ନୀରବ ନେତା ନବୀନ …

ଭୁବନେଶ୍ବର () 2019 ସାଧାରଣ ନିର୍ବାଚନର ବିଗୁଲ ବାଜିଗଲାଣି । ସବୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡିକ ପ୍ରତକ୍ଷ ଓ ପରୋକ୍ଷ ଲଢେଇ ପାଇଁ ମଇଦାନକୁ ଓହ୍ଲାଇ ଗଲେଣି । ବିଭିନ୍ନ ଦୃଷ୍ଟିରୁ ଏହି ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବାକୁ ଯାଉଥିବା ବେଳେ ସବୁ ରାଜନୈତିକ ସମୀକ୍ଷକଙ୍କ ନଜର ଦୁଇ ବହୁ ଚର୍ଚ୍ଚିତ ନେତାଙ୍କ ଉପରେ । ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମଧ୍ୟରୁ ଜଣେ ଗର୍ଜନ କରି ଆତ୍ମପ୍ରଚାର କରନ୍ତି । ଆଉଜଣଙ୍କ ନୀରବତା ତାଙ୍କ ସଫଳତା ବର୍ଣ୍ଣନା କରିଥାଏ । ଏହି ନେତା ହେଉଛନ୍ତି ନବୀନ ପଟନାୟକ । ବାସ୍ତବବାଦରେ ଗଭୀର ବିଶ୍ବସ ରଖୁଥିବା ନବୀନଙ୍କ ଜୀବନର ବ୍ରତ ହେଉଛି, ବିରୋଧୀ ଯାହା କହିବା କଥା କୁହନ୍ତୁ, ମୋ ଦାଇତ୍ବ ହେଉଛି ଲୋକଙ୍କ ସେବା ଏବଂ ସେମାନଙ୍କ ବିକାଶ ।

ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଥମ କିଛିବର୍ଷ ବେଶ ସୁରୁଖୁରରେ କଟିଗଲା । କିନ୍ତୁ ନିର୍ବାଚନ ଯେତେ ନିକଟତର ହେଉଛି, ଦେଶର ଅର୍ଥନୈତିକ ଭାଗ୍ୟ ସେତିକି ସେତିକି ଦୁରେଇଗଲା । 2014 ନିର୍ବାଚନରେ ମୋଦିଙ୍କ ସପକ୍ଷରେ ବିପୁଳ ଜନମତ ଆକର୍ଷିତ ହେବାର ମୁଖ୍ୟ କାରଣ ଥିଲା ତାଙ୍କ ଆକ୍ରମଣାତ୍ମକ ଭାଷଣ । କିନ୍ତୁ ଶାସନ ଗାଦିରେ ବସିବାର ପ୍ରାୟ 5 ବର୍ଷ ପରେ ତାଙ୍କ ଭାଷଣରେ ଆଉ ସେ ଆକ୍ରମଣାତ୍ମକ ଢଙ୍ଗ ନାହିଁ । ବରଂ ସେ ପୂର୍ବ ଅପେକ୍ଷା ଅଧିକ ରକ୍ଷଣାତ୍ମକ ହୋଇଯାଇଛନ୍ତି । ଯାହାକି ନିକଟରେ ତାଙ୍କର ଦୁଇ ଦୁଇ ଥର ଓଡିଶା ଗସ୍ତରୁ ସ୍ପଷ୍ଟ ବାରି ହେଉଛି ।

