ଆଜିଠୁ ସୋଆ ଏସ୍‌ଏଚ୍‌ଏମ୍‌ରେ ‘ପଖାଳ ଉତ୍ସବ’

 ବିଶାଳକାୟ କୋଠା ଘର, ବାହାର ଦେଖିଲେ ସହରର ଛାପ ପୂରା ବାରି ହୋଇପଡୁଥିବ । ହେଲେ ଭିତରକୁ ପଶିବା କ୍ଷଣି ଆଖିରେ ପଡ଼ିବ ନୁଆଣିଆଁ ଚାଳଘର, ତୁଳସୀ ଚଉରା, ଗାଁ ପୋଖରୀ ସାଙ୍ଗକୁ ଚାଳ ଘରେ ଢିଙ୍କି, କୁଲା ଓ ପାଚିଆ । ଏମିତି ଗାଁ ପରିବେଶରେ ସହରୀ ଲୋକଙ୍କୁ ପଖାଳ ପରସିବାକୁ ଯୋଜନା କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ଶୁକ୍ରବାର ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଶିକ୍ଷା ଅନୁଷ୍ଠାନ ପରିସରରେ ଏମିତି ପଖାଳ ମଜା ନେଇପାରିବେ ଲୋକେ । ଏହି ଉତ୍ସବ ଏପ୍ରିଲ୍‌ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଉତ୍ସବରେ ଅତିଥିଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ । ତା’ ସହିତ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଶିକ୍ଷାନୁଷ୍ଠାନ ଭିତରକୁ ଯିବା ଆଗରୁ ଆପଣଙ୍କୁ ସ୍ୱାଗତ କରିବା ଲାଗି ଚାଳ ଛପର ଘରର ଭ୍ରମ ସୃଷ୍ଟି କରାଯାଇଛି । ତା’ପରେ ଅଛି ନାଲି ମାଟିରେ ତିଆରି ବୃନ୍ଦାବତୀ ଓ ଛୋଟ ଛପର ଘରେ ହନୁମାନ ମନ୍ଦିର । ଯାହାକି ଆକର୍ଷଣର କେନ୍ଦ୍ର ପାଲଟିବ । ଭିତରକୁ ଯେତେ ପ୍ରବେଶ କରିବେ ସେତିକି ଗାଁର ଛାପ ଆଖିରେ ପଡ଼ିବ । ଛୋଟ ପୁଷ୍କରିଣୀରେ ମାଛ ଖେଳୁଥିବାର ଦୃଶ୍ୟ, ଚାଳ ଘରେ ଘଣ୍ଟିର ଶବ୍ଦ ଏମିତି ଅନେକ କିଛି। ଯାହାକି ଦେବ ଭିନ୍ନ ଏକ ଅନୁଭୂତି । ଖାଦ୍ୟ ପରସା ଯିବା ରୁମ୍‌ରେ ରହିଛି ଛୋଟ ଛୋଟ ସୋ’ ଗଛ । ତା’ ସହିତ ଆଖିରେ ପଡ଼ିବ ଚାନ୍ଦୁଆ । ଦ୍ୱିତୀୟ ମହଲାରେ ଦେଖିବାକୁ ମିଳିବ ସୌରା ଚିତ୍ରକଳାରେ ଠାକୁରଙ୍କ ସ୍ଥାପନ, ବାଡ଼ି ବଗିଚାରେ ଫଳିଥିବା ଟମାଟୋ, ଲେମ୍ବୁ ଓ ବିଭିନ୍ନ ପରିବା ।

ଓଡ଼ିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ । ସ୍କୁଲ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟର ଆଡଭାଇଜର ଡିନ୍‌ ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ସମସ୍ତ କ୍ୱାଲିଟି ମେମ୍ୱର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯିବ । ଏସ୍‌ଏଚ୍‌ଏମ୍‌ର ରେସ୍ତୋରାଁ ପରିସରରେ ୬ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବ ଦିନ ୧୨ରୁ ୩ଟା ପର୍ଯ୍ୟନ୍ତ ଚାଲିବ । ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି ।

ପଖାଳ ଉତ୍ସବରେ ପାରମ୍ପରିକ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଲେମ୍ୱୁ ପଖାଳ, ଆମ୍ୱ ପଖାଳ ସହିତ ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ବ୍ୟବସ୍ଥା ହୋଇଛି । ତା’ସହିତ ମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଛେଚା, ଖଅଙ୍ଗା ଶୁଖୁଆ ଭଜା, ଛତୁ ପତ୍ରପୋଡ଼ା, ଆଳୁ ଭଜା, ବାଇଗଣ ଭର୍ତ୍ତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗବଡ଼ି ଭଜା ଓ ବଡ଼ି ଚୁରା ପରିବେଷଣ କରାଯିବ । ଓଡ଼ିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ବ୍ୟବସ୍ଥା ମଧ୍ୟ ରହିଛି ।

Share

Leave a Reply

Your email address will not be published. Required fields are marked *

3 + 5 =