ଗରଦପୁରରେ ବିଜେପିର ଟେନସନ ସୁଶାନ୍ତ

ଭୁବନେଶ୍ବର () ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ରଣନୀତି ଏବେ ପାଟକୁରାରେ ବିଜେପି ନେତାଙ୍କ ଅକଲ ଗୁଡୁମ କରିଦେଇଛି । ବରଗଡ ଜିଲ୍ଲାର ବିଜେଡି କିଙ୍ଗପିନ ସୁଶାନ୍ତ ପାଟକୁରାର ଦୁଇଟି ପଂଚାୟତରେ ବିଜେଡି ଭୋଟକୁ ଏବେ ଏଭଳି ସଂଗଠିତ କରିଛନ୍ତି ଯେ, ବିଜେପି ନେତାମାନେ ଯେତେ ଚେଷ୍ଟା କରିବି ପଶି ପାରୁନାହାଁନ୍ତି । ଶାନ୍ତ, ସରଳ ଏବଂ ତୃଣମୂଳ ସ୍ତରର ଜଣେ କର୍ମୀ ଓ ନେତା ଭାବେ ସୁପରିଚିତ ସୁଶାନ୍ତଙ୍କ ରାଜନୈତିକ ଗୋଟି ଚାଳନା ହିଁ ତାଙ୍କର ସବୁଠାରୁ ବଡ ପ୍ଲସ ପଏଣ୍ଟ । ଗତ ସାଧାରଣ ନିର୍ବାଚନରେ ବରଗଡରେ ବିଜେଡିର ସଫଳତା ହେଉ କି ବିଜେପୁର ଉପନିର୍ବାଚନ ଦଳୀୟ ସଫଳତାର ସବୁ ଶ୍ରେୟ ଯାଇଥିଲା ସୁଶାନ୍ତଙ୍କ ପାଖକୁ । ତାଙ୍କର ସେହି ରାଜନୈତିକ ବିଚକ୍ଷଣତା ପାଇଁ ହିଁ ବିଜେଡି ସଭାପତି ତାଙ୍କୁ ପାଟକୁରା ଉପନିର୍ବାଚନରେ ଗରଦପୁର ବ୍ଲକର ଦୁଇଟି ପଂଚାୟତ ଦାୟିତ୍ବ ଦେଇଛନ୍ତି ।

ପାଟକୁରା ନିର୍ବାଚନମଣ୍ଡଳୀର ଗରଦପୁର ବ୍ଲକକୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଗଡ ବୋଲି କୁହାଯାଏ । ଦିନ ଥିଲା ଏଠି ବିଜୟ ମହାପାତ୍ର ନଚାହିଁଲେ ପତ୍ର ହଲୁନଥିଲା । ରାଜନୈତିକ ପାଣିପାଗ ପରିବର୍ତ୍ତନ ସହ ବିଜେଡି ନେତାଙ୍କ ରଣନୀତି ଗରଦପୁରର ଚିତ୍ର ବଦଳାଇଦେଇଛି । ଗରଦପୁର ବ୍ଲକ ଦାୟିତ୍ବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଥିଲେ ବି ଦୁଇଟି ସମ୍ବେଦନଶୀଳ ଟିକନପୁର ଓ ରାମଚନ୍ଦ୍ରପୁର ପଂଚାୟତ ଦାୟିତ୍ବ ସୁଶାନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ବରଗଡ ନିର୍ବାଚନ ଓ ତା ପୂର୍ବର ବିଜେପୁର ଉପନିର୍ବାଚନ ଯିଏ ସୁଶାନ୍ତଙ୍କ ରାଜନୈତିକ କାର୍ଯ୍ୟକଳାପ ଦେଖିଛି, ସେ ନିଶ୍ଚିତ ଭାବେ ଗ୍ରହଣ କରିବେ ଯେ, ସେ ଜଣେ ତୃଣମୂଳ ସ୍ତରର ନେତା । ସକାଳ 7ଟାରୁ ରାତି 11ଟା ପର୍ଯ୍ୟନ୍ତ ଘର ଘର ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଥିବା ସୁଶାନ୍ତ ଗରଦପୁରରେ ବି ସେଇ ନୀତି ଆପଣେଇଛନ୍ତି । ପରିସ୍ଥିତି ଏଭଳି ହେଲାଣି ଯେ, ଏହି ଦୁଇ ପଂଚାୟତର ଭୋଟ ସୁଶାନ୍ତଙ୍କ ହଁ ନାଁରେ ରହିଛି । ବିଜେପି ନେତା ଓ କର୍ମୀଙ୍କୁ ଲୋକେ ଖୋଲାଖୋଲି ପ୍ରତ୍ୟାକ୍ଷାତ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 1 =