ଏବେ ତାଙ୍କ ଭାଷଣକୁ ଶୁଣିଲେ ଲାଗୁଛି ସତେ ଯେମିତି ବିଜେତା ଏବେ ନିଜେ ଶିକାର ହୋଇଛନ୍ତି । ସେ ନିଜ ଭାଷଣରେ ଭାରତର ଅର୍ଥନୈତିକ ଅବକ୍ଷୟ ପାଇଁ ପୂର୍ବର କଂଗ୍ରେସ ସରକାରକୁ ଦାୟୀ କରିବା ସହ ଦେଶର ଭଲ ପାଇଁ ନିଜେ ବିଷ ପିଇବାକୁ ରାଜି ବୋଲି କହୁଛନ୍ତି । ପ୍ରାୟ 5 ବର୍ଷ ତଳେ ଯେତେବେଳେ ସେ ଏକକ ସଂଖ୍ୟା ଗରିଷ୍ଠତାରେ ସରକାରକୁ ଆସିଥିଲେ ସେତେବେଳେ ସେ ସଂସ୍କାର ଓ ନିଯୁକ୍ତିର ପ୍ରତିଶୃତି ଦେଇଥିଲେ । କିନ୍ତୁ ତାଙ୍କ ନେତୃତ୍ବରେ ଯେତେବେଳେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ହେଉଛି, ଦେଶରେ ଅର୍ଥନୈତିକ ଅଧୋଗତି ଦେଖାଦେଇଛି ଏବଂ ଛଟେଇ ହାର ବୃଦ୍ଧି ପାଇଛି ।

ଦୁର୍ଦ୍ଦିନରେ ଚାଷୀ

ମୋଦି ସରକାର ଉପରେ ବୋଧହୁଏ ବର୍ଷା ଦେବତା ଖୁସୀ ନୁହଁନ୍ତି । ଦେଶର କେଉଁଠି ଅତ୍ୟଧିକ ବର୍ଷା ଯୋଗୁଁ ଗୁରୁତ୍ତର ବନ୍ୟା ପରିସ୍ଥିତି ତ କେଉଁଠି ସ୍ବଳ୍ପ ବୃଷ୍ଟି ଯୋଗୁଁ ମରୁଡି କିମ୍ବା ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଚାଷୀକୂଳ ରୋଜଗାର ପନ୍ଥା ହରାଇଛନ୍ତି । ବର୍ତ୍ତମାନର କେନ୍ଦ୍ର ସରକାର ଚାଷୀଙ୍କୁ ଉପଯୁକ୍ତ ସହାୟକ ମୂଲ୍ୟ ଦେବାରେ ଫେଲ ମାରିଥିବା ବେଳେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିପାରିନାହାଁନ୍ତି । କୃଷି ଋଣକୁ ମଧ୍ୟ ଛାଡ କରିବାକୁ ନାରାଜ ବର୍ତ୍ତମାନର କେନ୍ଦ୍ର ସରକାର ।

ନିଯୁକ୍ତିର ଧୂଆଁବାଣ

କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ପ୍ରତିବର୍ଷ 2 କୋଟି ନିଯୁକ୍ତି ସୁଯୋଗର ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହି ପ୍ରତିଶୃତି ପାଳନରେ ବିଫଳ ହୋଇଛନ୍ତି ମୋଦି ସରକାର । ଏନଡିଏ ସରକାରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ସୁଯୋଗ ସୃଷ୍ଟିର ହାର ପୂର୍ବର ୟୁପିଏ ସରକାର ଠାରୁ ମଧ୍ୟ କମ ରହିଥିଲା । ଆଇଟି ଓ ରିଟେଲ କ୍ଷେତ୍ରରେ ନିଯୁକ୍ତିର ହାର ସବୁଠାରୁ ଉଦବେଗଜନକ ଥିଲା । ଏଭଳିସ୍ଥିତିରେ ରାସ୍ତାକଡରେ ପକୁଡି ବିକ୍ରି କରି ମଧ୍ୟ ରୋଜଗାର କରିହୁଏ କହି ବେକାର ଯୁବକ ଯୁବତୀଙ୍କୁ ଉପହାସ କରିଥିଲେ କେନ୍ଦ୍ର ସରକାର ।

