇଁ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯିବ ସେହିମାନେ ହିଁ କେବଳ ମିଡିଆରେ କହିପାରିବେ ବୋଲି ନିରଞ୍ଜନ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

17 + 12 =