ଶ୍ରୀଜଗନ୍ନାଥଙ୍କ ସେବା କଲେ ମୁଖ୍ୟ ସଚିବର ଆଶା ରହିବନି

ଭୁବନେଶ୍ବର, 12/06 (ନିପ୍ର):  ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କିଛି ବ୍ୟକ୍ତିଗତ ଛୁଙ୍କ ଛାଡ଼ିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ । ଏବେ ଇଣ୍ଟରନ୍ୟାସନାଲ୍‍ କ୍ରପ୍‍ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ (ଆଇସିଆରଆଇଏସ୍‍ଏଟି)ର ଭାରତ ସମ୍ପର୍କ ନିର୍ଦ୍ଦେଶକ ପଦବୀରେ ଥିବା ଶ୍ରୀ ପାଢ଼ୀ ଏ ସମ୍ପର୍କରେ ସୋଶାଲ୍‍ ମିଡିଆ ଟ୍ବିଟରରେ ନିଜ ମନର କଥା କହିଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀଟି ହେଉଛି “ଓଡ଼ିଶା ଅମଲାତନ୍ତ୍ରରେ ସବୁଠାରୁ ଜଟିଳ ଓ ଆହ୍ବନପୂର୍ଣ୍ଣ ପଦବୀ” । ଏ ପଦବୀରେ ଥରେ ନିଯୁକ୍ତ ହେଲେ ଅଫିସରଟି ମୁଖ୍ୟ ସଚିବ ହେବାର ସ୍ବପ୍ନ ହଜାଇ ଦେବ ।

ତୃତୀୟ ମହଲା ସହ ତାଙ୍କର ସବୁଠାରୁ ଭଲ ସମ୍ପର୍କ ରହିଛି ଏବଂ ସେ ଯେମିତି ଚାହାନ୍ତି ସେମିତି ମନ୍ଦିର ପ୍ରଶାସନ ଚଳାଇବେ ବୋଲି ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିଥିବା ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ରାତାରାତି ଶ୍ରୀମନ୍ଦିର ଦାୟିତ୍ବରୁ ପ୍ରତ୍ୟାହାର କରାଯାଇ ନୂଆ ପ୍ରଶାସକଙ୍କୁ ନିଯୁକ୍ତି ପରେ ସେ ଏପରି ଟ୍ବିଟ କରିଛନ୍ତି।

ସେ ନିଜ ଟ୍ବିଟରେ କହିଛନ୍ତି, ଏମିତି ଏକ ପରିସ୍ଥିତିରେ ସେ ମୁଖ୍ୟ ସଚିବଙ୍କ ଆଗରେ ମଧ୍ୟ ଚ୍ୟାଲେଞ୍ଜ୍‍ ଦେଇଥିଲେ । ଆଉ ଗମାତ ଢଙ୍ଗରେ କହିଥିଲେ “ଆପଣ ଥରେ ଯଦି ଭଗବାନଙ୍କ ସେବା କରିବେ ନା ଆପଣ ମୁଖ୍ୟ ଶାସନ ସଚିବ ହେବାର ଆଶା ବି ଭୁଲିଯିବେ । ଏହି ମୁହୁର୍ତ୍ତରେ ଶ୍ରୀମନ୍ଦିରରେ ଯାହା ଆବଶ୍ୟକ ତାହା ହେଉଛି ସଂସ୍କାର । ଏହା ହିଁ ପ୍ରାଥମିକ ହେବା ଆବଶ୍ୟକ ଆଉ ସବୁ ପଛରେ” ।

ଶ୍ରୀମନ୍ଦିରରେ କୌଣସି ଅସୁବିଧା ହେଲେ ସରକାର ବାରମ୍ବାର ଯେମିତି ପ୍ରଶାସକଙ୍କୁ ବଦଳି କରୁଛନ୍ତି ଏହା ତାହାର ପ୍ରତିକ୍ରିୟା ହୋଇପାରେ । କାରଣ ଏହି ପ୍ରକ୍ରିୟା ଦ୍ବାରା ଶ୍ରୀମନ୍ଦିରରେ ଯେଉଁ ତତ୍ତ୍ବମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନେ ସକ୍ରିୟ ହେବାକୁ ସୁଯୋଗ ମିଳୁଛି । ବାସ୍ତବରେ ଯେଉଁ ସଂସ୍କାର ପ୍ରକ୍ରିୟା ଆପଣାଯାଉଛି ତାହାର ସୁଫଳ ମିଳିପାରୁ ନାହିଁ । ସରକାର କେବଳ ରଥଯାତ୍ରାକୁ ପରିଚାଳନା କରିବା ପାଇଁ ଯେଉଁ ଗୁରୁତ୍ବ ଦେଉଛନ୍ତି ତାହା ଅରବିନ୍ଦଙ୍କ ଏହି ଉକ୍ତିରେ ଭୁଲ୍‍ ନିଷ୍ପତ୍ତି ବୋଲି ସ୍ପଷ୍ଟ ହେଉଛି । ଯଦିଓ ସେ ଏ ସମ୍ପର୍କରେ ଅଧିକ କିଛି ଉଲ୍ଲେଖ କରି ନାହାନ୍ତି କିନ୍ତୁ ତାଙ୍କ ଉକ୍ତିରୁ ତାଙ୍କ ମନର ଭାଷାକୁ ପଢ଼ିବା ସହଜ ।

କିଛି ସମୟ ପାଇଁ ସେ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବରେ ଅଧିଷ୍ଠିତ ଥିଲେ । ସେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଅନେକ ଚେଷ୍ଟା କରିଥିଲେ । ରୀତିନୀତିଠାରୁ ଆରମ୍ଭ କରି ଯାତ୍ରୀଙ୍କ ଶୃଙ୍ଖଳା ଏବଂ ସେବାୟତଙ୍କ ମଙ୍ଗଳ ପାଇଁ ପ୍ରଚେଷ୍ଟା କରାଯାଇଥିଲା । ରଥ ଉପରେ ଭକ୍ତଙ୍କ ଚଢ଼ିବା ନିଷେଧାଦେଶକୁ ସେ କଠୋର ଭାବେ କାର୍ଯ୍ୟ କରିଥିଲେ । ଏଥିପାଇଁ ସେବାୟତ ଗୋଷ୍ଠୀଙ୍କ ଦ୍ବାରା ସମାଲୋଚିତ ମଧ୍ୟ ହୋଇଥିଲେ । ଆଉ ଏହା ପରେ ରାତାରାତି ତାଙ୍କୁ ବଦଳି କରାଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ସେ ଏବଂ ତାଙ୍କ ପତ୍ନୀ ଉଷା ପାଢ଼ୀ ଓଡ଼ିଶା ଛାଡ଼ି ଦିଲ୍ଲୀ ପଳାଇବାକୁ ଉଚିତ ଭାବିଥିଲେ ।

Share

Leave a Reply

Your email address will not be published. Required fields are marked *

five × 5 =