ବିମୁଦ୍ରାକରଣ

କଳାଧନ ଉପରେ ଆକ୍ରମଣ ନାଁରେ ହୋଇଥିବା ବିମୁଦ୍ରାକରଣ ଯୋଗୁଁ ଦେଶର ଅଭିବୃଦ୍ଧି ପ୍ରାୟ 2 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ମୋଦି ସରକାର ଏହାକୁ ଏକ ବଡ ସଫଳତା କହୁଥିବା ବେଳେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞମାନେ ଏହାକୁ କେନ୍ଦ୍ରର ସବୁଠାରୁ ବଡ ଯୋଜନାବଦ୍ଧ ଲୁଣ୍ଠନ ବୋଲି କହିଛନ୍ତି । ଏହାଦ୍ବାରା କଳାଧନ କେତେ ଧରା ହେଲା ତାର ଏଯାଏଁ ହିସାବ ମିଳୁନଥିବା ବେଳେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ସହଯୋଗୀଙ୍କ ସହ ମନାନ୍ତର

ବିଜେପିର ଏକପାଖିଆ ନିଷ୍ପତ୍ତି ଯୋଗୁଁ ସହଯୋଗୀମାନେ ଧିରେ ଧିରେ ହାତ ଛାଡିବା ଆରମ୍ଭ କଲେଣି । ଏକଦା ବିଜେପିର ସବୁଠାରୁ ପୁରୁଣା ଓ ବଡ ସହଯୋଗୀ ବୋଲି କୁହାଯାଉଥିବା ଶିବସେନା ମଧ୍ୟ କେନ୍ଦ୍ରର ନୀତି ଓ ନୈତିକତାକୁ ନେଇ ବାରମ୍ବାର ଧମକ ଦେଉଛି । ଏପରିକି ଆସନ୍ତା ସାଧାରଣ ନିର୍ବାଚନରେ ଶିବସେନା ବିଜେପିର ବିନା ସହଯୋଗରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି । ଟିଡିପି ମଧ୍ୟ ବିଜେପିର ହାତ ଛାଡି ଅଲଗା ହୋଇଗଲାଣି । ଏବେ ବିଜେପି ବିରୋଧୀ ମହାମେଣ୍ଟର ନେତୃତ୍ବ ନେଉଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ।

ବିଦ୍ରୁପ ଦୁର୍ନୀତି ମୁକ୍ତ ନାରା

ଦୁର୍ନୀତି ମୁକ୍ତର ନାରା ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଦୁର୍ନୀତିର ମୁଲୋତ୍ପାଟନ ପରବର୍ତ୍ତେ ଦୁର୍ନୀତିକୁ ପ୍ରଶ୍ରୟ ଦେଇଛି । କଳାଧନକୁ ଦେଶକୁ ଫେରାଇ ଆଣିବାର ପ୍ରତିଶୃତି ଦିଆଯାଇଥିଲା । ହେଲେ କେତେ କଳାଧନ ଫେରିଲା ତାର ହିସାବ ନାହିଁ । ବରଂ ବିମୁଦ୍ରାକରଣ ନାଁରେ ବିଦେଶରେ ଆହୁରି କଳାଧନ ଗଛିତ ହେଲା । ସରକାରକୁ ଆସିବା ପୂର୍ବରୁ ଲୋକପାଳର ଏକ ବଡ ସମର୍ଥକ ଥିଲା ବିଜେପି । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଏଦିଗରେ ବିଶେଷ କିଛି କରାଯାଇନି ।

ସମାଜିକ ଅସ୍ଥିରତା

2014 ପରଠାରୁ ଦେଶରେ ସାମାଜିକ ଅସ୍ଥିରତା ବୃଦ୍ଧି ପାଇଛି । କେତେବେଳେ ଗୋ ସୁରକ୍ଷା ନାଁରେ ତ କେତେବେଳେ ଦଳିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ । କେବଳ ଏତିକି ନୁହେଁ ମୋଦି କିମ୍ବା ସରକାର ବିରୋଧରେ ପଦୁଟିଏ କହୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀ, ପାକିସ୍ଥାନୀ ଏଜେଣ୍ଟ କିମ୍ବା ଆଇଏସଆଇ ଏଜେଣ୍ଟର ଆକ୍ଷା ଦିଆଯାଉଛି । ଶିକ୍ଷାବିତମାନେ ଆରଏସଏସ ଓ ବିଜେପି ସଂପର୍କରେ ତର୍ଜମା କଲେ ତାଙ୍କୁ ସାଧାରଣରେ ହତ୍ୟା କରାଯାଉଛି କିମ୍ବା ଧମକ ଦିଆଯାଉଛି । ସାମ୍ବାଦିକ, ସମାଜସେବୀ କେହି ବି ସୁରକ୍ଷିତ ନୁହଁନ୍ତି ।

ନବୀନ – ଜଣେ ନିରବ ପ୍ରଦର୍ଶକ

ଗୋଟେପଟେ ଗର୍ଜନ ତର୍ଜନ କରୁଥିବା ମୋଦି, ଅନ୍ୟପଟେ ଜଣେ ଶାନ୍ତ, ଭଦ୍ର ଓ ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀରବତାର ସହ ଗତ 18 ବର୍ଷ ମଧ୍ୟରେ ଏକ ପଛୁଆ ରାଜ୍ୟକୁ ଦେଶର ଅନ୍ୟତମ ପ୍ରଗତିଶିଳ ଏବଂ ସମ୍ଭାବନାପୂର୍ଣ୍ଣ ରାଜ୍ୟରେ ରୂପାନ୍ତରିତ କରିଛନ୍ତି । ତାଙ୍କ ବ୍ୟକ୍ତିତ୍ବ ଏବଂ ନେତୃତ୍ବ ସମତୁଳ ଆଉ ଜଣେ ନେତା ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ ନାହାଁନ୍ତି ।

ନବୀନ ଏଭଳି ଜଣେ ନେତା, ଯିଏ ଅନ୍ୟ କୌଣସି ଦଳର ନେତାଙ୍କ ସଂପର୍କରେ କୌଣସି ବ୍ୟକ୍ତିଗତ ମତ ମନ୍ତବ୍ୟ ଦିଅନ୍ତି ନାହିଁ । ହେଲେ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅମିତ ଶାହାଙ୍କ ପର୍ଯ୍ୟନ୍ତ ନବୀନଙ୍କ ସଂପର୍କରେ ଅରୁଚିକର ମତ ମନ୍ତବ୍ୟ ଦେଇଥାନ୍ତି । ଏହାସତ୍ତ୍ବେ ମଧ୍ୟ ତାଙ୍କ ନୀରବତା ଏବଂ ପ୍ରଜ୍ଞତା ତାଙ୍କୁ ଜଣେ ଉତ୍ତମ ପ୍ରଦର୍ଶକର ମାନ୍ୟତା ଦେଇଛି । ଜଣେ ରାଜନେତାର କର୍ତ୍ତବ୍ୟ ହେଉଛି ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିବା ଏବଂ ତାକୁ କାର୍ଯ୍ୟକାରୀ କରିବା । ଯେଉଁଥିପାଇଁ ଏବେ ସାଧାରଣ ଲୋକଙ୍କ ମୁହଁରେ ଗୋଟିଏ କଥା ‘ଗରିବଙ୍କ ପାଇଁ ନବୀନ’ ।

ଆହାର ଯୋଜନା

ବଡ ବଡ ସହରକୁ କାମ ସନ୍ଧାନରେ ଯାଉଥିବା ଗରିବ କର୍ମଜୀବୀଙ୍କ ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ମାତ୍ର 5 ଟଙ୍କାରେ ମିଳୁଛି ମଧ୍ୟାହ୍ନ ଭୋଜନ । ଏବେ ପୁଣି ରାଜ୍ୟର କିଛି ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ରାତ୍ରୀଭୋଜନ ବି ମିଳିବ । ଏହା ରାଜ୍ୟର ପ୍ରାୟ 60ହଜାରରୁ ଅଧିକ ଗରିବ ଖଟିଖିଆଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଛି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ରାଜ୍ୟରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ରାଜ୍ୟର ସବୁ ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ମାଗଣା ସ୍ବାସ୍ଥ୍ୟ ସେବା ପାଇପାରିବେ । ଏଥିରେ ଆର୍ଥିକ ଅନଗ୍ରସର ଲୋକଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

କାଳିଆ

ଚାଷୀ ଓ ଚାଷର ଉନ୍ନତି ପାଇଁ ଆରମ୍ଭ ହୋଇଛି କାଳିଆ ଯୋଜନାରେ । କ୍ଷୁଦ୍ର, ମଧ୍ୟମ ଓ ଭୂମୀହୀନ ଚାଷୀଙ୍କୁ ବାର୍ଷିକ 10ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହି ଯୋଜନାରେ ଚାଷୀଙ୍କୁ ଆଉ ଋଣ କରିବାକୁ ପଡିବ ନାହିଁ । ଏଥିସହିତ ଜୀବନଜୀବିକାର ଉନ୍ନତି ପାଇଁ ମଧ୍ୟ ସେମାନଙ୍କୁ ଆର୍ଥିକ ସହାୟତା ସହ ତାଲିମ ଦିଆଯିବ । ଏହି ଯୋଜନାରେ ରାଜ୍ୟର ପ୍ରାୟ 30 ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ ।

ନିଦାନ

ସରକାରୀ ଡାକ୍ତରଖାନାକୁ ଆସୁଥିବା ବିପିଏଲ ପରିବାରକୁ ମାଗଣା ସିଟି ସ୍କାନ, ଏକ୍ସରେ, ଏମଆରଆଇ ଭଳି ପରୀକ୍ଷା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବନି ।

ମହିଳା ଚାଷୀଙ୍କ ପାଇଁ ମାଗଣା ସ୍ମାର୍ଟ ଫୋନ

ମହିଳା ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ଦର ଜାଣିବା ଏବଂ ପାଣିପାଗ ସଂପର୍କରେ ସଚେତନ କରିବାକୁ ମାଗଣା ସ୍ମାର୍ଟ ଫୋନ ଯୋଗାଇ ଦିଆଯିବ । ଏଥିସହିତ ମହିଳାଙ୍କୁ ଡିଜିଟାଇଜ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଏଥିସହିତ ମାଳତିଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନା, ବିଜୁ ଯୁବ ବାହିନି, ବିଜୁ ଗାଁ ଗାଡି, ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା, ଅବଢା ଭଳି ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି ବିଜେଡି ସରକାର ।

ଆଞ୍ଚଳିକ ବୈଷମ୍ୟ ଦୂର

ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା କେତେକ ପଦକ୍ଷେପ ଗୁଡିକ ମଧ୍ୟରେ ରହିଛି, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଏବଂ ବାସହୀନଙ୍କ ପାଇଁ ପକ୍କା ଘର ଯୋଗାଣ । ବର୍ତ୍ତମାନ ସୁଦ୍ଧା 20 ଲକ୍ଷ ପକ୍କାଘର ନିର୍ମାଣ ସରିଛି ।

ଗତ 5 ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇଥିବା ବେଳେ ଅତିରିକ୍ତ 7 ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାଇଛି । ଏଥିସହିତ ଗତ 5 ବର୍ଷ ମଧ୍ୟରେ ରାଜ୍ୟ ସରକାର ନିଜସ୍ବ ବଜେଟରୁ 22ହଜାର 500 କିଲୋମିଟର ଗ୍ରାମୀଣ ରାସ୍ତା ଓ 600 ବ୍ରିଜ ନିର୍ମାଣ କରିଛନ୍ତି ।

ଲୋକପ୍ରିୟତାର ସୂଚଙ୍କାକ

ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ଅର୍ଥାତ ସ୍ବଚ୍ଛତା, ଟିମ ୱାର୍କ ଓ ଟେକ୍ନୋଲୋଜି ମନ୍ତ୍ର ରାଜ୍ୟର ବିକାଶ ପ୍ରକ୍ରିୟାକୁ ନୂଆ ଦିଗ ଦେଇଛି । ଏହା ମେକ ଇନ ଓଡିଶା କନକ୍ଲେଭ ଓ ସ୍ମାର୍ଟ ଭୁବନେଶ୍ବର ଗଠନର ଥିଲା ମୂଳମନ୍ତ୍ର । ମେକ ଇନ ଓଡିଶା କନକ୍ଲେଭରେ ଚଳିତ ବର୍ଷ 4.19 ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବ ଆସିଛି । 15ଟି କ୍ଷେତ୍ରରେ ଏହି ସବୁ ପ୍ରସ୍ତାବ ଆସିଥିବା ବେଳେ ଏହାଦ୍ବାରା ପ୍ରାୟ 6 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ବିଜେଡି ସରକାର ଅମଳରେ ରାଜ୍ୟରେ ଶିଶୁ ମୃତ୍ୟୁହାର ଜାତୀୟ ସ୍ତରରେ ସର୍ବାଧିକ ହ୍ରାସ ପାଇଛି । ଓଡିଶା ସର୍ବଭାରତୀୟ ସ୍ତରରେ ସହଜ ରହଣୀ ରାଜ୍ୟ ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛି ।

ସ୍ମାଟ ସିଟି, ସ୍ମାର୍ଟ ପଦକ୍ଷେପ

ଭୁବନେଶ୍ବରକୁ ୱାଇଫାଇ ସହର ସହ ଅପରାଧ ନିୟନ୍ତ୍ରଣ ପାଇଁ ପୂରା ସହର ସିସିଟିଭି ନଜରରେ ରହିଛି । ଏଥିସହିତ ମୋ ବସ ସେବା ରାଜଧାନୀର ପରିବହନ ସେବାକୁ ନୂଆ ଦିଗ ଦେଇଛି । କଟକ, ଭୁବନେଶ୍ବର ଏବଂ ପୁରୀକୁ ସଂଯୋଗ କରିବ ପ୍ରାୟ 300 ସିଟି ବସ । ଶସ୍ତା ସରକାରୀ ପରିବହନ ସେବା ସାଙ୍ଗକୁ ସୁରକ୍ଷାର ଗ୍ୟାରେଣ୍ଟି ।

ସେହିଭଳି ମୋ ସାଇକେଲ ଯୋଜନାରେ ରାଜଧାନୀର ପ୍ରାୟ 400 ଷ୍ଟାଣ୍ଡରେ ରହିଛି 2000 ଆଧୁନିକ ସାଇକେଲ । ସହରରେ ପରିବହନ ସେବାର ଏହା ଆଉ ଏକ ସୋପାନ ।

ବ୍ରାଣ୍ଡ ଓଡିଶା, ବ୍ରାଣ୍ଡ ନବୀନ

22ତମ ଏସିଆନ ଆଥଲେଟିକ୍ସର ଆୟୋଜନ କରି ମୁଖ୍ୟମନ୍ତ୍ରୀ ଓଡିଶାରେ କ୍ରିଡାର ଏକ ନୂଆ ବ୍ରାଣ୍ଟ ସୃଷ୍ଟି କରିଛନ୍ତି । ଓଡିଶା ପ୍ରଥମ ରାଜ୍ୟ ଭାବେ ଜାତୀୟ ହକି ଟିମକୁ ସ୍ପନସର କରିଥିଲା । ପରେ ପରେ ଭୁବନେଶ୍ବରରେ ଆୟୋଜିତ ହେଲା ହକି ବିଶ୍ବକପ । ବିଶ୍ବ ସ୍ତରରେ ଓଡିଶା ଏକ ବ୍ରାଣ୍ଡ ହେଲା ଆଉ ପରେ ପରେ ସୃଷ୍ଟି ହେଲା ବ୍ରାଣ୍ଡ ନବୀନ ।

Share

Leave a Reply

Your email address will not be published. Required fields are marked *

11 − 8 =